ନବରଙ୍ଗପୁର ମେଡିକାଲରେ ଅବ୍ୟବସ୍ଥା : ମହାପ୍ରୟାଣ ପାଇଁ ମୃତକଙ୍କ ପରିବାର ହଟହଟା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହାପ୍ରୟାଣ ଗାଡି ସପ୍ତାହେ ହେଲା ଖରାପ ଅଛି। ଯାହାଫଳରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି ହୋଇଥିବା ୩ମାସର ଶିଶୁ କନ୍ୟାର ମୃତ୍ୟୁ ପରେ ବି ଶବ ଗାଁକୁ ନେବାକୁ ଗାଡ଼ି ମିଳିଲା ନାହିଁ। ପରିବାର ଲୋକ ୫ଘଣ୍ଟା ଧରି ଅପେକ୍ଷା କରି ଶେଷରେ ଗୋଟିଏ ଅଟୋରିକ୍ସା ଭଡା କରି ଗାଁକୁ ଶବ ନେଇଛନ୍ତି।

ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଗାଦବାଗୁଡା ଗାଁର ଧନ ସାନ୍ତା ଓ ଧନମତି ସାନ୍ତାଙ୍କ ୩ମାସ ଶିଶୁ କନ୍ୟା ଜ୍ୱରରେ ଆକ୍ରାନ୍ତ ହୋଇଥିଲା। ତେଣୁ ଗତକାଲି ମଧ୍ୟାହ୍ନରେ ପରିବାର ଲୋକ ତାକୁ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସା ଆରମ୍ଭ ହୋଇଥିଲେ ବି ଅପରାହ୍ନ ୫ଟା ବେଳେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା। ଝିଅର ମୃତ୍ୟୁ ଯୋଗୁଁ ଉଭୟ ବାପା, ମା’ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଶବ ନେବାକୁ ଗାଡ଼ି ନମିଳିବାରୁ ଅଧିକ ଚିନ୍ତାରେ ପଡ଼ିଥିଲେ। ସପ୍ତାହେ ହେଲା ମେଡିକାଲର ମହାପ୍ରୟାଣ ଗାଡି ଖରାପ ହୋଇ ରହିଥିବା ଜାଣିବାକୁ ପାଇଥିଲେ। ପ୍ରାୟ ୫ଘଣ୍ଟାର ଅପେକ୍ଷା ପରେ ଶେଷରେ ରାତି ପ୍ରାୟ ୧୦ଟାରେ ଗୋଟିଏ ଅଟୋରିକ୍ସା ଭଡ଼ା କରି ଶବ ନେଇଥିଲେ। ଅନ୍ୟପଟେ ମୃତ ଶିଶୁ କନ୍ୟାର ଯାଆଁଳା ଭଉଣୀ ମଧ୍ୟ ନିମୋନିଆରେ ପୀଡିତ। ଚିକିତ୍ସା କରିବା ପାଇଁ ନବରଙ୍ଗପୁର ମେଡିକାଲରେ କେହି ଶିଶୁରୋଗ ବିଶେଷଜ୍ଞ ନଥିବାରୁ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶବ ନେବାକୁ ଗାଡ଼ି ଏବଂ ଅନ୍ୟ ଝିଅ ଚିକିତ୍ସା ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଫୋନ କରିଥିଲେ ମଧ୍ୟ ଫୋନ ଉଠାଇ ନଥିବା ଧନ ଅଭିଯୋଗ କରିଛନ୍ତି। ଏଥିରୁ ମେଡିକାଲରେ ରୋଗୀ ସେବା କେତିମି ଚାଲିଛି ଅନୁମାନ କରାଯାଇ ପାରିବ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସେହିପରି ଆଜି ସଂଧ୍ୟାରେ ତାରାଗାଁ ପଞ୍ଚାୟତ ଅନ୍ତର୍ଗତ ବୈଦି ହରିଜନ (୨୭)ଙ୍କ ନବରଙ୍ଗପୁର ମେଡିକାଲରେ ମୃତ୍ୟୁ ହୋଇଯାଇଛି। ଏହାପରେ ପରିବାର ଲୋକଙ୍କୁ ଗାଡ଼ି ମିଳିନଥିବା ବେଳେ ରାତି ୧୦ଟା ପର୍ଯ୍ୟନ୍ତ ଶବ ନେଇପାରି ନଥିଲେ। ଯାହାକୁ ନେଇ ମେଡିକାଲ ପରିସରରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ ଏଡ଼ିଏମଓ ପ୍ରଦୀପ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ଟଙ୍କା ନଥିବାରୁ ମହାପ୍ରୟାଣ ଗାଡ଼ି ମରାମତି ହୋଇପାରୁନି ବୋଲି କହିଥିଲେ।

ସମ୍ବନ୍ଧିତ ଖବର