ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ନ ହେଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି: ପାଣ୍ଡିଆନ

ଧର୍ମେନ୍ଦ୍ରଙ୍କୁ ପୁଣି ଚ୍ୟାଲେଞ୍ଜ୍‌ ଦେଲେ

ବ୍ରଜରାଜନଗର: ନବୀନ ବାବୁ ତିନି-ଚତୁର୍ଥାଂଶ ବହୁମତ ପାଇ ଜୁନ୍ ୯ ତାରିଖରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ନବୀନ ମୁଖ୍ୟମନ୍ତ୍ରୀ ନ ହେଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ପୁଣି ଟାର୍ଗେଟ୍‌ କରିଛନ୍ତି। ପାଣ୍ଡିଆନ୍ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି। ସାମାନ୍ୟ ଜାତୀୟ ରାଜପଥକୁ ୧୦ ବର୍ଷରେ ଠିକ୍ କରିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ? ମୋତେ ଚାମ୍‍ଚା, ଗୁମାସ୍ତା ବୋଲି କହୁଛନ୍ତି। ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ। କେନ୍ଦ୍ରମନ୍ତ୍ରୀ ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି ?

ଶ୍ରୀ ପାଣ୍ଡିଆନ ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକ୍‌ ପଞ୍ଚଗାଁ ପଡ଼ିଆରେ ଆୟୋଜିତ ନିର୍ବାଚନ ସଭାରେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରଜରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ଶାଣିତ ଆକ୍ରମଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ ନନେଇ ପାଣ୍ଡିଆନ କହିଥିଲେ ଯେ ଜଣେ କେନ୍ଦ୍ର ମନ୍ତ୍ରୀ ସମ୍ବଲପୁରରେ ଛିଡ଼ା ହୋଇଛନ୍ତି। ସେ ୧୦ ବର୍ଷ ହେବ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଛିଡ଼ା ହେବା ପାଇଁ ଚେଷ୍ଟା କରିଥିଲେ। ସେଠାକୁ ୫ଶହ ଥର ଯାଇଥିବେ। ସେ ଖାଲି ବୁଲିଲେ, କିନ୍ତୁ କିଛି କାମ କଲେନାହିଁ। ଢେଙ୍କାନାଳ ଲୋକ ଜାଣିଗଲେ ସେ ବଡ଼ ବଡ଼ କଥା କୁହନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ଆଗରୁ ତାଙ୍କୁ ଡର ଲାଗିଲା। ଶେଷରେ ୧୦ ବର୍ଷ ପରେ ନାମାଙ୍କନ ପୂର୍ବରୁ ହାରିବାର ଡର ଲାଗିବାରୁ ସମ୍ବଲପୁର ନୂଆ ଜାଗାକୁ ଆସି ଛିଡ଼ା ହୋଇଛନ୍ତି। ଆଜିକାଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ଭଳିଆ ଭାଷଣ ଦେଉଛନ୍ତି। ଆଜି ଏ ବ୍ରଜରାଜନଗର ମାଟିରୁ ଆହ୍ୱାନ ଦେଉଛି ଯଦି ତାଙ୍କର ସାହସ ଅଛି, ଆପଣଙ୍କୁ ନିଜ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରୁ। ଦେଖିବା କେତେ ସିଟ୍‌ ପାଇବେ। ନିଜ ଦଳ ଆପଣଙ୍କ ଉପରେ ବିଶ୍ୱାସ କରୁନି। ଲୋକମାନେ କିଭଳି ବିଶ୍ୱାସ କରିବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରିଥିଲେ।

ଧର୍ମେନ୍ଦ୍ରଙ୍କୁ ପୁଣି ଚ୍ୟାଲେଞ୍ଜ୍‌ ଦେଲେ
ସୁରେଶ ପୂଜାରୀଙ୍କୁ ସମାଲୋଚନା କଲେ
ବ୍ରଜରାଜନଗର, ଝାରସୁଗୁଡ଼ାରେ ପାଣ୍ଡିଆନ୍‌ଙ୍କ ପ୍ରଚାର

ସେହିପରି ପାଣ୍ଡିଆନ ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ମଧ୍ୟ ତୀବ୍ର ଆକ୍ରମଣ କରିଥିଲେ। କହିଥିଲେ, ଆପଣ ଯାହାଙ୍କୁ ସାଂସଦ କରିଥିଲେ ବର୍ତ୍ତମାନ ସେ ବିଧାୟକ ପ୍ରାର୍ଥୀ। ସେ ସାଂସଦ ଥିବା ସମୟରେ ବ୍ରଜରାଜନଗରକୁ ଭୁଲିଗଲେ। ଏହି ବ୍ରଜରାଜନଗରରୁ ସେ ଆପଣଙ୍କ ଆଶୀର୍ବାଦରୁ ବିପୁଳ ସଂଖ୍ୟାରେ ଭୋଟ ପାଇଥିଲେ। ସେ ଆପଣଙ୍କ ସୁଖଦୁଃଖର ସାଥୀ ହୋଇନାହାନ୍ତି। ଏ ଅଞ୍ଚଳର ସମସ୍ୟା ନେଇ ୫ବର୍ଷରେ ଥରୁଟିଏ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇନାହାନ୍ତି। ଯାହା ରେକର୍ଡ କହୁଛି। ତେଣୁ ଆପଣଙ୍କ କାର୍ଯ୍ୟ କରିବାକୁ ତାଙ୍କର ଆନ୍ତରିକତା ନଥିଲା ବୋଲି ପାଣ୍ଡିଆନ କହିଥିଲେ। ଏହି ଅବସରରେ ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଲାଗି ପାଣ୍ଡିଆନ ପ୍ରଚାର କରିଥିଲେ। ଶ୍ରୀ ପାଣ୍ଡିଆନ ଏହି ଅବସରରେ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ଅମଲିପାଲିଠାରେ ଅନୁଷ୍ଠିତ ନିର୍ବାଚନ ସଭାରେ ଯୋଗଦେଇ କହିଥିଲେ, ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ପାଇଁ ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଅନେକ ପଦକ୍ଷେପ ନେଇଥିଲେ। ନବ ବାବୁଙ୍କ ଅବର୍ତ୍ତମାନରେ ତାଙ୍କ ଝିଅ ଦୀପାଳି ଦାସଙ୍କୁ ଆଶୀର୍ବାଦ କରିବା ପାଇଁ ଶ୍ରୀ ପାଣ୍ଡିଆନ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସଭାରେ ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ଗୋଟିଏ ମାସ ଭିତରେ ଝାରସୁଗୁଡ଼ାର ସବୁ ମନ୍ଦିରର ରୂପାନ୍ତରୀକରଣ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ଶ୍ରୀ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଥିଲେ। ସୁଶ୍ରୀ ଦାସ ତାଙ୍କ ଉଦ୍‌ବୋଧନରେ କହିଥିଲେ ଯେ ନବୀନ ବାବୁଙ୍କ ପ୍ରତିଶ୍ରୁତି ମିଛ ଗ୍ୟାରେଣ୍ଟି ନୁହେଁ। ତେଣୁ ଏହି ନିର୍ବାଚନରେ ବିରୋଧୀଙ୍କୁ ଉଚିତ ଜବାବ ଦେବା ପାଇଁ ଦୀପାଳି ଜନସାଧାରଣଙ୍କୁ ନିବେଦନ କରିଥିଲେ। ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ର ମଧ୍ୟ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର