ପୂର୍ବ ଶତ୍ରୁତାରୁ ବାପା-ପୁଅଙ୍କୁ ଗୁଳିମାଡ଼

ଜୟପୁର: କୋରାପୁଟର ଜୟପୁର ସହରରେ ଆଜି ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ହୋଇଛି। ଏଥିରେ ସନ୍ତୋଷ ନାୟକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କ ବାପା ନରେନ୍ଦ୍ର ନାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରୁ ଅଫୁଟା ଗୁଳି ସହ ମାଗାଜିନ୍‌ ଜବତ କରି ତଦନ୍ତ ଚଳାଇଛି। ମଦ ଦୋକାନ ବନ୍ଦ ଦାବିରେ ଗତକାଲି ରାତିରେ ଘଟିଥିବା ଘଟଣାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗତକାଲି ୧୦ରୁ ଅଧିକ ଦୁର୍ବୃତ୍ତ ଜୟପୁର ସହର ଯୁବ ବିଜେଡି ସଭାପତି ବିକାଶ ପାତ୍ରଙ୍କୁ ଗୋଡ଼ାଇଗୋଡ଼ାଇ ଆକ୍ରମଣ କରିଥିଲେ। ଆକ୍ରମଣରେ ବିକାଶଙ୍କ ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ବିକାଶଙ୍କୁ ଉଦ୍ଧାର କରି ଜୟପୁର ମେଡିକାଲରେ ଭର୍ତି କରିଥିଲେ। ଏନେଇ ସେ ଜୟପୁର ଟାଉନ ଥାନାରେ ବିକାଶ ଏତଲା ଦେଇଥିଲେ ଏବଂ ସନ୍ତୋଷ ନାୟକଙ୍କ ସମେତ ୧୦ ଜଣ ଯୁବକ ଆକ୍ରମଣ କରିଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ।

ଆଜି ଅପରାହ୍ନରେ ସନ୍ତୋଷ ଓ ତାଙ୍କ ବାପା ନରେନ୍ଦ୍ର ବାଇକ୍‌ରେ ଘରକୁ ଫେରୁଥିବାବେଳେ ସ୍ଥାନୀୟ ରାଜନଅର ଛକରେ ୬ରୁ ୮ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ଏହାପରେ ସଂଘବଦ୍ଧ ଆକ୍ରମଣ କରି ୨ରାଉଣ୍ଡ ଗୁଳି ଫୁଟାଇଥିଲେ। ସେଥିରୁ ଗୋଟିଏ ଗୁଳି ସନ୍ତୋଷଙ୍କ ପିଠିରେ ବାଜିଥିଲା। ଅନ୍ୟପକ୍ଷରେ ନରେନ୍ଦ୍ରଙ୍କ ମୁଣ୍ଡକୁ ଶକ୍ତ ଜିନିଷରେ ଆଘାତ ଦେଇ ପରବର୍ତୀ ସମୟରେ ପଥରରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଉଦ୍ଧାର କରିବା ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସନ୍ତୋଷଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଏସଡିପିଓ ପ୍ରତ୍ୟୁଷ ଦିବାକର କହିଛନ୍ତି ଯେ ଗୁଳିକାଣ୍ଡ ନେଇ ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର