ଶିକ୍ଷା ଓ ଆତ୍ମନିର୍ଭରଶୀଳତା ହିଁ ନାରୀର ପରିଚୟ: ସୌମ୍ୟରଂଜନ

ଜଳେଶ୍ୱର ମହିଳା ମହାବିଦ୍ୟାଳୟର ୩୫ତମ ବାର୍ଷିକ ଉତ୍ସବ

ଜଳେଶ୍ୱର : ନାରୀ ସୁରକ୍ଷା ନାରୀ ହାତରେ। ନାରୀ ଯଦି ଶିକ୍ଷା ଅର୍ଜନ କରିବ, ତେବେ ଆତ୍ମନିର୍ଭରଶୀଳ ହୋଇପାରିବ। କାରଣ ଶିକ୍ଷା ମଣିଷର ଚିନ୍ତାଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ। ଯେ କୌଣସି ବିପ୍ଳବରେ ସାମିଲ ହେବା ପାଇଁ ସାମର୍ଥ୍ୟ ଯୋଗାଏ। ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା ବି ଦିଏ। ତେଣୁ ଶିକ୍ଷା ଓ ଆତ୍ମନିର୍ଭରଶୀଳତା ନାରୀକୁ ସ୍ବତନ୍ତ୍ର ପରିଚୟ ଆଣିଦିଏ ବୋଲି ଜଳେଶ୍ୱର ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ‘ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ପ୍ରସଙ୍ଗରେ ଆହୁରି କହିଲେ ଯେ, ମୋ ମାଆ କେବେ କଲେଜ ଯାଇନଥିଲେ। କିନ୍ତୁ ତାଙ୍କ ପରି ଶିକ୍ଷିତା ନାରୀ ମୁଁ ଦେଖିନି। ଆଜିର ଝିଅମାନେ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ। କାରଣ ବର୍ତ୍ତମାନର ଯୁଗ ବିଜ୍ଞାନ ଓ କାରିଗରୀ କୌଶଳର ଯୁଗ। ସମୟ ଆସିଛି, ସେମାନେ ନିଜ ଅଧିକାରକୁ ସାବ୍ୟସ୍ତ କରନ୍ତୁ। ପରିବର୍ତ୍ତନ ଧାରାରେ ଝିଅମାନେ ଶିକ୍ଷାକୁ ସବୁଠୁ ବେଶୀ ଗୁରୁତ୍ବ ଦେବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସେହିପରି ବାଲେଶ୍ବର ଉପଜିଲ୍ଲାପାଳ ତଥା ଯୁକ୍ତ ଦୁଇ କଲେଜ ପରିଚାଳନା କମିଟି ସଭାପତି ନିଲୁ ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଦକ୍ଷତାକୁ ଭରପୂର ଉପଯୋଗ କରିବା ଛାତ୍ରୀମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉ ବୋଲି କହିଥିଲେ।

ଅଧ୍ୟାପକ ସଂଗ୍ରାମ ନାୟକ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିବାବେଳେ କଲେଜର ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ଦେ ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟାପକ ଡ.ଦୟାନିଧି ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର