ପ୍ରମୋଦ ବର୍ଷର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌: ଦୀପଗ୍ରେସ ଶ୍ରେଷ୍ଠ ମହିଳା ଖେଳାଳି, କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ବର: ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ସୋମବାର ବର୍ଷର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌ ପୁରସ୍କାର କରାୟତ୍ତ କରିଛନ୍ତି। ଓଡ଼ିଆ ହକି ଖେଳାଳି ଦୀପଗ୍ରେସ ଏକ୍କା ବର୍ଷର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍‌ (ଦଳଗତ କ୍ରୀଡ଼ା) ପୁରସ୍କାର ପାଇଥିଲା ବେଳେ କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମିଳିଥିଲା। ଶ୍ରେଷ୍ଠ ରାଜ୍ୟ ପୁରସ୍କାରକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗ୍ରହଣ କରିଥିଲେ। ପ୍ରମୋଦ ଏହି ପୁରସ୍କାର ଦୌଡ଼ରେ ଥିବା ପାରା-ଜାଭେଲିନ୍‌ ଖେଳାଳି ସନ୍ଦୀପ ଚୌଧୁରୀ ଏବଂ ସୁନ୍ଦର ସିଂହ ଗୁର୍ଜରଙ୍କୁ ପଛରେ ପକାଇଥିଲେ। ଗତ ବର୍ଷ ବିଶ୍ବ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ (ଏକକ, ଯୁଗଳ) ଜିତିଥିବା ୩୧ ବର୍ଷୀୟ ପ୍ରମୋଦ ମଧ୍ୟ ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ସଂଘ ଦ୍ବାରା ପ୍ରଦତ୍ତ ଶ୍ରେଷ୍ଠ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପୁରସ୍କାର ଦୌଡ଼ରେ ମଧ୍ୟ ରହିଛନ୍ତି। ଗତ ବର୍ଷ ପ୍ରମୋଦ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ଜିତିଥିଲେ। ପ୍ରମୋଦ ଆଇଡବ୍ଲୁଏଏସ୍‌ ବିଶ୍ବ କ୍ରୀଡ଼ାର ଏକକ, ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ଜିତିବା ସହ ଯୁଗଳରେ ରୌପ୍ୟ ଜିତିଥିଲେ। ୨୦୧୯ରେ ସେ ୧୧ ସ୍ବର୍ଣ୍ଣ ସହ ମୋଟ ୨୧ ଅନ୍ତର୍ଜାତୀୟ ପଦକ ଜିତିଥିଲେ। ସେହିଭଳି ଦୀପଗ୍ରେସ ନିଜ ସାଥୀ ଖେଳାଳି ଲାଲରେମସିଆମି ଓ ଫୁଟ୍‌ବଲର୍‌ ଗାଙ୍ଗୋମ ବାଲା ଦେବୀଙ୍କୁ ପଛରେ ପକାଇ ପୁରସ୍କାର କରାୟତ୍ତ କରିଥିଲେ। ମୁମ୍ବାଇରେ ସୋମବାର ଦ ସ୍ପୋର୍ଟ୍ସଷ୍ଟାର୍‌ ଏସ୍‌ ପକ୍ଷରୁ ବ୍ୟକ୍ତିଗତ ଏବଂ ଦଳଗତ କ୍ରୀଡ଼ାରେ ଶ୍ରେଷ୍ଠ ଖେଳାଳିଙ୍କ ସମେତ କ୍ରୀଡ଼ା ଉନ୍ନତି ପାଇଁ କାର୍ଯ୍ୟକରୁଥିବା ଅନୁଷ୍ଠାନ ଏବଂ ରାଜ୍ୟକୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ଚୟନ ସମିତିରେ ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ସୁନୀଲ ଗାଭାସ୍କର, ଚେସ୍‌ ତାରକା ବିଶ୍ବନାଥ ଆନନ୍ଦ, ଦ ହିନ୍ଦୁ ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍‌ ରାମ, ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ଏମ୍‌ଏମ୍‌ ସୋମୟା, ଅଲିମ୍ପିଆନ୍‌ ବନ୍ଧୁକ ଚାଳିକା ଅଞ୍ଜଳି ଭଗବତ ଏବଂ ବ୍ୟାଡ୍‌ମିଣ୍ଟନ୍‌ ତାରକା ଅପର୍ଣ୍ଣା ପୋପାଟ ବିଚାରକ ଭାବେ ରହିଥିଲେ।

ସମ୍ବନ୍ଧିତ ଖବର