କୁନ୍ଦୁଲି ଛାତ୍ରୀ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ସ୍କେଚ ଜାରି କରିବାକୁ ଦାବି

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଖାଲି ହାତରେ ବସିଛି ପୁଲିସ। ଏ ପର୍ଯ୍ୟନ୍ତ ଘଟଣାର ପର୍ଦ୍ଦାଫାସ ହୋଇପାରି ନଥିବା ବେଳେ ଅଭିଯୁକ୍ତଙ୍କ ସଂପର୍କରେ ସାମାନ୍ୟ ସୁରାକ ପାଇବାରେ ବି ବିଫଳ ହୋଇଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ନେଇ ନାନା ଚର୍ଚ୍ଚା ଚାଲିଛି। ଜଣେ ଅଭିଯୁକ୍ତଙ୍କର ଆଖି ତଳେ ବଡ ଭାତୁଡି ଥିବା ପୀଡ଼ିତା କହିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଦୁଇଦିନ ତଳେ କଂଗ୍ରେସ ବିଧାୟକ ମଧ୍ୟ ଭାତୁଡ଼ି ଥିବା ଜଣେ ଅଧିକାରୀଙ୍କୁ ଏହି ମାମଲାର ଅଭିଯୁକ୍ତ ଦର୍ଶାଇ ତାଙ୍କ ଗିରଫଦାରି ଦାବି କରିଥିଲେ। ସେଥିଲାଗି ପୀଡିତାଙ୍କ ବୟାନ ଅନୁସାରେ ଅଭିଯୁକ୍ତଙ୍କ ସ୍କେଚ୍‌ ଜାରି କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଂଚ ଟିମ୍‌ ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ କରି ଆଜି କୋରାପୁଟରୁ ଫେରି ଯାଇଛି। ତେବେ ତଦନ୍ତ କେତେ ବାଟ ଆଗେଇଛି ସେଥିନେଇ ମୁହଁ ଖୋଲିନି କ୍ରାଇମ ବ୍ରାଂଚ। ଏପଟେ ପୁଲିସ ପକ୍ଷରୁ ମଧ୍ୟ ଆଜି ବି ବିଭିନ୍ନ ଦିଗରୁ ତଦନ୍ତ କରାଯାଇଛି। ପୀଡିତାଙ୍କ ବୟାନ ଓ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଖୋଳତାଡ ଚାଲିଛି।

ତଦନ୍ତର ଗତିବିଧି ନେଇ ପୀଡିତାଙ୍କ ପରିବାର ଓ ସାଧାରଣ ଲୋକ ଅନ୍ଧାରରେ ରହୁଥିବାରୁ ଏଥିନେଇ ନାନା ଚର୍ଚ୍ଚା ଜୋର ଧରିଲାଣି। ରାତି ପାହିଲେ ନୂଆ ନୂଆ କଥା ଶୁଣାଯାଉଛି। ପୁଲିସର ନିରବତା ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି। ଏବେ ଆଖି ତଳେ ଥିବା ଭାତୁଡି ଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଆଲୋଚନା ହେଉଛି। ପୀଡିତା ଜଣଙ୍କ ବିଭିନ୍ନ ସମୟରେ କହିଛନ୍ତି ଯେ, ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତଙ୍କ ଆଖି ପତା ତଳେ ଗୋଟେ ବଡ଼ ଭାତୁଡ଼ି ରହିଛି। ଅଭିଯୁକ୍ତମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିଲା ବେଳେ ସେମାନଙ୍କ ରଙ୍ଗ ରୂପ ନେଇ ବୟାନ ରଖିଛନ୍ତି ପୀଡ଼ିତା।  କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଆଖି ତଳେ ଭାତୁଡି ଥିବା ନେଇ ସେ ବାରମ୍ବାର କହୁଛନ୍ତି। କିନ୍ତୁ ପୁଲିସ ଏହାକୁ ଗୁରୁତ୍ୱ ଦେଉନି। ଏମିତି କରି ପୁଲିସ ତଦନ୍ତକୁ ଦିଗହରା କରିବାକୁ ଚାହୁଁଥିବା ସେ କହିଛନ୍ତି।

ଅପରପକ୍ଷରେ ପୀଡିତାଙ୍କ ବୟାନ ଅନୁସାରେ ଅଭିଯୁକ୍ତଙ୍କ ସ୍କେଚ୍‌ ଜାରି କରିବାକୁ ବିଭିନ୍ନ ସଂଗଠନ ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଏବେ ପୀଡିତାଙ୍କ ବୟାନକୁ ଗୁରୁତ୍ୱ ଦେବା ଦରକାର। ସେ ଯାହା କହୁଛନ୍ତି, ସେଇ ଅନୁସାରେ ଅଭିଯୁକ୍ତଙ୍କ ସ୍କେଚ ଜାରି କଲେ ତଦନ୍ତରେ ସହାୟକ ହୋଇ ପାରିବ। ଏହି ଗଣ ଦୁଷ୍କର୍ମ ମାମଲାରେ ଯିଏ ବି ଅଛନ୍ତି ଭାତୁଡି ତାଙ୍କୁ ଚିହ୍ନଟ କରିଦେବ ବୋଲି ସେମାନେ ଯୁକ୍ତି କରୁଛନ୍ତି। କୋରାପୁଟ ଆମ ମା’ଘର ସଭାପତି ସଂଯୁକ୍ତାରାଣୀ ସାହୁ କହିଛନ୍ତି ଯେ, ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ସ୍କେଚ ଜାରି କଲେ ଅଭିଯୁକ୍ତକୁ ଧରିବା ସହଜ ହୋଇ ପାରିବ।

ସମ୍ବନ୍ଧିତ ଖବର