ଓଡ଼ିଶା ଓ ଜଗନ୍ନାଥ ବହୁତାର ପରିଚୟ

ଭୁବନେଶ୍ୱର : ଓଡ଼ିଶା ଏମିତି ଏକ ରାଜ୍ୟ ଯାହାର ଭୂଗୋଳ, ଗଣତନ୍ତ୍ରରେ ବହୁତାର ପରିଚୟ ଅଛି। ଓଡ଼ିଶାର ଡିଏନ୍‌ଏରେ ହିଁ ବହୁତା ରହିଛି। ଏହି ବହୁତା ମଧ୍ୟରେ ଗୋଟିଏ କ୍ଷୁଦ୍ର ଜନଜାତି ବି ତା’ର ସ୍ୱତନ୍ତ୍ର ପରିଚୟ ବଜାୟ ରଖିପାରିଛି। ଏହିଭଳି ରାଜ୍ୟ ଭାରତରେ ନାହିଁ। ଏହି ରାଜ୍ୟର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ବି ବହୁତାର ପରିଚୟ। ଏଠାରେ ସବୁ ଜଗନ୍ନାଥଙ୍କୁ ନେଇ ହୁଏ। ଓଡ଼ିଶାର ଲୋକଙ୍କ ମଧ୍ୟରେ ଜଗନ୍ନାଥଙ୍କୁ ନେଇ ଅଖଣ୍ଡ ବିଶ୍ୱାସ ଥିବାବେଳେ ଜଗନ୍ନାଥ ବି ଓଡ଼ିଶାବାସୀଙ୍କ ବିଶ୍ୱାସକୁ ବାନ୍ଧି ରଖିଛନ୍ତି। ଏହିଭଳି ସମନ୍ଵୟ କେବଳ ଭାରତ ନୁହେଁ, ବିଶ୍ୱର କୌଣସି ରାଷ୍ଟ୍ରରେ ଦେଖିବାକୁ ମିଳେନି।

‘ସମ୍ବାଦ’ ଓ ଆମ ଓଡ଼ିଶା ପକ୍ଷରୁ ମଧୁବାବୁ ଜୟନ୍ତୀ ଅବସରରେ ଆମ ଓଡ଼ିଶା ପରିସରରେ ଆୟୋଜିତ ସ୍ୱାଭିମାନ ଦିବସ ଓ ଆମ ଓଡ଼ିଶା ବକ୍ତତାମାଳାରେ ବକ୍ତା ଭାବେ ଯୋଗଦେଇ ଗବେଷକ ତଥା ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ୍‌ ଏହା କହିଛନ୍ତି।

‘ଶ୍ରୀ ଜଗନ୍ନାଥ: ବହୁତାର ଦିବ୍ୟସ୍ୱରୂପ’ ଉପରେ ନିଜର ବକ୍ତବ୍ୟ ରଖି ଶ୍ରୀ ବାଲକ୍ରିଷ୍ଣନ୍‌ କହିଥିଲେ, ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଉଥିଲେ ହେଁ ଏହାର ଅନେକ ପରିଚୟ ରହିଛି। ଓଡ଼ିଶାରେ ୪୦% ଅନୁସୂଚିତ ଜାତି ଓ ଜନଜାତି, ୬୨ ପ୍ରକାରର ଆଦିବାସୀ, ୧୫ଟି ଭାଷା, ୭୦ଟି ଆଦିବାସୀ ଭାଷା ରହିଛି। ଏହିଭଳି ବହୁତାର ରାଜ୍ୟ ସାରା ଦେଶରେ କେଉଁଠି ନାହିଁ। ଏପରିକି ୮୦୦ ଲୋକଙ୍କୁ ନେଇ ବଣ୍ଡା ଜନଜାତି ଏବେ ବି ସେମାନଙ୍କର ସ୍ୱତନ୍ତ୍ର ଭାଷା, ସ୍ୱତନ୍ତ୍ର ପରିବେଶ, ଧର୍ମ, ପରମ୍ପରା, ଭଗବାନଙ୍କୁ ନେଇ ଏହି ଓଡ଼ିଶାରେ ନିଜର ପରିଚୟ ନେଇ ବଞ୍ଚିଛନ୍ତି। ବହୁତା ଭିତରେ ସେମାନେ ପରିଚୟ ହରାଇ ନାହାନ୍ତି।

ଓଡ଼ିଶାର ଏହି ବହୁତା ଯେକୌଣସି ବ୍ୟକ୍ତି ପାଇଁ ଏକ ଜୀବନ୍ତ ପାଠାଗାର। ସେହିପରି ଓଡ଼ିଶାର ରାଷ୍ଟ୍ରଦେବତାଙ୍କ ରୀତିନୀତି ଓଡ଼ିଶାବାସୀଙ୍କୁ ବାନ୍ଧି ରଖିଛି। କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ କରି ବର୍ତ୍ତମାନର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଜଗନ୍ନାଥଙ୍କୁ ସବୁ କାର୍ଯ୍ୟରେ ଶ୍ରେୟ ଦେଇ ଆସିଛନ୍ତି। ବିଟ୍ରିସମାନେ ମଧ୍ୟ ଅନୁରୂପ ଭାବେ ଶ୍ରୀଜଗନ୍ନାଥଙ୍କୁ ଗୁରୁତ୍ୱ ଦେବାକୁ ବାଧ୍ୟ ହୋଇଛନ୍ତି। ସେହିପରି ଯେତେବେଳେ ବି ଯିଏ କୌଣସି ଶୁଭ କାର୍ଯ୍ୟ କରନ୍ତି କିମ୍ବା ରାଜା ମହାରାଜା ଶାସନ ଆରମ୍ଭ କରନ୍ତି, ସେମାନେ ସମସ୍ତେ ପ୍ରଥମେ ଜଗନ୍ନାଥଙ୍କ ଦର୍ଶନ କରନ୍ତି। ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀଙ୍କର ସମ୍ମାନ ଓ ଅଖଣ୍ଡ ବିଶ୍ୱାସକୁ ଏହା ପ୍ରମାଣିତ କରୁଛି।

ଶ୍ରୀମନ୍ଦିରର ଅରୁଣ ସ୍ତମ୍ଭରୁ ଆରମ୍ଭ କରି ସୂର୍ଯ୍ୟ ପୂଜା, ସିଂହଦ୍ୱାର, ମହାପ୍ରସାଦ ପର୍ଯ୍ୟନ୍ତ ସବୁ ଓଡ଼ିଶାବାସୀଙ୍କ ଭାବାବେଗ ସହ ଯୋଡ଼ି ହୋଇ ରହିଛି। ପୁରାଣରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଅରୁଣ ସ୍ତମ୍ଭ ଓ ମହାପ୍ରସାଦକୁ ଲୋକ ସାକ୍ଷୀ ଭାବେ ବିଶ୍ୱାସର ସହ ଗ୍ରହଣ କରିନେଇଛନ୍ତି। ଇତିହାସ କହୁଛି, କଳିଙ୍ଗ ଓ ଉଡ୍ରମାନେ ସୂର୍ଯ୍ୟ ଦେବତାଙ୍କ ଅଧୀନସ୍ଥ ଥିଲେ। ଏହା ସୂର୍ଯ୍ୟ ମନ୍ଦିର ନିର୍ମାଣର ୭୦୦ବର୍ଷ ପୂର୍ବର କଥା। ସିଙ୍ଗି ଆର୍କେ ହେଉଛନ୍ତି କୋରାପୁଟର ବଣ୍ଡାମାନଙ୍କର ସୂର୍ଯ୍ୟ ଦେବତା। ଶବରମାନଙ୍କ ପରି ସେମାନେ ଗୋଟିଏ ଅଷ୍ଟ୍ରୋ-ଏସିଆଟିକ୍‌ ଭାଷା କହନ୍ତି। ସିଙ୍ଗ ବଙ୍ଗା ହେଉଛନ୍ତି ମୁଣ୍ଡାମାନଙ୍କର ସୂର୍ଯ୍ୟ ଦେବତା। ସେମାନେ ମଧ୍ୟ ଅଷ୍ଟ୍ରୋ-ଏସିଆଟିକ୍‌ ଭାଷା କହନ୍ତି। ମୁଣ୍ଡାରି ଭାଷାରେ ସିଙ୍ଗ ବା ସିଙ୍ଗିର ଅର୍ଥ ସୂର୍ଯ୍ୟ। କିନ୍ତୁ ପ୍ରଭୁ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ଭାବେ ଅଭିହିତ କରାଯାଇଛି। ଓଡ଼ିଶାର ଶାସକ କହିଲେ ଜଗନ୍ନାଥଙ୍କୁ ବୁଝାଏ। ଏଠାରେ ପ୍ରଭୁ-ରାଜା, ସୂର୍ଯ୍ୟ-ସିଂହ ପ୍ରତୀକାତ୍ମକତା ଜଗନ୍ନାଥ ସଂସ୍କୃତି ଓ ସୂର୍ଯ୍ୟ ପୂଜା ମଧ୍ୟରେ ଥିବା ଘନିଷ୍ଠ ଓ ମୂଳଭୂତ ସମ୍ପର୍କକୁ ଦର୍ଶାଉଛି।

ଜଗନ୍ନାଥ ପ୍ରକୃତରେ ରାଷ୍ଟ୍ର ଦେବତା। ଏହାର ପ୍ରମାଣ ହେଲା ପ୍ରତ୍ୟେକ ସ୍ଥାନରେ ବ୍ରୋଞ୍ଜ , ବିଭିନ୍ନ ଧାତୁ କିମ୍ବା ଓ ପଥରର ମୂର୍ତ୍ତି ପୂଜା ପାଉଥିବାବେଳେ ଏଠାରେ ଦାରୁ ଦେବତା ପୂଜା ପାଆନ୍ତି। ଯିଏ ନିଜ ଭକ୍ତମାନଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଆସନ୍ତି। ଆଉ ବଡ ଦାଣ୍ଡରେ ପୂଜା ପାଆନ୍ତି। ଆମ ଦେଶରେ ଏମିତି କୌଣସି ମନ୍ଦିର ନାହିଁ ଯେଉଁଟି ଯେଉଁ ଦେବତା ମନ୍ଦିର ଭିତରେ ଭୂଜା ପାଆନ୍ତି ଓ ସେ ବାହାରକୁ ଆସି ଭକ୍ତମାନଙ୍କ ମଧ୍ୟରେ ବି ପୂଜା ପାଆନ୍ତି। ଜଗନ୍ନାଥ କେବଳ ପୁରାତନ ଯୁଗର ଦେବତା ନୁହନ୍ତି, ସେ ଆଇଟି ଯୁଗର ବି ଦେବତା।

ଏହି ଅବସରରେ ଶ୍ରୀ ବାଲକ୍ରିଷ୍ଣନ କହିଥିଲେ ମଧୁବାବୁ ସର୍ବଦା ଜଗନ୍ନାଥ ତତ୍ତ୍ୱକୁ ଗୁରୁତ୍ୱ ଦେଉଥିଲେ। ସେ ଅଲ ଇଣ୍ଡିଆ ଖ୍ରୀଷ୍ଟିଆନ ଆସୋସିଏସନ୍‌ର ଦୁଇ ଥର ସଭାପତି ହୋଇଥିଲେ ବି ଜଗନ୍ନାଥ ଧର୍ମକୁ ଅଗ୍ରାଧିକାର ଦେଉଥିଲେ। ଓଡ଼ିଶାବାସୀ ନିଜର ବହୁତା ମଧ୍ୟରେ ନିଜ ମାତୃଭାଷାକୁ ବି ଭୁଲି ନାହାନ୍ତି। ଯିଏ ନିଜ ମାତୃଭାଷାକୁ ସମ୍ମାନ ଦିଏ ସେ ଅନ୍ୟ ଭାଷାକୁ ସମ୍ମାନ ଦିଏ। ଯିଏ ନିଜ ମା’କୁ ସମ୍ମାନ ଦିଏ ସେ ଅନ୍ୟ ମା’କୁ ବି ସମ୍ମାନ ଦିଏ।

‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ମଧୁ ବାବୁ ହେଉଛନ୍ତି ଆମ ଓଡ଼ିଆଙ୍କର ପରିଚୟ। ତେଣୁ ଆମ ସମସ୍ତଙ୍କର ଦାୟିତ୍ୱ ୧୭୦ବର୍ଷ ତଳେ ଜନ୍ମିତ ଏହି ବ୍ୟକ୍ତିଟିକୁ ଯେପରି ଆମ ପିଲାମାନେ ଭୁଲିନଯାନ୍ତି। ଆଜିକାଲିର ଇଂରାଜୀ ମାଧ୍ୟମିକ ସ୍କୁଲ ଯୁଗରେ ପିଲାଙ୍କ ପାଇଁ ମାପକାଠି ରଖିବାକୁ ହେବ ଯେ, ସଫଳ ଓଡ଼ିଆ ହେବାକୁ ଚାହୁଁଥିଲେ ମଧୁବାବୁଙ୍କୁ ଅତିକ୍ରମ କରିବାକୁ ହେବ। ମଧୁବାବୁଙ୍କ ବଳିଦାନକୁ ନୂତନ ପିଢ଼ିଙ୍କୁ ଅବଗତ କରିବାକୁ ହେବ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାକୁ ଯିଏ ଯେତେ ଛୋଟ କରି କହିଲେ ବି ଆମେ କହିପାରିବା ଆମ ପାଖରେ ଶ୍ରୀ ଜଗନ୍ନାଥ ଅଛନ୍ତି। ଯାହା ଆମ ଜାତିକୁ ସବୁଠୁ ବଡ଼ ବୋଲି ପ୍ରମାଣିତ କରିପାରିବ।

ଏହି ଅବସରରେ ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ଦେଇଥିଲେ। ଆମ ଓଡ଼ିଶାର ସମ୍ପାଦକ (ପ୍ରକାଶନ) ଅସିତ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର