ଭିତର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ଉତ୍ତରଦାୟିତ୍ୱ ନେବାକୁ ପଛଘୁଞ୍ଚା

0 95

ଭୁବନେଶ୍ୱର/ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ମୂଳ ଚାବି କେଉଁଠି ରହିଲା? ଡୁପ୍ଲିକେଟ୍‌ ଚାବି ଭଳି ମୂଳ ଚାବିଟି ରେକର୍ଡ ରୁମ୍‌ରେ ରହିଛି ନା ଆଉ କେଉଁଠାରେ ରଖାଯାଇଛି? ପୁରୀ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ତନାଘନା ଚଳାଇଛନ୍ତି। ହେଲେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଚୁପ୍‌ ବସିଛି? ୧୯୮୩ ଓ ୧୯୮୫ ମସିହାରେ ଯେତେବେଳେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା, ସେ ସମୟର ପତ୍ରାଳାପର ଖୋଳତାଡ଼ କରାଗଲାଣି?

ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଏମିତି ଅନେକ ପ୍ରଶ୍ନ ଓ ସନ୍ଦେହ କ୍ରମଶଃ ଘନୀଭୂତ ହେଲାଣି। ବାସ୍ତବରେ ଚାବି ହଜିବାର ଉତ୍ତରଦାୟିତ୍ୱ କିଏ ମୁଣ୍ଡାଇବ ସେ ନେଇ ଛକାପଞ୍ଝା ଲାଗି ରହିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଯେତିକି ଅଧିକ ଖୋଳତାଡ କରାଯାଉଛି, ପ୍ରସଙ୍ଗଟି ସେତିକି ଜଟିଳ ହେବାରେ ଲାଗିଛି।

୧୯୮୫ ମସିହା ଜୁଲାଇ ୧୪ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ବିବରଣୀର କିଛି ଅଂଶ ‘ସମ୍ବାଦ’ର ହସ୍ତଗତ ହୋଇଛି। ଏଥିରେ ଲେଖାଯାଇଛି ଯେ ବଡ଼ ଠାକୁରଙ୍କ ଶିରରେ ଲାଗିଥିବା ଚିତା ବ୍ୟବହାର ଯୋଗ୍ୟ ନ ହେବାରୁ ଓଡ଼ିଶା ସରକାରଙ୍କ ବିଧି ବିଭାଗର ନିର୍ଦେଶ ମୁତାବକ, ଆଜି (୧୯୮୫ ମସିହା ଜୁଲାଇ ୧୪ ତାରିଖ) ଖୋଲାଗଲା। ୧୨ ଜଣ ସଭ୍ୟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଏକ ରତ୍ନଖଚିତ ଚିତା ବାହାର କରାଗଲା। ଏହାକୁ ବାହାର ରତ୍ନଭଣ୍ଡାରରେ ରଖାଗଲା। ସେ ସମୟରେ ପୁରୀ ବିଧାୟକ ବ୍ରଜ କିଶୋର ତ୍ରିପାଠୀ ରତ୍ନଭଣ୍ଡାର ଖୋଲିବା ସମୟରେ ଉପସ୍ଥିତ ନଥିଲେ। ଚିତାର ଓଜନ ୧୯ଭରି ୨ ଅଣା ୨ପଇସା ଥିବା ଦର୍ଶାଯାଇଛି। ଏହି ବିବରଣୀର ୬୯ ନମ୍ବର ପୃଷ୍ଠାରେ ଆହୁରି ଲେଖାଯାଇଛି ଯେ ଭିତର ରତ୍ନଭଣ୍ଡାରରୁ ରତ୍ନ ଚିତା ବାହାର କରାଯିବା ପରେ ପୂର୍ବଭଳି ତାଲା ଦ୍ୱାରା ଜଉମୁଦ ଦିଆଗଲା।

ଏଠାରେ ଉଲ୍ଲେଖଥାଉକି, ରତ୍ନଭଣ୍ଡାର ଖୋଲାଯିବା ସମୟରେ ଯେଉଁ ୧୨ ଜଣ ଉପସ୍ଥିତ ଥିଲେ, ସେମାନେ ହେଲେ ତତ୍କାଳୀନ ବିଧି ସଚେତକ ବିଶ୍ୱନାଥ ମିଶ୍ର, ଜିଲ୍ଲାପାଳଙ୍କ ପ୍ରତିିନିଧି ତଥା ଅତିରିକ୍ତ ଜିଲ୍ଲାପାଳ ମଦନମୋହନ ନନ୍ଦ, ପୁରୀ ଡିଏସ୍‌ପି ପଦ୍ମଚରଣ ମିଶ୍ର, ଶ୍ରୀମନ୍ଦିର ପ୍ରଶାସକ ଗୁରୁପ୍ରସାଦ ମହାନ୍ତି, ନରସିଂହ ଦାସ ମହାପାତ୍ର, ସହକାରୀ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର, ପୌଦ୍ଦାର କୃଷ୍ଣଚନ୍ଦ୍ର ସାହୁ, ନୀଳକଣ୍ଠ ମେକାପ, ଭିତରଛ ମଧୁସୂଦନ ମହାପାତ୍ର, କୈଳାଶ ଚନ୍ଦ୍ର ମହାନ୍ତି, ତଡଉକରଣ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଦେଉଳକରଣ ରାଧାମୋହନ ରାଉତରା। ତେବେ ଚାବି କାହାକୁ ଦିଆଗଲା ସେ ନେଇ କିଛି ଉଲ୍ଲେଖ ନାହିଁ।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି, ଜିଲ୍ଲାପାଳ ଯେଉଁ ଚାବି ପାଇଲେ, ତାହା ୧୯୭୮ ମସିହାରେ ରଖାଯାଇଥିଲା। ତା’ ପରେ ଦୁଇଥର ଶ୍ରୀମନ୍ଦିର ଖୋଲାଯାଇଛି। ଚାବି କେଉଁଠି ରଖାଯାଇଛି, ତାହା ରେକର୍ଡ ରୁମ୍‌କୁ ତନାଘନା କଲେ ହୁଏତ ମିଳିଯାଇପାରେ, କିନ୍ତୁ କଷ୍ଟସାଧ୍ୟ। ଏ କ୍ଷେତ୍ରରେ ଜିଲ୍ଲାପାଳଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ଏକ ବଡ଼ ଭୂମିକା ରହିଛି। କାରଣ, ଏଥର ଯେମିତି ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲାପାଳଙ୍କୁ ଚିଠି ଲେଖି ଚାବି ଟ୍ରେଜେରିରେ ଚାବି ଥିବା କଥା ସୂଚାଇଥିଲା ଓ ଖୋଜିବାକୁ କହିଥିଲା, ସେ ସମୟରେ ନିଶ୍ଚିତ ଜିଲ୍ଲାପାଳଙ୍କୁ ଚିଠି ହୋଇଥିବ ଓ ଯଦି ଟ୍ରେଜେରିରେ ନଥିବ, ତେବେ ସେ ସଂକ୍ରାନ୍ତରେ ପତ୍ରାଳାପ ହୋଇଥିବ। ସେଠାରୁ ହିଁ ସ୍ପଷ୍ଟ ଭାବେ ଜଣାପଡିବ ଯେ ୧୯୮୩ ଓ ୧୯୮୫ ମସିହାରେ ଚାବି କେଉଁଠାରୁ ଆସିଥିଲା। ଚାବି ଯେଉଁଠାରୁ ଆସିଥିବ, ସ୍ୱାଭାବିକ ଭାବେ ତତ୍କାଳୀନ ଜିଲ୍ଲାପାଳ ସେହିଠାରେ ହିଁ ରଖିଥିବେ। ଏ ତଥ୍ୟ ଶ୍ରୀମନ୍ଦିର ପ୍ରଶାସନର ବୈଠକ ବିବରଣୀ ଓ ଚିଠିକୁ ଖୋଳତାଡ କଲେ ଜଣାପଡିବ। ମାତ୍ର ଏତେ ବଡ଼ ସମ୍ବେଦନଶୀଳ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲାପାଳଙ୍କୁ ଚିଠି ଲେଖି ହାତ ବାନ୍ଧି ବସିଯିବା ବିସ୍ମୟକର।

୧୯୮୭ ମସିହାରେ ଶ୍ରୀମନ୍ଦିରର ଅନେକ ନଥି ରାଜ୍ୟ ଅଭିଲେଖାଗାରକୁ ପଠାଯାଇଛି। ହେଲେ ଏ ଯାଏ ଶ୍ରୀମନ୍ଦିର ପ୍ରଶାସନ ନା ଏ ନେଇ ମୁହଁ ଖୋଲୁଛି ନା ସେତେବେଳର ତଥ୍ୟ କେଉଁଠାରେ ଅଛି, ତାହାକୁ ନେଇ କେହି ଖୋଳତା଼ଡ଼ କରୁଛନ୍ତି।

ରତ୍ନଭଣ୍ଡାର ଚାବି ହଜିବା ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସମଗ୍ର ରାଜ୍ୟ ଉଠୁଛି ପଡୁଛି। ପ୍ରତି ଘରେ ଘରେ ଏ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଛି ଓ ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ, ରାଜନୈତିକ ଦଳମାନେ ମଧ୍ୟ ବୟାନ ବାଜି ଜାରି ରଖିଛନ୍ତି। ଏହିଭଳି ଏକ ପ୍ରସଙ୍ଗରେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ବା ପୁରୀ ଜିଲ୍ଲା ପ୍ରଶାସନ ଯେଭଳି ତତ୍ପରତା ଦେଖାଇବା କଥା ଦେଖାଉନାହାନ୍ତି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ବୈଠକ ଡାକି ଏ ସଂପର୍କରେ ଅଧିକ ତନାଘନା କରିବା ଲାଗି କାହିଁକି ଆଗ୍ରହ ଦେଖାଉନାହାନ୍ତି। ଚାବି ହଜିବା ଘଟଣାର ଉତ୍ତରଦାୟିତ୍ୱଟି ତେବେ କାହାର?

ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ସହିତ ରେକର୍ଡ ରୁମ୍‌ର ସଂପର୍କ ରହିଛି। କେବଳ ସେତିକି ନୁହେଁ, ଓଡ଼଼ିଶା ଟ୍ରେଜେରି କୋର୍ଡ ଅନୁସାରେ, ଡୁପ୍ଲିକେଟ୍‌ ଚାବି ମାନେ ନକଲି ନୁହେଁ, ବରଂ ଦ୍ୱିତୀୟ ସେଟ୍‌ ଚାବି ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ହେଲେ ଦ୍ୱିତୀୟ ସେଟ୍‌ ଚାବି ସଂପର୍କରେ କେଉଁଠାରେ ବି କାହିଁକି ଉଲ୍ଲେଖ କରାଯାଇନାହିଁ, ତାହା ହିଁ ସମସ୍ତଙ୍କୁ ଅଧିକ ବିସ୍ମିତ କରୁଛି।

ସେହିଭଳି ଏହି ଘଟଣାଟି ରାଜ୍ୟ ସରକାରଙ୍କ ତଥାକଥିତ ବଡ଼ ବାବୁମାନଙ୍କ ମୁଖା ଖୋଲି ଦେଇଛି। ବିଭିନ୍ନ ସମୟରେ ନିଯୁକ୍ତି ପାଇଥିବା ଜିଲ୍ଲାପାଳ ହୁଅନ୍ତୁ କିମ୍ବା ମୁଖ୍ୟ ପ୍ରଶାସକ ସରକାରୀ ରେକର୍ଡ ରଖିବାରେ ଧ୍ୟାନ ଦେଉନାହାନ୍ତି, ଏକଥା ପ୍ରମାଣିତ ହୋଇଛି। ଏଥିସହିତ ପ୍ରଶାସନିକ କାର୍ଯ୍ୟରେ ସେମାନଙ୍କ ଦାୟିତ୍ୱହୀନତା ଆଡକୁ ମଧ୍ୟ ଅଙ୍ଗୁଳି ଉଠିଛି।

ଯହି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ସଂପର୍କିତ ରେକର୍ଡକୁ ଠିକ୍‌ ଭାବେ ରଖାଯାଇପାରୁନି, ମହାପ୍ରଭୁଙ୍କ ବାକି ସଂପତି ଓ ଜମି ଜମା କାଗଜପତ୍ର, ଗୁରୁତ୍ୱପୂର୍ଣ୍ଣ ଦଲିଲର ଭାଗ୍ୟ କଣ ହୋଇଥିବ, ତାହା ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.