ମହାପ୍ରସାଦର ଜିଆଇ ଟ୍ୟାଗ୍‌ ଦରକାର ନାହିଁ

ଭୁବନେଶ୍ୱର : ଜଗତର ନାଥ ଜଗନ୍ନାଥ କେବଳ ଶ୍ରୀକ୍ଷେତ୍ର ଧାମରେ ବିରାଜିତ। ତାଙ୍କର ପ୍ରସାଦ ହିଁ ମହାପ୍ରସାଦ। ପ୍ରାଚୀନ କାଳରୁ ସର୍ବଭାରତୀୟ ସ୍ତରରେ ଏହା ସ୍ୱୀକୃତ ହୋଇଛି। ତେଣୁ ମହାପ୍ରସାଦର ଜିଆଇ ଟ୍ୟାଗ୍‌ ଦରକାର ନାହିଁ। ଏମିତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନ କରିଥିଲେ। ତାଙ୍କର ପ୍ରଶ୍ନ ଥିଲା, ପଶ୍ଚିମବଙ୍ଗର ବାଂଲା ରସଗୋଲ୍ଲା ଭୌଗଳିକ ମାନ୍ୟତା ପାଇବା ପରି ଜଗତର ନାଥ ଜଗନ୍ନାଥଙ୍କ ମହାପ୍ରସାଦକୁ ଅନ୍ୟ କେହି ରାଜ୍ୟ ଯେପରି ଜିଆଇ ମାନ୍ୟତା ହାସଲ ନ କରନ୍ତି ଏବଂ ଆମ ରାଜ୍ୟ କିପରି ଜିଆଇ ମାନ୍ୟତା ପାଇବ, ସେଥି ପ୍ରତି ପଦକ୍ଷେପ ନେବେ କି?

ମନ୍ତ୍ରୀ ଶ୍ରୀ ଜେନାଙ୍କ ଉତ୍ତର ଥିଲା, ମହାପ୍ରସାଦର ମହାନତା ଅପରିସୀମ ଓ ବର୍ଣ୍ଣନାତୀତ। ସ୍କନ୍ଦ ପୁରାଣରେ ଉତ୍କଳଖଣ୍ଡ ସମେତ ୨୮ଟି ପ୍ରାଚୀନ ସଂସ୍କୃତ ଶାସ୍ତ୍ରରେ ପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ମହତ୍ତ୍ୱ ଦିଆଯାଇ ବର୍ଣ୍ଣନା କରାଯାଇଛି। ଭାରତରେ ଏ ପର୍ଯ୍ୟନ୍ତ କୌଣସି ବିଷ୍ଣୁମନ୍ଦିରର ପ୍ରସାଦକୁ ମହାପ୍ରସାଦ କୁହାଯିବାର ଶାସ୍ତ୍ରୀୟ ବର୍ଣ୍ଣନା ନାହିଁ। କୌଣସି ଦେବତାଙ୍କ ପ୍ରସାଦର ବର୍ଣ୍ଣନା ଏତେ ସଂଖ୍ୟକ ପ୍ରାଚୀନ ପୋଥି ଓ ଗ୍ରନ୍ଥରେ ଦେଖାଯାଏ ନାହିଁ। ଏହା କେବଳ ଶ୍ରୀକ୍ଷେତ୍ର, ପୁରୀ ଧାମରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଉପଲବ୍ଧ ହେଉଥିବାରୁ ଏବଂ ପ୍ରାଚୀନ କାଳରୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତ ହୋଇଥିବାରୁ ଅନ୍ୟ କୌଣସି ରାଜ୍ୟ ମହାପ୍ରସାଦକୁ ନେଇ ଜିଆଇ ମାନ୍ୟତା ହାସଲ କରିବାର ପ୍ରଶ୍ନ ଉଠୁନି।

ସମ୍ବନ୍ଧିତ ଖବର