ଶୌଚ ପାଇଁ ଯାଇଥିଲେ, ହାତୀ ହାବୁଡ଼ରେ ପଡ଼ି ଜଣେ ମୃତ; ଦୁଇ ବର୍ତ୍ତିଲେ

ତିଗିରିଆ : ହାତୀ ଆକ୍ରମଣରେ ତିଗିରିଆ ବ୍ଲକ ଅଚଳକୋଟ ପଞ୍ଚାୟତର ହରିଡାପସି ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଶରତ ବେହେରା (୪୫)। ସେ ନିକଟସ୍ଥ ଶବର ସାହିକୁ ଆଜି ସକାଳେ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ ସହିତ ଯାଇଥିବା ଅନ୍ୟ ଦୁଇ ଜଣ ଶରତ ବେହେରା(କାଳିଆ) ଓ ବନମାଳୀ ପ୍ରଧାନ କିନ୍ତୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତିନିଟି ହାତୀ ସେମାନଙ୍କୁ ଗୋଡ଼ାଇବାରୁ କାଳିଆ ଓ ବନମାଳୀ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ। ମାତ୍ର ଶରତଙ୍କ ଆଣ୍ଠୁ ସମସ୍ୟା ଯୋଗୁ ସେ ଦୌଡ଼ି ପାରିନଥିଲେ। ହାତୀ ତାଙ୍କୁ ଅତି ବୀଭତ୍ସ ଭାବେ ଆକ୍ରମଣ କରି ମୁଣ୍ଡ-ଗଣ୍ଡି ଅଲଗା କରିଦେଇଥିଲା। ଖବର ପାଇ ଗ୍ରାମବାସୀ ଓ ଅଚଳକୋଟ ସରପଞ୍ଚ ଗୌରହରି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିବା ପରେ ଶରତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି, ତିଗିରିଆ ଫରେଷ୍ଟର, ରେଞ୍ଜର ସେଠାରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ପରିସ୍ଥିତି ଅଧିକ ବିଡ଼ିଡ଼ିଯିବାରୁ ତିଗିରିଆ ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା।

ଅନ୍ୟପକ୍ଷରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଆଠଗଡ ବ୍ଲକ୍‌ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ, ଅଜିତ ଧୀର, ଅଶୋକ ରାଉତ ଓ ଧନେଶ୍ୱର ରଣା ପ୍ରମୁଖ ମୃତ ଶରତଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବନ ବିଭାଗ ତରଫରୁ ମୃତକଙ୍କ ପତ୍ନୀକୁ ୪୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ସହ ରେଡକ୍ରସ ଓ ଅନ୍ୟାନ୍ୟ ସରକାରୀ ସହାୟତା ଏବଂ ପରିବାରରୁ ଜଣଙ୍କୁ ଚାକିରି ଶୀଘ୍ର ଯୋଗାଇ ଦିଆଯିବ ବୋଲି ରେଞ୍ଜର ପ୍ରତିଶ୍ରୁତି ଦେଇଥିଲେ। ଶରତଙ୍କ ଅକାଳ ମୃତ୍ୟୁରେ ତିଗିରିଆ ବ୍ଲକ ଅଧ୍ୟକ୍ଷା ରୂପା ଦଳେଇ, ଅଚଳକୋଟ ସରପଞ୍ଚ ଗୌରହରି ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥି ନନ୍ଦ, ଉପାଧ୍ୟକ୍ଷ ଗୌରହରି ପରିଡା, ଆତ୍ମା ସଭାପତି ହରେନ୍ଦ୍ର ଦଳେଇ ଶୋକପ୍ରକାଶ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର