ଟାଟା ପାୱାର ହାତକୁ ଗଲା ସେସୁ ପରିଚାଳନା ଭାର, ୫୧% ଅଂଶଧନ ଅଧିକାର କରିବ ଟାଟା

ଭୁବନେଶ୍ବର : ଟାଟା ପାୱାର କମ୍ପାନି ଆସନ୍ତା ଜୁନ ୧ରୁ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଇ (ସେସୁ)ର ପରିଚାଳନା ଭାର ଗ୍ରହଣ କରିବ । ଟାଟା ପାୱାର ସେସୁ ପରିଚାଳନାର ୫୧ ପ୍ରତିଶତ ଅଂଶଧନ ଗ୍ରହଣ କରିବ ଓ ଅବଶିଷ୍ଟ ୪୯ ପ୍ରତିଶତ ଗ୍ରିଡକୋ ହାତରେ ରହିବ । ଏହା ପରେ ସେସୁର ନୂଆ ନାଁ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁସନ ଲିଃ (ଟିପିସିଓଡିଏଲ) ।

ଗତ ବର୍ଷ ଡିସେମ୍ବର ୧୨ରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଟାଟା ପାୱାରକୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରିଥିଲା । ତେବେ ନିକଟରେ ୧୭୫ କୋଟି ବିନିମୟରେ ଟାଟା ପାୱାରକୁ ଭେଷ୍ଟିଂ ଅର୍ଡର ଦିଆଯାଇଛି । ଟାଟା ପାୱାର ସେସୁ ପରିଚାଳନାର ୫୧ ପ୍ରତିଶତ ଅଂଶଧନ ଗ୍ରହଣ କରିବ ଓ ଅବଶିଷ୍ଟ ୪୯ ପ୍ରତିଶତ ଗ୍ରିଡକୋ ହାତରେ ରହିବ ବୋଲି ଓଇଆରସି ନିର୍ଦ୍ଦେଶକ(ନିୟାମକ ବ୍ୟାପାର) ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି ଯେ ଟାଟା ପାୱାର ୧୫୦ କୋଟିର ଏକ ପର୍ଫମାନ୍ସ ଗ୍ୟାରେଣ୍ଟି ପ୍ରଦାନ କରିବାକୁ ଓ ଗ୍ରୀଡକୋ ପକ୍ଷରେ ଏକ ଲେଟର ଅଫ କ୍ରେଡିଟ ଦେବାକୁ ରାଜି ହୋଇଛି । ବିଦ୍ୟୁତ ପରିବହନ ଓ ବିତରଣ ଜନିତ ଅପଚୟ ଘଟାଇବାକୁ ଟାଟା ପାୱାର ଗ୍ୟାରେଣ୍ଟି ଦେଇଛି ଓ ଏପରି ନକଲେ ପର୍ଫମାନ୍ସ ଗ୍ୟାରେଣ୍ଟି କୁ ଲାଗୁ କରାଯିବ ।

ଟାଟା ପାୱାର ୨୫ ବର୍ଷ ପାଇଁ ସେସୁ ଅଧିନରେ ଆସୁଥିବା ୫ଟି ସର୍କଲ ଭୁବନେଶ୍ବର (ସର୍କଲ୧ ଓ ୨), କଟକ, ପାରାଦୀପ ଓ ଢେଙ୍କାନାଳ ଲାଗି ବିତରଣ ଓ ଖୁଚୁରା ଯୋଗାଣ (ରିଟେଲ ସପ୍ଲାଇ) ଲାଇସେନ୍ସ ପାଇଛି । ସେସୁର ଏବେ ପ୍ରାୟ ୨.୭ ନିୟୁତ ଗ୍ରାହକ ଅଛନ୍ତି ।

ସେସୁର ଏବେ ପ୍ରାୟ ୧୮ ଶହ କୋଟିର ବକେୟା ଥିବାବେଳେ ହୋଇଥିବା ରାଜିନାମା ଅନୁସାରେ ଟାଟା ପାୱାର ଗ୍ରାହକଙ୍କ ଠାରୁ ପ୍ରାୟ ୨୦୦ କୋଟିର ବକେୟା ଆଦାୟ କରିବ । ଏହା ସହିତ ଭିତ୍ତିଭୂମି ବିକାଶ ପାଇଁ ଟାଟା ପାୱାର ଆସନ୍ତା ୫ ବର୍ଷରେ ପ୍ରାୟ ୧୫୪୧  କୋଟି ନିବେଶ କରିବ । ଆହୁରି ମଧ୍ୟ ସେସୁର ସମସ୍ତ କର୍ମଚାରୀଙ୍କୁ ଟାଟା ପାୱାର ବଜାୟ ରଖିବ ।

ସମ୍ବନ୍ଧିତ ଖବର