ଦାରିଦ୍ର୍ୟ ପାଇଁ ‘ଉଜ୍ଜଳା’ ବିକଳାଙ୍ଗ : ସାହୁକାର ଘରେ ସିଲିଣ୍ଡର ବିକ୍ରି

ରି-ଫିଲିଂକୁ ଟଙ୍କା ନାହିଁ, ସିଲିଣ୍ଡର ଦେଇ ପୁରୁଣା ବାକି ଶୁଝିଲେ

ବଅଁରପାଳ : ଦୋକାନରୁ ୫୨୦ଟଙ୍କାରେ ତେଜରାତି ଜିନିଷ କିଣିଥିଲେ ଅନାମ ଗୋଚ୍ଛାୟତ(ଛଦ୍ମନାମ)। ବାକି ଶୁଝି ପାରିଲେନି। ଦୋକାନୀ ଦାଉରୁ ବର୍ତ୍ତିବା ପାଇଁ ଶେଷରେ ଘରେ ଖାଲି ଗଡ଼ୁଥିବା ଉଜ୍ଜଳା ଗ୍ୟାସ୍‌ ସିଲିଣ୍ଡରକୁ ୮ଶହ ଟଙ୍କାରେ ଦୋକାନିକୁ ବିକ୍ରି କରିଦେଲେ। ଅନାମଙ୍କ ଭଳି ସମାନ ପରିସ୍ଥିତିରେ ନିଜ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ହୋଟେଲ୍‌ ହାତକୁ ଟେକିଦେଲେ ସଜନ ଗୋଚ୍ଛାୟତ(ଛଦ୍ମନାମ)। ୧୨ଶହ ଟଙ୍କାର ସିଲିଣ୍ଡର ପଇସା ଆଣି ଘର ଚଳାଇଥିଲେ। ଇଏ ହେଉଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ମହୀଧରପୁର ପଞ୍ଚାୟତ ଗୋଚ୍ଛାୟତ ସାହିର ବିକଳ ଚିତ୍ର, ଯେଉଁଠି ଦାରିଦ୍ର୍ୟ ପାଇଁ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ଆରମ୍ଭରୁ ବିକଳାଙ୍ଗ ହୋଇ ପଡ଼ିଛି।

ସରକାରୀ ତଥ୍ୟ ମୁତାବକ, ମହୀଧରପୁର ଏସ୍‌ସି, ଏସ୍‌ଟି ବିପିଏଲ୍‌ ବର୍ଗର ୪୮୫ଜଣ ହିତାଧିକାରୀଙ୍କୁ ଉଜ୍ଜଳା ଯୋଜନା ଆରମ୍ଭ ସମୟରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ସହିତ ଚୁହ୍ଲା ଯୋଗାଇଥିଲେ। ଗରିବ ପରିବାର ଖଟିଲେ, ଖାଆନ୍ତି। ସରକାରଙ୍କ ପକ୍ଷରୁ ମାଗଣା ଗ୍ୟାସ୍‌ ପ୍ରଥମେ ପାଇଲା ପରେ ଆଦରର ସହିତ ବେଶ୍‌ କିଛି ମାସ ସେଥିରେ ରୋଷେଇ କରିଥିଲେ। କାଠଚୁଲି ଓ ଧୂଳି ଧୂଆଁରୁ ଗରିବ ମହିଳାଙ୍କୁ ବେଶ୍‌ କିଛି ଦିନ ମୁକ୍ତି ମିଳିଥିଲା। କେନ୍ଦ୍ର ସରକାରଙ୍କ ‘ସ୍ବଚ୍ଛ ଇନ୍ଧନ, ସ୍ବଚ୍ଛ ଜୀବନ’ ଏବଂ ମହିଳାଙ୍କୁ ସମ୍ମାନ ନାରା ସତେ ଯେମିତି ମହୀଧରପୁର ପଞ୍ଚାୟତର ଏହି ଗୋଚ୍ଛାୟତ ସାହିରେ ସଫଳ ରୂପ ନେଇଥିଲା।

କିନ୍ତୁ, ସିଲିଣ୍ଡରରୁ ମାଗଣା ଗ୍ୟାସ୍‌ ସରିଯିବା ପରେ ମହୀଧରପୁର ଗାଁ ମହିଳାଙ୍କ ସ୍ବଚ୍ଛ ଜୀବନ ପୁଣି ଚୁଲି ଧୂଆଁ ଭିତରେ ରୁନ୍ଧି ହୋଇଯାଇଛି। ଟଙ୍କାକିଆ ଚାଉଳରେ ଜୀବନ କଟୁଥିବା ଗରିବ ପରିବାର ପାଇଁ ୬ଶହ ଟଙ୍କା ଦେଇ ସିଲିଣ୍ଡରରେ ଗ୍ୟାସ୍‌ ଭର୍ତ୍ତି କରିବାକୁ ନିଜର ଦୁର୍ବଳ ଆର୍ଥିକ ସ୍ଥିତି ସହଯୋଗ କରୁ ନାହିଁ। ଦାରିଦ୍ର୍ୟ ଏବଂ ସଚେତନତାର ଅଭାବ ପାଇଁ ମହୀଧରପୁର ଗାଁର ଏହି ଗରିବ ମହିଳାମାନେ ପୁଣି କାଠ, କୋଇଲା ନିଆଁ, ଧୂଆଁ ସହ ରୁନ୍ଧି ହେବାକୁ ବାଧ୍ୟ ହୋଇଛନ୍ତି। ୪୮୫ଉପଭୋକ୍ତାଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ଘରେ କେବଳ ଏହି କାରଣରୁ ଗ୍ୟାସ୍‌ ଆଜି ଉଭାନ ହୋଇଯାଇଛି। ପ୍ରକୃତରେ କେତେ ସିଲିଣ୍ଡର କାହାକୁ ବିକ୍ରି ଓ ବନ୍ଧା ଦିଆଯାଇଛି ତାର ବିଧିବଦ୍ଧ ତଦନ୍ତ ହେଲେ ଉଜ୍ଜଳା ଯୋଜନାର ଅସଲ ଚିତ୍ର ପଦାକୁ ଆସିପାରିବ ।

ସମ୍ବନ୍ଧିତ ଖବର