ଜବତ କାଠରେ ପୁଲିସବାବୁଙ୍କ ଝିଅ ବାହାଘର ପାଇଁ ପ୍ରସ୍ତୁତି : ଥାନା ଭିତରେ ଚାଲିଛି ଖଟ ତିଆରି

ବାଂଶପାଳ : କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବାରାକ୍‌ ଭିତରେ ଚୋରାକାଠରେ ତିଆରି ଚାଲିଛି ‌ପଲଙ୍କ। ଅତ୍ୟନ୍ତ ସତର୍କତାର ସହିତ ଭିତରୁ କବାଟ ଦେଇ ବଢ଼େଇ କାଠ କାମ କରୁଛି। ବେପାରୀଙ୍କଠାରୁ ଜବତ କାଠରେ ପୁଲିସବାବୁ ଝିଅ ବାହାଘର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏମିତି କାରନାମା ଆଜି ସାମନାକୁ ଆସିଛି। ଏକଥାକୁ ଖୋଦ୍‌ ଥାନା ଆଇଆଇସି ବିଦେଶୀ ବାଗ ମଧ୍ୟ ସ୍ବୀକାର କରିଛନ୍ତି। ତାଙ୍କ କହିବା କଥା ଏହି ଥାନାରେ ଏହା ପୂର୍ବରୁ ଥିବା ପୁଲିସ କର୍ମଚାରୀ ଓ ଅଧିକାରୀ ମଧ୍ୟ ଏମିତି କାଠ ଉପକରଣ ତିଆରି କରି ନିଜିନିଜ ଘରକୁ ନେଇଛନ୍ତି। ସେ ଆମ ପ୍ରତିନିଧିଙ୍କୁ ‘ଆପଣଙ୍କ ପାଖରେ ଯେମିତି କଣ୍ଟା ଅଛି, ଆମ ପାଖରେ ବି ସେମିତି କଣ୍ଟା ରହିଛି’ କହି ପାଲଟା ଧମକ ଦେଇଛନ୍ତି। ଆପଣ ଯାହା କରିବା କଥା କରନ୍ତୁ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଏଥିସହ ନିଜ ଝିଅ ବାହାଘର ନିମନ୍ତେ ଖଟ ତିଆରି କରାଯାଉଥିବା ସ୍ପଷ୍ଟ କରିଛନ୍ତି।

ଜଙ୍ଗଲ ଘେରା ବାଂଶପାଳ ବ୍ଲକ ନୟାକୋଟ ଥାନା ପୁଲିସ ଅନେକ ସମୟରେ ମୂଲ୍ୟବାନ ଶାଳ, ପିଆଶାଳ କାଠ ଜବତ କରିଥାଏ। ସେହି ଚୋରା କାଠକୁ ପୁଲିସ ସରକାରୀ ଭାବେ ଫାଇଲରେ ନଦର୍ଶାଇ ନିଜନିଜ ପାଇଁ ଦାମୀ ଉପକରଣ ତିଆରି କରି ନେଇଯାଇଥାନ୍ତି। ଏ ବିଷୟରେ ବହୁଦିନରୁ ଶୁଣିବାକୁ ମିଳୁଥିଲା। ଆଜି ଜନତା କର୍ଫ୍ୟୁ ସମୟରେ ଆମ ପ୍ରତିନିଧି ବାରାକ ଭିତରକୁ ଯିବାରୁ କାଠ କାମ ଚାଲିଥିବା ଶବ୍ଦ ଶୁଣାଯାଇଥିଲା। ଭିତରେ ଯାଇ ଦେଖିବାରେ ଏକ କୋଠରିରେ କବାଟ ଦେଇ ଜଣେ କାରିଗର ପିଆଶାଳ କାଠରେ ଦୁଇଟି ପଲଙ୍କ ତିଆରି କରୁଥିଲେ। ଡାକିବାରୁ କବାଟ ଖୋଲିଥିଲେ। କାମ ପ୍ରାୟ ସରିବା ଉପରେ ଥିବା ଦେଖିବାକୁ ମିଳିଥିଲା। ମିସ୍ତ୍ରିଜଣକ ଆନନ୍ଦପୁର ଅଞ୍ଚଳର। ପଚାରିବାରୁ ଏହା ପୁଲିସବାବୁଙ୍କର କାମ ବୋଲି କହି କବାଟ ଦେଇ ଫୋନ କରିବାକୁ ଧାଇଁ ପଳାଇଥିଲେ। ନିର୍ମିତ ଖଟର ମୂଲ୍ୟ ପାଖାପାଖି ଦେଢ଼ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବାରାକ୍‌ ଭିତରେ ଅନ୍ୟ ଏକ ବନ୍ଦ କୋଠରିରେ ଶତାଧିକ ପିଆଶାଳ କାଠପଟା ଥିବା ଦେଖିବାକୁ ମିଳିଛି। ଏହାର କିଛି ସମୟ‌ ପରେ ଥାନା ଆଇଆଇସି ଆମ ପ୍ରତିନିଧିଙ୍କୁ ଫୋନ କରି ଧମକାଇଥିଲେ।

ସମ୍ବନ୍ଧିତ ଖବର