ନୂଆଦିଲ୍ଲୀ: ଭାରତକୁ ଘେରିବାକୁ ଚୀନ ଭାରତ ମହାସାଗରୀୟ ଅଂଚଳରେ ନିଜର ସାମରିକ ଘାଟି ସଂଖ୍ୟା ବଢାଇଚାଲିଛି । ପାକିସ୍ତାନର ଗ୍ଵାଦର, ଶ୍ରୀଲଙ୍କାର ହମ୍ବନତୋଟା, ମାଳଦ୍ୱୀପ, ଉତ୍ତର-ପୂର୍ବ ଆଫ୍ରିକାର ଦିଜିବୋତି ଆଦି ସ୍ଥାନରେ ଚୀନ ନିଜର ଘାଟି ପ୍ରତିଷ୍ଠା କରିଛି । ଚୀନର ପ୍ରଭାବକୁ ରୋକିବାକୁ ଭାରତ ମଧ୍ୟ କେତୋଟି ଦେଶରେ ଘାଟି ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛି । ସେସବୁ ସ୍ଥାନ ହେଉଛି ଭାରତ ମହାସାଗରୀୟ ଦେଶ ସିସିଲ୍ସ ଓ ଉପସାଗରୀୟ ଦେଶ ଓମାନ । କିନ୍ତୁ ଆରମ୍ଭରୁ ହିଁ ଭାରତର ଏହି ଉଦ୍ୟମକୁ ଏକ ବଡ଼ ଧକ୍କା ଲାଗିଛି । ସିସିଲ୍ସରେ ପ୍ରତିଷ୍ଠା ହେବାକୁ ଥିବା ଭାରତର ସାମରିକ ଘାଟିକୁ ସ୍ଥାନୀୟ ଲୋକ ଓ ବିରୋଧୀ ଦଳ ଏଲଡିଏସ ପ୍ରବଳ ବିରୋଧ କରୁଛନ୍ତି । ଫଳରେ ଏହି ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି । ସିସିଲ୍ସର ମୁଖ୍ୟ ବିରୋଧୀ ଦଳ ଏଲଡିଏସର ସଂସଦରେ ସଂଖ୍ୟାଗରିଷ୍ଠତା ଅଛି । ତେବେ ପୂର୍ବରୁ ବିରୋଧୀ ଦଳ ଏହି ପ୍ରକଳ୍ପକୁ ସମର୍ଥନ କରୁଥିବାବେଳେ ଏବେ ପଛଘୁଞ୍ଚା ଦେବା ପଛରେ ଚୀନର ହାତ ଥିବା କୁହାଯାଉଛି । ଚୀନ ବିରୋଧୀ ଦଳଙ୍କୁ ପ୍ରଭାବିତ କରିଥିବା କୁହାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରକଳ୍ପ ପାଇଁ ମୂଳ ଚୁକ୍ତିନାମା ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିସିଲି ଗସ୍ତ ବେଳେ ସ୍ୱାକ୍ଷରିତ ହୋଇଥିଲା। ମାତ୍ର ସିସିଲିର ତତ୍କାଳୀନ ରାଷ୍ଟ୍ରପତି ଜେମ୍ସ ମାଇକେଲଙ୍କ ଯୋଗୁଁ ତାହା ତାଙ୍କ ସଂସଦରେ ଗୃହୀତ ହୋଇପାରିନଥିଲା। ଭାରତ ନିର୍ମାଣ କରିବାକୁ ଥିବା ଏହି ସାମରିକ ପ୍ରକଳ୍ପର ସ୍ୱତ୍ୱାଧିକାର ଏବଂ ସାର୍ବଭୌମତ୍ୱକୁ ନେଇ ସିସିଲିରେ ରାଜନୈତିକ ବାଦବିବାଦ ଉଠିଥିଲା। ତେବେ ଭାରତର ବିଦାୟୀ ବୈଦେଶିକ ସଚିବ ଜୟଶଙ୍କରଙ୍କ ଉଦ୍ୟମ ପରେ ଏଥିରେ କିଛି ସଂଶୋଧନ ଅଣାଯାଇ ତାହା ଉଭୟ ପକ୍ଷ ପାଇଁ ଗ୍ରହଣଯୋଗ୍ୟ ହୋଇପାରିଛି। ସିସିଲିର ଆଜମ୍ପ୍ସନ୍ ଦ୍ୱୀପରେ ଥିବା ଏୟାରଷ୍ଟ୍ରିପ୍ ଏବଂ ଜେଟିର ବିକାଶ, ପରିଚାଳନାଏବଂ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ଏହି ରାଜିନାମାର କାର୍ଯ୍ୟକାଳ ୨୦ ବର୍ଷ ଥିବା ବେଳେ ପରେ ତାହା ଆଉ ୧୦ ବର୍ଷ ପାଇଁ ନବୀକରଣ ହୋଇପାରିବ। ଏହି ରାଜିନାମା ଅନୁଯାୟୀ, ସଂପୃକ୍ତ ଇଲାକାରେ ଉଭୟ ଦେଶର ସହଯୋଗରେ ଜଳଦସ୍ୟୁ ବିରୋଧୀ କାର୍ଯ୍ୟାନୁଷ୍ଠାନ, ସମ୍ପ୍ରସାରିତ ସାମୁଦ୍ରିକ ସମ୍ବଳ ବିନିଯୋଗ ସମେତ ବେଆଇନ ମାଛଧରା, ଡ୍ରଗ୍ସ ଓ ମାନବ ଚାଲାଣ ରୋକିବା ଦିଗରେ ତତ୍କାଳ ପଦକ୍ଷେପ ନିଆଯାଇପାରିବ।