ଅତି ସହଜରେ ପରକୁ ଆପଣାର କରିପାରୁଥିବା ଅଦୃଶ୍ୟ ଉପାଦାନଟି ହେଉଛି ବନ୍ଧୁତା। ସୁଖରେ ହେଉ କି ଦୁଃଖରେ। ଅଝଟ ବେଳେ ହେଉ ଅବା ବିପଦରେ। ସବୁଠି ନିର୍ଦ୍ୱନ୍ଦ୍ୱରେ ଯଦି କାହାକୁ ପ୍ରଥମେ ଲୋଡ଼ିହୁଏ, ସେ ହେଉଛି ବନ୍ଧୁ। ସେ କାଳେ ଚେହେରା ପଢ଼ି ଦେଇପାରେ। ବିପଦ ଆସିଲେ ଲୁହ ପୋଛିବାକୁ ହାତଟିଏ ଓ ମୁଣ୍ଡ ରଖିବାକୁ କାନ୍ଧ ବଢ଼େଇଦିଏ। ଯୁବାବସ୍ଥାରେ ହେଉ ଅବା ବୟସର ଅପରାହ୍ଣରେ। କିଏ ଫିତା ବାନ୍ଧି ତ କିଏ ବୃକ୍ଷକୁ ବନ୍ଧୁ କରି ନିଆରା ଉଦାହରଣ ସୃଷ୍ଟି କରେ। ବନ୍ଧୁତାର ସତେ କେତେ ରୂପ, କେତେ କାହାଣୀ… ସସ୍ମିତା ସାହୁ, ସସ୍ମିତା ମଲ୍ଲ
Sambad is now on WhatsApp
Join and get latest news updates delivered to you via WhatsApp
ବୟସର ଅପରାହ୍ଣରେ ନୂଆ ସ୍ପର୍ଶ
କର୍ମମୟ ଜୀବନ ବ୍ୟସ୍ତବହୁଳ ଥାଏ। ଚାକିରି, ପରିବାରକୁ ନେଇ କର୍ତ୍ତବ୍ୟର ବୋଝ ମଣିଷକୁ ଭାରାକ୍ରାନ୍ତ କରିଦେଇଥାଏ। ସେତେବେଳେ ବନ୍ଧୁତା କହିଲେ କେବଳ ସହକର୍ମୀଙ୍କୁ ବୁଝାଏ। କାରଣ ଅନ୍ୟମାନଙ୍କ ପାଇଁ ସମୟ ବାହାରିବା କଷ୍ଟ ଥାଏ। ଏହି ଚିରାଚରିତ ରୁଟିନ୍ ଭିତରେ ବୟସ ଗଡ଼ିଚାଲେ।
ସମୟ ଆସେ ଓ କର୍ମମୟ ଜୀବନରୁ ଅବସର ନେବାକୁ ପଡ଼େ। ଆଉ ସହକର୍ମୀମାନେ ନିଜନିଜ ବାଟରେ ଅବଶିଷ୍ଟ ଜୀବନ କାଟିବାକୁ ବାଟ ଭାଙ୍ଗି ଚାଲିଯା’ନ୍ତି। ଜୀବନ ନିଃସଙ୍ଗ ଅନୁଭବ ହୁଏ। କିନ୍ତୁ ଏକ ନୂଆ ରୂପରେ ଲମ୍ବା ଜୀବନ ଆଗକୁ ପଡ଼ିଥାଏ। ସାଙ୍ଗରେ ଥା’ନ୍ତି କେବଳ ପରିବାର ସଦସ୍ୟ। ସେତେବେଳେ ସାଙ୍ଗସାଥୀଙ୍କ ସହ କିଛି ସମୟ ଅତିବାହିତ କରିବାକୁ ମନ ବ୍ୟସ୍ତ ହୋଇପଡ଼େ। ସେହି ସମୟରେ ଏମିତି ବନ୍ଧୁ ଖୋଜାଯାଏ, ଯିଏ କି ଜୀବନର ଶେଷ ପର୍ଯ୍ୟନ୍ତ ହାତ ଛାଡ଼ିବନି।
ବୟସର ଅପରାହ୍ଣରେ ବନ୍ଧୁତା ସୃଷ୍ଟି ହେବାର ଅନେକ ଉଦାହରଣ କେବଳ ସହରୀ ଜୀବନରେ ହିଁ ଦେଖିବାକୁ ମିଳୁଛି। କାରଣ ସହରୀ ଜୀବନର ଧାଁ ଧଉଡ଼ ଭିତରେ ସେହିମାନେ ହିଁ ନିଃସଙ୍ଗ ଅନୁଭବ କରନ୍ତି। ଖାସ୍ ସେଥି ପାଇଁ ଭୁବନେଶ୍ୱରର ବିଭିନ୍ନ ଆବାସିକ ଅଞ୍ଚଳ, କଲୋନି, ଆପାର୍ଟମେଣ୍ଟ୍ରେ ବରିଷ୍ଠ ନାଗରିକମାନଙ୍କ ନିବିଡ଼ ବନ୍ଧୁତା ଦେଖିବାକୁ ମିଳୁଛି। ସକାଳେ ଓ ସଞ୍ଜରେ ସେମାନେ ଏକାଠି ହୋଇ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବାର ଦୃଶ୍ୟ ନିଶ୍ଚିତ ନିଆରା। ସେମାନଙ୍କୁ ଦେଖିଲେ ଅନୁଭବ କରିହୁଏ ଯେ ବୟସର ଅପରାହ୍ଣରେ ପହଞ୍ଚିଥିଲେ ବି ସେମାନଙ୍କ ବନ୍ଧୁତା ହିଁ ଜୀବନକୁ ଆହୁରି ଉପଭୋଗ କରିବାକୁ ସୁଯୋଗ ଦେଇଛି। ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏମିତି ସବୁଦିନେ ଦେଖିବାକୁ ମିଳେ କିଛି ବୟସ୍କ ଲୋକଙ୍କ ଖଟି। କିଏ ନିଜ କର୍ମମୟ ଜୀବନର ଅଭୁଲା ସ୍ମୃତିକୁ ବାଣ୍ଟେ ତ କିଏ ପରିବାର ସହ ବିତାଉଥିବା ଅନୁଭୂତି କୁହେ। ସକାଳର ଚା’ ବିନା ଯେମିତି ରହି ହେବନି, ସେମିତି ଆମ୍ଭେମାନେ ଅପରାହ୍ଣରେ ଏକାଠି ନବସି ରହିପାରିବୁ ନାହିଁ ବୋଲି ବହୁ ସଦସ୍ୟ କହିଛନ୍ତି। ଖଟିର ସଦସ୍ୟ ଆର୍ତ୍ତତ୍ରାଣ ପଣ୍ଡା କୁହନ୍ତି, ସରକାରୀ ଚାକିରିରୁ ଅବସର ନେଲା ପରେ ଘର ଓ ବନ୍ଧୁବାନ୍ଧବଙ୍କ ଭିତରେ ସୀମିତ ରହିବାକୁ ପଡ଼ୁଥିଲା। ଘରେ ବସି ସମୟ କଟୁ ନ ଥିବା ବେଳେ ସନ୍ଧ୍ୟାରେ ମୁକ୍ତେଶ୍ୱର ମନ୍ଦିର ଆଡ଼େ ଯିବାକୁ ଆରମ୍ଭ କଲି। ସେଠାରେ ମୋ ପରି କିଛି ବନ୍ଧୁଙ୍କୁ ପାଇଲି ଓ ଆରମ୍ଭ ହେଲା ଆମ ବନ୍ଧୁତା। ଏହା ଭିତରେ ୧୦ ବର୍ଷ ବିତିଗଲାଣି, କିନ୍ତୁ ସଜଫୁଟା ଫୁଲ ପରି ଆମର ଏହି ବନ୍ଧୁତା ଅତୁଟ ରହିଛି।
ସେହିପରି ସହିଦ ନଗର ଇମ୍ଫା ପାର୍କରେ ମର୍ଣ୍ଣିଂ ଓ୍ଵାକ୍କୁ ଆସି ବେଶ୍ ବନ୍ଧୁତା ଜମାଇଛନ୍ତି କିଛି ବରିଷ୍ଠ ନାଗରିକ। ୧୦ ରୁ ୧୨ ଜଣ ସାଙ୍ଗ କିଛି ବର୍ଷ ହେବ ପ୍ରତ୍ୟେକ ଦିନ ଏଠାକୁ ଆସି ଗପସପ କଲା ପରେ ନିଜ ଦିନ ଆରମ୍ଭ କରନ୍ତି। ସେମାନଙ୍କ କହିବା ଅନୁଯାୟୀ ଆମ୍ଭମାନଙ୍କ ଭିତରେ ଏପରି ଘନିଷ୍ଠତା ହୋଇଯାଇଛି ଯେ ଯଦି ଆମ ଭିତରୁ ଖଟିକୁ ଗୋଟିଏ ଦିନ କିଏ ଆସିବା ବନ୍ଦ କରିଦେଇଥାଏ, ଦିନ ଯାକ ଭାରି ଅସ୍ତବ୍ୟସ୍ତ ଲାଗେ। ସେହି ଖଟିର ବିଦ୍ୟାଧର ନାୟକ କୁହନ୍ତି, ଆମ ବନ୍ଧୁମାନଙ୍କ ଭିତରୁ ଜଣେ ଆମେରିକା ଯାଇଛନ୍ତି, ଆମେ ତାଙ୍କୁ ବହୁତ ମନେ ପକାଉଛୁ। ଆମ ପାଇଁ ବନ୍ଧୁତ୍ୱ ଦିବସର କିଛି ମାନେ ନ ଥାଏ। ଭଲ ସାଙ୍ଗ ମିଳିଗଲେ ସବୁ ଦିନ ବନ୍ଧୁତ୍ୱ ଦିବସ ପରି ମନେ ହୁଏ।
ସଂଘର୍ଷ ସରିଛି, ବନ୍ଧୁତା ବଞ୍ଚିଛି
ବନ୍ଧୁତ୍ୱ। ଏମିତି ସେମିତି ବନ୍ଧୁତ୍ୱ ନୁହେଁ। ବନ୍ଧୁତ୍ୱ ସଂଘର୍ଷ ବେଳର। ନା ପିଲା ବେଳର ନା ପାଠ ପଢ଼ା ବେଳର। ଏହି ବନ୍ଧୁତ୍ୱ ନିଜ ଗୋଡ଼ରେ ଛିଡ଼ା ହୋଇ ସମାଜରେ ପ୍ରତିଷ୍ଠିତ ହେବା ଓ ପେଟ ପାଇଁ ଦାନା ଯୋଗାଡ଼ ପାଇଁ ପ୍ରସ୍ତୁତି ବେଳର ବନ୍ଧୁତ୍ୱ। ଏବେ ସଂଘର୍ଷ ସରିଯାଇଛି ସତ। କିନ୍ତୁ ବନ୍ଧୁତ୍ୱ ଛିଡ଼ିନି। ସେମିତି ଅତୁଟ ଅଛି। ଖାସ୍ ସେଇଥି ପାଇଁ ତ’ ଅନୁଗୁଳ, ମୟୂରଭଞ୍ଜ, କଟକ, ବାଲେଶ୍ୱର ଆଦି ବିଭିନ୍ନ ଅଞ୍ଚଳରୁ ସେମାନେ ଦଉଡ଼ି ଆସନ୍ତି ଭୁବନେଶ୍ୱରକୁ ବନ୍ଧୁମିଳନ ପାଇଁ।
ଚାକିରି ଖଣ୍ଡେ ପାଇଁ ଯେତେବେଳେ ସେମାନେ ସଂଘର୍ଷ କରୁଥିଲେ, ସେତେବେଳେ ହିଁ ଏକାଠି ହୋଇଥିଲେ। ଆଉ ସେହି ସମୟରେ ସେମାନଙ୍କ ମିଳନର ସ୍ଥାନ ହୋଇଥିଲା ରାଜ୍ୟ ଗ୍ରନ୍ଥାଗାରର ପାଠାଶାଳା। ସେହିଠାରେ ସେମାନେ ଏକାଠି ବସି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସମସ୍ତେ ପରସ୍ପରର ସମସ୍ୟା ଓ ଦୁଃଖ ବୁଝୁଥିଲେ। ଆଉ ଏମିତି ସୁଖଦୁଃଖ ଗପୁ ଗପୁ ସେମାନଙ୍କ ଭିତରେ ସୃଷ୍ଟି ହୋଇଯାଇଥିଲା ବନ୍ଧୁତା। ମାସମାସ ଧରି ଢେର୍ ପରିଶ୍ରମ କଲେ ସେମାନେ। ଏକା ସଙ୍ଗେ ପଢ଼ିଥିଲେ ଓ ଆଗକୁ ବଢ଼ିଥିଲେ। ପରସ୍ପରକୁ ସାହାଯ୍ୟ ବି କରିଥିଲେ। ସେମାନଙ୍କ ମଧ୍ୟରେ ନା ଥିଲା ଈର୍ଷା ନା ଦ୍ୱେଷ।
ଏବେ ପରିସ୍ଥିତି ବଦଳି ଯାଇଛି। ସଂଘର୍ଷର ଦିନ ସରିଯାଇଛି। ଅନେକ ସରକାରୀ ଚାକିରି ପାଇଯାଇଛନ୍ତି। କିଏ ବ୍ୟାଙ୍କ୍ ପିଓ ତ’ ଆଉ କିଏ କ୍ଲର୍କ। ପୁଣି କିଏ ଶ୍ରମ ଅଧିକାରୀ ଓ ଆଉ କିଏ ଶିକ୍ଷକ। ଦୀର୍ଘର୍ର୍ ୮ ବର୍ଷ ତଳେ ଗଢ଼ି ଉଠିଥିବା ସେମାନଙ୍କର ବନ୍ଧୁତ୍ୱକୁ ସେମାନେ କାଟି ଦେଇ ନାହାନ୍ତି। କର୍ମମୟ ଜୀବନ ଭିତରେ ଯିଏ ଯୁଆଡ଼େ ଥିଲେ ବି ସମସ୍ତେ ଧାଇଁ ଆସନ୍ତି ଏହି ଦିନ।