ନାଇଜେରୀୟଙ୍କ ଟାର୍ଗେଟ୍ରେ ଓଡ଼ିଆ ମହିଳା
ଉପହାର ଲୋଭ ଦେଖାଇ ଠକିନେଲେ ୪୦ ଲକ୍ଷ
କଟକ: ଉପହାର ଲୋଭ ଦେଖାଇ ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦୁର୍ବୃତ୍ତ ୪୦ ଲକ୍ଷ ଟଙ୍କା ପୋଛି ନେଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚରେ ଆଜି ଏକ ମାମଲା ରୁଜୁ ହୋଇଛି। ଏ ପ୍ରକାର ଠକେଇ ପଛରେ ବିଦେଶୀ ନାଗରିକଙ୍କ ସମ୍ପୃକ୍ତି ଥିବା କ୍ରାଇମ୍ବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ନିର୍ଦ୍ଦିଷ୍ଟ ଭାବେ ନାଇଜେରୀୟମାନେ ଦିଲ୍ଲୀରେ ରହି ଓଡ଼ିଶାର ମହିଳାଙ୍କୁ ଟାର୍ଗେଟ୍ କରୁଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଓଡ଼ିଶାର ଜଣେ ମହିଳା ଫେସ୍ବୁକ୍ରେ ଡାଭିଡ୍ ଓସ୍କାର୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଯୋଡ଼ିଥିଲେ। ତାଙ୍କ ସହିତ ଫେସ୍ବୁକ ମେସେଞ୍ଜର ଓ ହ୍ଵାଟସ୍ଆପ୍ରେ କିଛି ଦିନ ପରେ ଚାଟିଂ ଆରମ୍ଭ କରିଥିଲେ। ହଠାତ୍ ଦିନେ ଡାଭିଡ୍ ମହିଳାଙ୍କ ନିକଟକୁ ଗୋଟିଏ ଗିଫ୍ଟ ପ୍ୟାକେଟ୍ ପଠାଉଥିବା କହିଥିଲେ। ସେଥିରେ ମୂଲ୍ୟବାନ ସୁନା ଅଳଙ୍କାର, ଲାପ୍ଟପ, ମୋବାଇଲ୍ ଫୋନ୍ ଏବଂ ୩୫ ହଜାର ପାଉଣ୍ଡ (୩୧ ଲକ୍ଷ ୫୦ ହଜାର ଟଙ୍କା) ଥିବା ହ୍ଵାଟସ୍ଆପ୍ରେ ଜଣାଇଥିଲେ। ଚାଟିଂରେ ଡାଭିଡ୍ ଏକଥା କହିବାର ଏକ ସପ୍ତାହ ପରେ ସମ୍ପୃକ୍ତ ମହିଳାଙ୍କ ନିକଟକୁ କାର୍ଗୋ କମ୍ପାନିର ଏଜେଣ୍ଟ ପରିଚୟରେ ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଏକ ପାର୍ସଲ ପହଞ୍ଚିଛି। ପାର୍ସଲ ନେବାପାଇଁ ଅନ୍ଲାଇନ୍ରେ ମୋଟ ୪୦ ଲକ୍ଷ ୧୩ ହଜାର ୨୦୦ ଟଙ୍କା ଜମା କରିବାକୁ ପଡ଼ିବ ବୋଲି କହିଥିଲେ। ମହିଳା ଜଣକ ତାଙ୍କ କଥାରେ ସହଜରେ ବିଶ୍ୱାସ କରିଯାଇଥିଲେ। ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ୪୦ ଲକ୍ଷ ୧୩ ହଜାର ୨୦୦ ଟଙ୍କା ପଠାଇଥିଲେ। କିନ୍ତୁ ପରେ ଯେଉଁ ତାରିଖରେ ପାର୍ସଲ ଆସିବା କଥା, ତାଙ୍କ ନିକଟରେ ପହଞ୍ଚିନଥିଲା। ସମ୍ପୃକ୍ତ ଏଜେଣ୍ଟ ଏବଂ ଡାଭିଡ୍ଙ୍କୁ ମହିଳା ଜଣକ ଓଡ଼ିଶାରୁ ଫୋନ୍ରେ ଯୋଗାଯୋଗ କରିଥିଲେ। କିନ୍ତୁ ନମ୍ବର ଲାଗି ନଥିଲା। ସେ ଠକାମୀରେ ପଡ଼ିଯାଇଥିବା ଜାଣିବା ପରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟରେ ଆଜି ଏକ ମାମଲା ଦାୟର କରିଛନ୍ତି। କ୍ରାଇମ୍ବ୍ରାଞ୍ଜର ସାଇବର ଥାନା ପୁଲିସ ଦଫା ୪୧୯, ୪୨୦, ୩୪ ଆଇପିସି ଏବଂ ୨୦୦୦ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନର ଦଫା ୬୬-ଡିରେ ଏକ ମାମଲା(କେସ୍ ନଂ ୧୭) ରୁଜୁ କରିଛି। ସାଇବର୍ ଥାନା ଇନ୍ସ୍ପେକ୍ଟର ଅନିଲା ଆନନ୍ଦଙ୍କୁ ଘଟଣାର ତଦନ୍ତ ଭାର ପ୍ରଦାନ କରାଯାଇଥିବା ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।