ଭୁବନେଶ୍ୱର: ଜେହାଦ ନାମରେ ଆତଙ୍କବାଦକୁ ପ୍ରୋତ୍ସାହନ ମିଳିବା ଉଚିତ୍ ନୁହେଁ। ଧର୍ମ ନାମରେ ରାଜନୀତି କରିବା ଓ ଧର୍ମକୁ ନେଇ ବିଭେଦ ସୃଷ୍ଟି କରିବା ଆମ ସମାଜ ପାଇଁ ଶୁଭଙ୍କର ନୁହେଁ। ଦେଶପ୍ରେମ ଜଣେ ନାଗରିକର ଭୂଷଣ ହେବା ଉଚିତ। ଆଜି ଅହମ୍ମଦିଆ ମୁସ୍ଲିମ୍ ଜମାତ୍ ପକ୍ଷରୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଆୟୋଜିତ ‘ଶାନ୍ତି ଆଲୋଚନା ସମ୍ମିଳନୀ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୌଲାନା ଫଜଲ ହକ୍ ଏପରି ମତବ୍ୟକ୍ତ କରିଛନ୍ତି। ମାନବିକତାର ଶତ୍ରୁ ପାଲଟିଥିବା ନୃଶଂସ ହତ୍ୟାକାରୀମାନଙ୍କର ବିନାଶ ପାଇଁ ଶାନ୍ତିର ଆବଶ୍ୟକତା ରହିଛି। ସମାଜରେ ନାରୀର ସମ୍ମାନ ଓ ସୁରକ୍ଷା ପ୍ରତ୍ୟେକ ନାଗରିକର ଦାୟିତ୍ୱ ବୋଲି ମୌଲାନା ଫଜଲ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ‘ସୋଆ’ ୟୁନିଭର୍ସିଟିର ଡିନ୍ ପ୍ରବୀର କୁମାର ପଟ୍ଟନାୟକ, ‘ସମାଜ’ର ମୁଦ୍ରାକର ନିରଞ୍ଜନ ରଥ, ‘ନିତିଦିନ’ର ସଂପାଦକ ମନୋଜ ମହାପାତ୍ର ଯୋଗଦେଇ ଶାନ୍ତି ମାଧ୍ୟମରେ ଯୁଦ୍ଧକୁ ଟାଳି ହେବ ବୋଲି କହିଥିଲେ। ଅହମ୍ମଦିଆ ମୁସ୍ଲିମ୍ ଜମାତ୍ର ସଭାପତି ସୟଦ ଖାଲିଦ ଅହମ୍ମଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀ ପ୍ରାରମ୍ଭରେ କୋରାନ୍ ପାଠ କରାଯାଇଥିଲା। ଆରବୀ ଭାଷାରେ ପବିତ୍ର କୋରାନ୍ ପାଠ କରିଥିଲେ ମୌଲାନା ଜାବେଦ ଅହମ୍ମଦ। ମୌଲାନା ଶେଖ୍ ମୁଫସିର ଅହମ୍ମଦ ଏହାର ଓଡ଼ିଆ ଅନୁବାଦ କରିଥିଲେ। ମହମ୍ମଦ ନୁରୁଦ୍ଦିନ ଅମିନ ଅତିଥି ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ହିନ୍ଦୁ, ମୁସଲମାନ, ଶିଖ ତଥା ଖ୍ରୀଷ୍ଟ ଧର୍ମର ବହୁ ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଧର୍ମ ନାମରେ ମଣିଷ ମଧ୍ୟରେ ବିଭେଦ ସୃଷ୍ଟି ନ କରିବାକୁ ଶପଥ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ମହମ୍ମଦ ଅମିନ୍ ଉପସ୍ଥିତ ଥିଲେ। ତାହେର ଅହମ୍ମଦ ଖାଁ, ମୁବାରକ ଅହମ୍ମଦ, ସେଖ ନିଜାମୁଦ୍ଦିନ୍, ଅହମ୍ମଦ ଅସଲମ, ଅଫିଫ ଅହମ୍ମଦ, ମୁଖତାର ଅଲ୍ଲୀ, ଶେଖ ଇମାମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।