ଭୁବନେଶ୍ବର: ଆଉ ମାତ୍ର ଦୁଇ ସପ୍ତାହ ପରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ବ ମହାସମର। ପୁରୁଷ ହକି ବିଶ୍ବକପ୍ର ଚତୁର୍ଦଶ ସଂସ୍କରଣ ପ୍ରଥମ ଥର ଲାଗି ଓଡ଼ିଶାରେ ପାଦ ଥାପିବ। ପ୍ରତୀକ୍ଷିତ ହକି ମହାକୁମ୍ଭକୁ ଉଭୟ ଦର୍ଶକ ଏବଂ ଖେଳାଳି ଚାତକ ଭଳି ଚାହିଁ ବସିଛନ୍ତି। ଗତ କିଛି ଦିନ ହେବ ଭୁବନେଶ୍ବରରେ ଡେରା ପକାଇଥିବା ଭାରତୀୟ ଦଳର ଖେଳାଳିମାନେ ମଧ୍ୟ ବ୍ୟକ୍ତିଗତ ସହ ଦଳଗତ ଲକ୍ଷ୍ୟ ଧାର୍ଯ୍ୟ କରି ସାରିଲେଣି। ପ୍ରଦର୍ଶନ ବଳରେ ସ୍ଥାନୀୟ ହକି ପ୍ରେମୀଙ୍କ ମନ କିଣିବାକୁ ଭାରତୀୟ ଖେଳାଳି ଲକ୍ଷ୍ୟ ରଖିଛନ୍ତି। ଗୁରୁବାର ଭାରତୀୟ ଦଳର ଯୁବ ଅଧିନାୟକ ମନ୍ପ୍ରୀତ ସିଂହ ଦଳର ଲକ୍ଷ୍ୟ ଏବଂ ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଥିଲା ବେଳେ ଜନ୍ମଦିନ ଅବସରରେ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ପ୍ରଭୁ ଲିଙ୍ଗରାଜଙ୍କ ପାଖକୁ ଯାଇ ପୂଜାର୍ଚନା କରିଛନ୍ତି। ଦଳର ଶୁଭ ମନାସିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ମନ୍ପ୍ରୀତ ଆଜି କହିଥିଲେ ଯେ ଆମେ ପୁଲ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଜିତିବାକୁ ଚାହୁଁଛୁ। ପୁଲ୍ର ଶୀର୍ଷ ସ୍ଥାନରେ ରହିବା ହିଁ ଆମର ପ୍ରଥମ ଲକ୍ଷ୍ୟ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ପୁଲ୍ ପର୍ଯ୍ୟାୟର ପ୍ରତ୍ୟେକ ମ୍ୟାଚ୍ରୁ ପୂରା ୩ ପଏଣ୍ଟ ଅଜର୍ନ କରି ପାରିଲେ, ଆମେ କ୍ବାର୍ଟର ଫାଇନାଲ୍ ଯାଇ ପାରିବୁ। ପ୍ରତ୍ୟେକ ଦଳ ବିଜୟ ଲକ୍ଷ୍ୟ ନେଇ ବିଶ୍ବକପ୍କୁ ଆସି ଥାଆନ୍ତି। ସେଥିପାଇଁ ଆମେ କୌଣସି ଦଳକୁ ହାଲକାରେ ନେବାକୁ ଚାହୁଁନାହୁଁ। ସେ ଦକ୍ଷିଣ ଆଫ୍ରିକା, ବେଲଜିୟମ କିମ୍ବା କାନାଡା ହେଉ। ମୋଟ ଉପରେ ଶ୍ରେଷ୍ଠ ୩ ସ୍ଥାନ ମଧ୍ୟରେ ଅଭିଯାନ ଶେଷ କରିବା ଦଳର ଦୀର୍ଘମିଆଦି ଲକ୍ଷ୍ୟ ବୋଲି ୧୫୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମନ୍ପ୍ରୀତ ଏହି ଅବସରରେ କହିଥିଲେ। ମନପ୍ରୀତଙ୍କ ସହ ଭାରତୀୟ ଦଳର ଅନ୍ୟତମ ଯୁବ ତାରକା ହରମନପ୍ରୀତ ସିଂହ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ୧୯୭୫ରେ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ବକପ୍ ଜିତିବା ପରେ ଭାରତ ଆଉ କେବେ ବି ଶ୍ରେଷ୍ଠ ୩ ସ୍ଥାନ ଭିତରେ ରହି ପାରିନାହିଁ। ଯୁଗ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ବିଶ୍ବକପ୍ ଦଳ ଗଠିତ ହୋଇଥିଲା ବେଳେ ଏହି ଦଳରେ ୨୦୧୬ କନିଷ୍ଠ ବିଶ୍ବକପ୍ ଖେଳିଥିବା ୭ ଜଣ ପ୍ରତିଭାବାନ୍ ଖେଳାଳି ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବେଲିଜିୟମ ଓ କାନାଡା ମ୍ୟାଚ୍ ବଡ଼ ପରୀକ୍ଷା
ଭାରତ ବିଶ୍ବକପ୍ର ପୁଲ୍-ସିରେ ସ୍ଥାନ ପାଇଛି। ଘରୋଇ ଦଳ ଆସନ୍ତା ୨୮ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଏହା ପରେ ଡିସେମ୍ବର ୨ରେ ବେଲଜିୟମ ଏବଂ ୮ରେ କାନାଡାକୁ ଭେଟିବ। ଦକ୍ଷିଣ ଆଫ୍ରିକାକୁ ଭାରତ ଗତ ଦୁଇବର୍ଷ ହେବ କେବେ ବି ଭେଟି ନଥିଲା ବେଳେ ବିଜୟରୁ ଅଭିଯାନ କରିବା ସବୁବେଳେ ଆତ୍ମବିଶ୍ବାସ ବୃଦ୍ଧିକାରୀ ପ୍ରଦର୍ଶନ ହୋଇଥାଏ ବୋଲି ଅଧିନାୟକ ମନ୍ପ୍ରୀତ ଗୁରୁବାର ମତ ରଖିଥିଲେ। ଏହା ସତକଥା ଯେ ଆମେ ନିକଟ ଅତୀତରେ କୌଣସି ବଡ଼ ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକାକୁ ଭେଟିନାହୁଁ। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯାହା ଏକ ଅଭ୍ୟାସ ମ୍ୟାଚ୍ ଖେଳିଥିଲୁ। ଏଥିରୁ ସେମାନେ କେମିତି ଖେଳନ୍ତି, ତାହା ଜାଣି ପାରିଛୁ। ଅତୀତର ପରିସଂଖ୍ୟାନ ଉପରେ ଅବଶ୍ୟ ଆମେ ବିଶେଷ ଧ୍ୟାନ ଦେଉ ନାହୁଁ। ସାଂପ୍ରତିକ ପ୍ରଦର୍ଶନ ଏବଂ ଦକ୍ଷତାକୁ ନଜରରେ ରଖି ଆମେ ଆମ ରଣନୀତି ପ୍ରସ୍ତୁତ କରିବୁ ବୋଲି ୨୬ ବର୍ଷୀୟ ମନ୍ପ୍ରୀତ କହିଥିଲେ। ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲ୍ଜିୟମକୁ ଭାରତ ଗତବର୍ଷ ବିଶ୍ବଲିଗ୍ ଫାଇନାଲର କ୍ବାର୍ଟର ଫାଇନାଲରେ ପରାସ୍ତ କରିଥିଲା। ସେପଟେ ରିଓ ଅଲିମ୍ପିକ୍ସର ଲିଗ୍ ପର୍ଯ୍ୟାୟରେ କନାଡା ସହ ଭାରତ ୨-୨ ଗୋଲ୍ରେ ଅମୀମାଂସିତ କରିଥିଲା। ତେବେ ଲଣ୍ଡନରେ ଅନୁଷ୍ଠିତ ବିଶ୍ବ ହକି ଲିଗର ସେମିଫାଇନାଲରେ ୩-୨ରେ ହାରି ଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ଅନେକ କିଛି ଶିଖିଥିବାରୁ କାନାଡା ବିପକ୍ଷରେ ଭାରତ ଭଲ କରିବ ବୋଲି ମନ୍ପ୍ରୀତ ଆଶା ରଖିଛନ୍ତି।