୧୮ ଧନୀ ଭାରତୀୟ ହରାଇଲେ ୨ ଲକ୍ଷ କୋଟି

ଲାଭ କଲେ ମୁକେଶ ଅମ୍ବାନି, ସର୍ବାଧିକ ହରାଇଲେ ଲକ୍ଷ୍ମୀ ମିତ୍ତଲ

ନୂଆଦିଲ୍ଲୀ: ଦେଶର ୧୮ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଚଳିତ ବର୍ଷ ୨ ଲକ୍ଷ ୮ ହଜାର କୋଟି ଟଙ୍କା କମିଯାଇଛି। ବିଶ୍ବର ସବୁଠୁ ବଡ଼ ଇସ୍ପାତ ନିର୍ମାତା ଆର୍ସେଲର ମିତ୍ତଲର ମାଲିକ ଲକ୍ଷ୍ନୀ ନିବାସ ମିତ୍ତଲଙ୍କର ଏବର୍ଷ ସବୁଠୁ ଅଧିକ ୩୯,୨୦୦ କୋଟି ଟଙ୍କାର କ୍ଷତି ହୋଇଛି। ତାଙ୍କ ସମ୍ପତ୍ତି ଚଳିତବର୍ଷ ପ୍ରାୟ ୨୯% କମ୍ ହୋଇଯାଇଛି। ମିତ୍ତଲ ଲଣ୍ଡନରେ ବାସ କରୁଥିଲେ ମଧ୍ୟ ସେ ଭାରତର ନାଗରିକ ଅଛନ୍ତି। ସନ୍ ଫାର୍ମାର ପ୍ରତିଷ୍ଠାତା ଦିଲ୍ଲୀପ ସାଂଘଭିଙ୍କର ଦ୍ବିତୀୟ ସର୍ବାଧିକ ବା ୩୨,୨୦୦ କୋଟି ଟଙ୍କାର କ୍ଷତି ହୋଇଛି। ଆଦାନି ଗ୍ରୁପ୍ ମୁଖ୍ୟ ଗୌତମ ଆଦାନିଙ୍କର ‌ନିଟ୍ ସମ୍ପତ୍ତି ୧୮,୬୯୦ କୋଟି ଟଙ୍କା କମିଯାଇଛି। ଉପରୋକ୍ତ ବ୍ୟକ୍ତି ତ୍ରୟଙ୍କର ନିଟ୍ ସମ୍ପତ୍ତି ଏବେ ଯଥାକ୍ରମେ ୯୮ ହଜାର, ୫୭,୫୪୦ ଏବଂ ୫୩,୯୦୦ କୋଟି ଟଙ୍କା ରହିଛି। ଶିଳ୍ପପତି କୁମାର ମଙ୍ଗଳମ୍ ବିର୍ଲାଙ୍କର ନିଟ୍ ସମ୍ପତ୍ତି ୧୭,୮୫୦ କୋଟି କମି ୪୫,୫୭୦ କୋଟି ଟଙ୍କା, କେ. ପି. ସିଂହଙ୍କର ୧୩,୨୩୦ କୋଟି ଟଙ୍କା ହ୍ରାସ ପାଇ ୩୧,୮୫୦ କୋଟି, ବିକ୍ରମ ଲାଲଙ୍କର ୧୩,୨୩୦ କୋଟି ହ୍ରାସ ଘଟି ୩୫,୩୫୦ କୋଟି, ସାବିତ୍ରୀ ଜିନ୍ଦଲଙ୍କର ୧୧,୩୪୦ କୋଟି ହ୍ରାସ ଘଟି ୫୨,୨୯୦ କୋଟି ଟଙ୍କା ରହିଛି।ସେହିଭଳି ପଙ୍କଜ ପଟେଲଙ୍କର ୧୦୦୮୦ କୋଟି, ସାଇରସ ପୁନାୱାଲାଙ୍କର ୯୪୫୦ କୋଟି, ମିକି ଜଗତିୟାନିଙ୍କର ୮୭୫୦ କୋଟି, ଅଜୟ ପିରାମଲଙ୍କର ୭୭୭୦ କୋଟି, ବେନୁ ଗୋପାଳ ବାଙ୍ଗରଙ୍କର ୫୩୧୩ କୋଟି, ପ୍ରକାଶ ହିନ୍ଦୁଜାଙ୍କର ୫୧୫୨ କୋଟି, ଅଜିମ ପ୍ରେମଜୀଙ୍କର ୩୬୩୩ କୋଟି, ଶିବ ନାଦରଙ୍କର ୩୪୪୪ କୋଟି, ଅନିଲ ଅଗ୍ରୱାଲଙ୍କର ୨୫୪୮ କୋଟି, ରାହୁଲ ବଜାଜଙ୍କର ୧୫୯୬ କୋଟି ସମ୍ପତ୍ତି ଚଳିତ ବର୍ଷ ହ୍ରାସ ଘଟିଛି। ବ୍ଲୁମବର୍ଗ ବିଲିୟନେୟାର ସୂଚୀରେ ବିଶ୍ବର ୫୦୦ ଜଣଙ୍କ ମଧ୍ୟରେ ଭାରତ ୨୩ ଜଣ ସ୍ଥାନ ପାଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କେବଳ ୫ ଜଣଙ୍କ ସମ୍ପତ୍ତି ଚଳିତବର୍ଷ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ମୁକଶେ ଅମ୍ବାନି, ରାଧାକୃଷ୍ଣନ୍ ଦମାନି, ଉଦୟ କୋଟାକ, ନୁସଲି ୱାଡିଆ ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର