ଇ-କମର୍ସ କମ୍ପାନିଙ୍କ ଅଡ଼ୁଆ ବଢ଼ାଉଛି ତାତି: ବଢ଼ୁଛି ଅର୍ଡର, ମିଳୁନାହାନ୍ତି ଡେଲିଭରି ବୟ

ନୂଆଦିଲ୍ଲୀ: ଦେଶରେ ତାତି ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ଲହରି ପାଇଁ କେବଳ ସାଧାରଣ ଲୋକ ଅସୁବିଧାରେ ପଡ଼ିନାହାନ୍ତି ଇ-କମର୍ସ କମ୍ପାନିଗୁଡ଼ିକ ମଧ୍ୟ ଅଡ଼ୁଆର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଆଦି ବଡ଼ ସହର ସମେତ ଛୋଟ ସହରରେ ମଧ୍ୟ ଇ-କମର୍ସ କମ୍ପାନିଗୁଡ଼ିକ ଡେଲିଭରି ବୟ ଅଭାବଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଗରମ ପାଇଁ ଏହି କାମରେ ପୂର୍ବରୁ ନିୟୋଜିତ ଥିବା ବ୍ୟକ୍ତିମାନେ ଏବେ ଆସୁନାହାନ୍ତି। ଗୋଟିଏ ପଟେ ଗ୍ରାହକମାନେ ଗରମରେ ଘରୁ ନବାହାରି ଅନଲାଇନରେ ସାମଗ୍ରୀ, ବିଶେଷକରି ଖାଦ୍ୟ ମଗାଇବାକୁ ପସନ୍ଦ କରୁଛନ୍ତି। ଏହାବ୍ୟତୀତ ଏବେ ବିଦ୍ୟାଳୟ ଛୁଟି ରହିଛି। ସେହିଭଳି ଭାରତରେ ଆଇପିଏଲ୍‌ କ୍ରିକେଟ ମ୍ୟାଚ୍‌ ଚାଲିଛି। ଏଥିଯୋଗୁ ଅନଲାଇନ ଡେଲିଭରିର ଚାହିଦା ବଢ଼ିଛି। କିନ୍ତୁ ଅନ୍ୟପଟେ ତାପମାତ୍ରା ବୃଦ୍ଧି ଯୋଗୁ କମ୍ପାନିଗୁଡ଼ିକ ଆବଶ୍ୟକ ସଂଖ୍ୟକ ଡେଲିଭରି ବୟ ପାଉନାହାନ୍ତି। ଫଳରେ ସେମାନଙ୍କ ସମସ୍ୟା ବଢ଼ିଯାଇଛି।

ଏହି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ ସାଧାରଣତଃ ଗିଗ୍‌ ୱାର୍କର୍ସ କୁହାଯାଇଥାଏ। ସେମାନେ ଅସ୍ଥାୟୀ ବା ସାମୟିକ ଭାବେ କାର୍ଯ୍ୟ କରିଥାନ୍ତି। ସାଧାରଣତଃ ଏପ୍ରିଲରୁ ଜୁଲାଇ ମଧ୍ୟରେ ଏମାନଙ୍କ ସଂଖ୍ୟା ଏକ ପଞ୍ଚମାଂଶ ହ୍ରାସ ପାଇଥାଏ। ଆମାଜନଠାରୁ ଆରମ୍ଭ କରି ଫ୍ଲିପକାର୍ଟ, ଜୋମାଟୋ, ସ୍ବିଗି, ବ୍ଲିଙ୍କିଟ ଭଳି କମ୍ପାନି ଏହି ସମୟରେ ଡେଲିଭରି ବୟ ଅଭାବର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ଚଳିତବର୍ଷ ଆଗୁଆ ଅତ୍ୟଧିକ ଗରମ ହେବା କାରଣରୁ ଏହି ଶ୍ରମିକମାନେ ଅଧିକ ସଂଖ୍ୟାରେ ବଜାରକୁ ଆସୁନାହାନ୍ତି। ଏଥିପାଇଁ ଡେଲିଭରି ପ୍ରଦାନ କାର୍ଯ୍ୟ ସ୍ବାଭାବିକ ସମୟ ଠାରୁ ଅଧିକ ରହୁଛି। ସବୁଠୁ ଅଧିକ ସମସ୍ୟା ଅନଲାଇନରେ ଖାଦ୍ୟ ଯୋଗାଉଥିବା କମ୍ପାନିଗୁଡ଼ିକ ସମ୍ମୁଖୀନ ହେଉଛନ୍ତି।

ବି‌ଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଗରମ ଏଭଳି ଅଧିକ ଦିନ ଲାଗି ରହେ ତା’ହେଲେ ଡେଲିଭରି ବୟଙ୍କ ଅଭାବ କାରଣରୁ ଠିକ୍ ସମୟରେ ଅର୍ଡର ପ୍ରଦାନ କରାଯାଇ ପାରିବ ନାହିଁ। ଫଳରେ ଗ୍ରାହକ ଅର୍ଡର ବାତିଲ କରିବେ। ଏଥିଯୋଗୁ କମ୍ପାନିଙ୍କ ବ୍ୟବସାୟ ପ୍ରଭାବିତ ହେବ। ଅତ୍ୟଧିକ ଖରାରେ କାର୍ଯ୍ୟ କରିବା କାରଣରୁ ଡେଲିଭରି ବୟଙ୍କ ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଯାଉଛି। କିଛି ଡେଲିଭରି ବୟଙ୍କ କହିବାନୁଯାୟୀ ଅତ୍ୟଧିକ ତାପମାତ୍ରାରେ କାର୍ଯ୍ୟ କରିଲେ ବି ସେମାନଙ୍କୁ କିଛି ଅଧିକ ଅର୍ଥ ପ୍ରଦାନ କରାଯାଉନାହିଁ।
ତେ‌ବେ କିଛି କମ୍ପାନି ଏଭଳି ଶ୍ରମିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସହାୟତାର ହାତ ମଧ୍ୟ ବଢ଼ାଇଛନ୍ତି। ଅଧିକ ଚାହିଦା ଥିବା ଅଞ୍ଚଳରେ ସ୍ବିଗି ଡେଲିଭରି ଏଜେଣ୍ଟଙ୍କ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ କରିଛି। ସେଠାରେ ପାନୀୟଜଳ ବ୍ୟବସ୍ଥା କରିଛି। ସ୍ବିଗି ୩୦୦ ଜୋନ୍‌ ସ୍ଥାପନ କରିଥିବାବେଳେ ଜୋ‌ମାଟୋ ୪୫୦ଟି ପଏଣ୍ଟ ସ୍ଥାପନ କରିଛି। ନିକଟ ଭବିଷ୍ୟତରେ ତାପମାତ୍ରା କମିବାର ସମ୍ଭାବନା ନାହିଁ। ଡେଲିଭରି ବୟଙ୍କ ଅଭାବ ଦେଖା ଦେଇଥିବାରୁ ଠିକ୍ ସମୟରେ ଗ୍ରାହକଙ୍କ ଚାହିଦା ପୂରଣ କରିବା ଇ-କମର୍ସ ସେବା ପ୍ରଦାନକାରୀ କମ୍ପାନିଙ୍କ ପାଇଁ କଷ୍ଟକର ରହିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର