ଭୁବନେଶ୍ୱର: ବିଦ୍ୟାଳୟ ପରିସରରେ ପନିପରିବା ଚାଷ କର। ଏହାଦ୍ୱାରା ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କ ଖାଇବା ଲାଗି ଆବଶ୍ୟକୀୟ ପନିପରିବା ଲାଗି ଆଉ ଅର୍ଥ ପ୍ରତିବନ୍ଧକ ସାଜିବ ନାହିଁ। ଏ କ୍ଷେତ୍ରରେ ଆସାମ ବିଦ୍ୟାଳୟଗୁଡ଼ିକ ଆଦର୍ଶ ସୃଷ୍ଟି କରିଛନ୍ତି। ତାଙ୍କୁ ଅନୁକରଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି। ଏଥିସହ ମଧ୍ୟାହ୍ନ ଭୋଜନ ପରିଚାଳନା ନିମନ୍ତେ ପ୍ରଚଳିତ ଆକାଉଣ୍ଟିଂ ସରଳୀକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହୋଟେଲ ମାରିଅନ୍ରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାର ଉଦ୍ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଦ୍ଯାପନୀ ଉତ୍ସବରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍. ବାଲ୍କ୍ରିଷ୍ଣନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟକର ପରିବେଶରେ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଲେ, ତାମିଲନାଡ଼ୁରେ ପ୍ରଥମେ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆଜି ସାରା ଦେଶରେ ପହଞ୍ଚିଛି। ବିଭିନ୍ନ କାରଣରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଆଗ୍ରହ ସୃଷ୍ଟି କରିଛି। ବିଶେଷକରି ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ପଢ଼ିବାକୁ ଆସିବା କ୍ଷେତ୍ରରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ।
ଏହି କର୍ମଶାଳାରେ ୧୮ଟି ରାଜ୍ୟର ପ୍ରତିନିଧିଙ୍କୁ ଉନ୍ନୟନ କମିସନର ରଘୁରାଜପୁରର ପଟ୍ଟଚିତ୍ର ପ୍ରଦାନ କରିଥିଲେ। ଯୋଗ ଦେଇଥିବା ପ୍ରତିନିଧିମାନେ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ। କେନ୍ଦ୍ର ସରକାରଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ନିର୍ଦେଶକ ବିଜୟ ଭାସ୍କର ଗୁରାଲା ଓ ମି. ହରିଶ କୁମାର କର୍ମଶାଳା ସଫଳ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ।