ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ କାଣ୍ଡର ପ୍ରମାଣ ଦାବି କରୁଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଆଜି ଭାରତ କଡ଼ା ଜବାବ ଦେଇଛି। ପାକିସ୍ତାନ ଏବେ ଆତଙ୍କବାଦର ନାଭିକେନ୍ଦ୍ର ପାଲଟିଛି ଏବଂ ପାକିସ୍ତାନରେ କ’ଣ ଚାଲିଛି ତାହା ସମଗ୍ର ବିଶ୍ବ ଜାଣିଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଲୱାମା ଆକ୍ରମଣକୁ କଡ଼ା ନିନ୍ଦା କରିବା ପରିବର୍ତ୍ତେ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରିଛନ୍ତି ଏବଂ ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇ ନାହାନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦୌ ଗମ୍ଭୀର ନୁହେଁ ବୋଲି ଏଥିରୁ ପ୍ରମାଣିତ ହୋଇଛି। ଆତଙ୍କର ଗଡ଼ ପାଲଟିଥିବା ଏହି ରାଷ୍ଟ୍ରକୁ ନେଇ ବିଶ୍ବ ଏବେ ଚିନ୍ତିତ ବୋଲି ଭାରତ କହିଛି। ପାକିସ୍ତାନ ଏବେ ଏଥିରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଛି, କିନ୍ତୁ ସବୁ ପ୍ରମାଣ ସାମ୍ନାକୁ ଆସିଯାଇଥିବାରୁ ଏହାର ସବୁ ଚାଲ୍ ପଣ୍ଡ ହୋଇଯାଇଛି ବୋଲି ଭାରତ କହିଛି। ନୂଆ ପାକିସ୍ତାନରେ ଏବେ ହାଫିଜ୍ ସୟିଦ୍ ଏବଂ ମସୁଦ୍ ଆଝାର ଭଳି ଆତଙ୍କବାଦୀଙ୍କ କାୟା ବିସ୍ତାର ଜୋର୍ସୋର୍ରେ ଚାଲିଛି ଏବଂ ପାକିସ୍ତାନ ବିଶ୍ବ ସମୁଦାୟ ଆଖିରେ ଧୂଳି ଛାଟି ନିଜକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି। ଭାରତର ଗଣତନ୍ତ୍ର ଅତ୍ୟନ୍ତ ସୁଦୃଢ଼ ଏବଂ କୌଣସି ଶକ୍ତି ଏହାରକୁ ଦୋହଲାଇ ପାରିବ ନାହିଁ ବୋଲି ଭାରତ କହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତର ପ୍ରତିକ୍ରିୟାକୁ ନିର୍ବାଚନ ସହ ଯୋଡ଼ିବାକୁ ଯେଉଁ ପ୍ରୟାସ କରିଛନ୍ତି ତାହା ନିନ୍ଦନୀୟ ବୋଲି ଭାରତ କହିଛି।