ବଜ୍ରାଘାତରେ ୩ ମୃତ
ନନ୍ଦାହାଣ୍ଡି/ଡାବୁଗାଁ/ବାମରା : କାଳବୈଶାଖୀ ପ୍ରଭାବରେ ବଜ୍ରାଘାତ ଯୋଗୁ ଆଜି ୩ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତେ ଗଛମୂଳେ ଆଶ୍ରୟ ନେଉଥିବାବେଳେ ଏହି ଅଘଟଣର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ନବରଙ୍ଗପୁରର ୨ ଜଣ ହୋଇଥିବାବେଳେ ସମ୍ବଲପୁର ଜିଲ୍ଲାରେ ଜଣେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନବରଙ୍ଗପୁର ପ୍ରତିନିଧିଙ୍କ ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମର ବିଷ୍ଣୁ ଅମାନତ୍ୟ ଆଜି ଅପରାହ୍ନ ପ୍ରାୟ ୩ଟାରେ ଘର ପଛପଟ ଗୋଟିଏ ଗଛ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ କାଳବୈଶାଖୀ ପ୍ରଭାବରେ ବଜ୍ରାଘାତ ହୋଇଥିଲା। ଏଥିରେ ବିଷ୍ଣୁ ଗୁରୁତର ଆହତ ହେବାରୁ ପରିବାର ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ସେହିପରି କାରାଗାଁର ଚଇନୁ ଭତ୍ରାଙ୍କ ପୁଅ ଅସ୍ତୁ ଭତରା ଗାଈ ଚରାଇବାକୁ ଗାଁ ନିକଟସ୍ଥ ନଦୀ କୂଳକୁ ଯାଇଥିଲେ। କାଳବୈଶାଖୀ ପ୍ରଭାବରେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ହଠାତ୍ ବର୍ଷା ହେବାରୁ ସେ ନଦୀ କୂଳରେ ଥିବା ଗୋଟିଏ ଆମ୍ବଗଛ ନିକଟରେ ଆଶ୍ରୟ ନେଇଥିଲା। ତେବେ ଗଛ ନିକଟରେ ହିଁ ବିଜୁଳି ପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ବାମରା ପ୍ରତିନିଧିଙ୍କ ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ବାମରା-ଗରିଆମାଲ ପୂର୍ତ୍ତ ବିଭାଗ ରାସ୍ତା ଲମତି ଛକ ନିକଟରେ ବଜ୍ରପାତ ହେବାରୁ ଗଛ ତଳେ ଆଶ୍ରୟ ନେଇଥିବା ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେ ହେଲେ ଗଂଗାଧର ଉର୍ମା (୪୦)। ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବରହାମୂଷା ଗାଁରେ ବୋଲି ଜଣାପଡ଼ିଛି।