ପର୍ଯ୍ୟଟନ କ୍ଷେତ୍ରରେ ୩୫୪ କୋଟିର ପୁଞ୍ଜିନିବେଶ
୭ଟି ପ୍ରକଳ୍ପ ପାଇଁ ଜମି ମଞ୍ଜୁର କଲେ ସରକାର, ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ
ଭୁବନେଶ୍ବର : ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ୭ଟି ପ୍ରକଳ୍ପ ପାଇଁ ଆଜି ସରକାର ଜମି ମଞ୍ଜୁର କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ମଞ୍ଜୁର କମିଟି ନିଷ୍ପତ୍ତି ଅନୁଯାୟୀଏସବୁ ପ୍ରକଳ୍ପ ବାବଦରେ ରାଜ୍ୟରେ ୩୫୪ କୋଟି ବିନିଯୋଗ ହେବ। ଏହାସହିତ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ମଞ୍ଜୁରି କମିଟି ବିଷୟରେ ସୂଚନା ଦେଇ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ କହିଥିଲେ, ୭ଟି ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ମୋଟ ୭୯.୫ ଏକର ଜମିରୁ ପ୍ରାୟ ୪୨.୫ ଏକର ଜମି ନିର୍ଦ୍ଦିଷ୍ଟ ଭାବେ ପ୍ରକଳ୍ପ ବାବଦରେ ମଞ୍ଜୁର କରାଯାଇଛି। ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୁରୀ ଜିଲ୍ଲା ସାତପଡ଼ାରେ ୧୨୫ କୋଟି ଟଙ୍କା ବ୍ୟୟରେ ମେସର୍ସ ମେ ଫେୟାର ହୋଟେଲ ଆଣ୍ଡ ରିସୋର୍ଟ୍ସ ଲିମିଟେଡ ପକ୍ଷରୁ ଗଲ୍ଫ ରିସୋର୍ଟ ନିର୍ମାଣ କରାଯିବ। ମେସର୍ସ ସ୍ବସ୍ତି ଭାକେସନ କ୍ଲବ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୬୪ କୋଟି ୫୮ ଲକ୍ଷ ଟଙ୍କା ବିନିଯୋଗରେ ଗଞ୍ଜାମର ଉଦୟପୁରରେ ପ୍ରସ୍ତାବିତ ଗୋପାଳପୁର ପାମ୍ ରିସୋର୍ଟ, ଲାଲଚାନ୍ଦ୍ ରିସୋର୍ଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୫୪ କୋଟି ୫୦ ଲକ୍ଷ ଟଙ୍କାରେ କଟକର ତ୍ରିଶୁଳିଆରେ ୪ ତାରକା ହୋଟେଲ, ଗଞ୍ଜାମର ଗୋପାଳପୁରରେ ଲକଜରିଓ ଆସେଟ୍ସ ପ୍ରାଇଭେଟ ଲିମିଟେଡ ଦ୍ବାରା ୪୯ କୋଟି ୮୦ ଲକ୍ଷ ଟଙ୍କାରେ ରିସୋର୍ଟ୍ସ ସାମିଲ ଅଛି। ଗଞ୍ଜାମ ଟମପରାରେ ମେସର୍ସ ଲାଇଫଲାଇନ ମଲଟି ଭେଞ୍ଚର ପ୍ରାଇଭେଟ ଲିମିଟେଡ ପକ୍ଷରୁ ୪୯ କୋଟି ୮୦ ଲକ୍ଷ ଟଙ୍କାରେ ରିସୋର୍ଟସ ନିର୍ମାଣ ପାଇଁ ଜମି ମଞ୍ଜୁର କରାଯାଇଛି।
ଖାଲିସେତିକି ନୁହେଁ, ସମ୍ବଲପୁର ନିକଟସ୍ଥ ବସନ୍ତପୁରରେ ୭ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗରେ ଆକ୍ବାମ୍ୟାଜିକ୍ ଵାଟର ଆମ୍ୟୁଜମେଣ୍ଟ୍ ପାର୍କ ଓ ମେସର୍ସ କ୍ରିଷ୍ଣା ହୋଲଡିଂସ ପକ୍ଷରୁ ରାଉରକେଲାରେ ୩ କୋଟି ୧୬ ଲକ୍ଷ ଟଙ୍କା ବିନିଯୋଗରେ ଥିମ୍ ପାର୍କ ଓ ରିସୋର୍ଟ ନିର୍ମାଣ କରାଯିବ। ଏସବୁ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ପର୍ଯ୍ୟଟନ ସଚିବ ଶ୍ରୀ ଦେବ କହିଥିଲେ। ଏହି ବୈଠକରେ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ସଚିବ ସଞ୍ଜୟ କୁମାର ସିଂହଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।