ସମବାୟ ବିଭାଗ ନିର୍ଦ୍ଦେଶକୁ ମାନୁନାହାନ୍ତି ପ୍ୟାକ୍ସ ଓ ଲ୍ୟାମ୍ପ୍ସ
ୟୁରିଆ ଆଗୁଆ ଗଚ୍ଛିତ ସ୍ଥିତି ନେଇ ଅନୁଧ୍ୟାନ କରାଯିବ: କୃଷି ମନ୍ତ୍ରୀ
ଭୁବନେଶ୍ବର : ସମବାୟ ବିଭାଗର ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ଉପକୂଳ ଜିଲ୍ଲାରେ ଥିବା ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ। ଖରିଫ ପୂର୍ବରୁ ସବୁ ଜିଲ୍ଲାର ଚାଷୀଙ୍କ ପାଇଁ ଆଗୁଆ ୟୁରିଆ ଗଚ୍ଛିତ କରି ରଖିବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚଳିତ ବର୍ଷ ସୀମା ଧାର୍ଯ୍ୟ କରିଛି। ୨୦୧୯ ଜାନୁଆରିରୁ ମେ ମାସ ଭିତରେ ଦେଢ଼ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଗଚ୍ଛିତ ରଖିବାକୁ କୃଷି ବିଭାଗ ଲକ୍ଷ୍ୟ ରଖିଥିଲା। ହେଲେ ମେ’ ମାସ ସୁଦ୍ଧା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପସ ଗୁଡ଼ିକ ପର୍ଯ୍ୟାପ୍ତ ୟୁରିଆ ଆଗୁଆ ଗଚ୍ଛିତ ରଖିଥିବାବେଳେ ଉପକୂଳ ଜିଲ୍ଲାରେ ଥିବା ୟୁନିଟଗୁଡ଼ିକ ଆଗୁଆ ଗଚ୍ଛିତ ରଖିବାକୁ ଅମଙ୍ଗ ହେଉଛନ୍ତି। ଏ ନେଇ ସମବାୟସମିତି ଉପନିବନ୍ଧକ ସବୁ ଜିଲ୍ଲାକୁ ଚିଠି ଲେଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଖରିଫ ଋତୁରେ ଜୁଲାଇରୁ ସେପ୍ଟେମ୍ବର ମାସରେ ୟୁରିଆ ସାରର ଅଧିକ ଚାହିଦା ହୋଇଥାଏ। ସେଥିପାଇଁ ଚାଷୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଗୁଆ ୟୁରିଆ ଗଚ୍ଛିତ ରଖିବାକୁ କୃଷି ବିଭାଗ ସମବାୟ ବିଭାଗକୁ ପରାମର୍ଶ ଦେଇଥାଏ। କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚଳିତବର୍ଷ ଆଗୁଆ ୟୁରିଆ ଗଚ୍ଛିତ ରଖିବାକୁ ସମବାୟ ବିଭାଗ ଅଧୀନରେ ଥିବା ମାର୍କଫେଡ ମଧ୍ୟ ସବୁ ପ୍ୟାକ୍ସ ଓ ଲ୍ୟାମ୍ପସ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ମାର୍କଫେଡର କ୍ଷେତ୍ର ଅଧିକାରୀଙ୍କ ସୂଚନା ଅନୁଯାୟୀ ଉପକୂଳ ଜିଲ୍ଲାରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକ ୟୁରିଆ ଗଚ୍ଛିତ ରଖିବାକୁ ରାଜି ହେଉନାହାନ୍ତି। ଏ ନେଇ ସମବାୟ ସମିତି ନିବନ୍ଧକଙ୍କୁ ଗତ ୪ ତାରିଖରେ ମାର୍କଫେଡ ପରିଚାଳନା ନିର୍ଦ୍ଦେଶକ ଚିଠି ଲେଖି ଜଣାଇଥିଲେ। ଚିଠିରେ ମାର୍କଫେଡ ପରିଚାଳନା ନିେର୍ଦଶକ ଜଣାଇଥିଲେ, ଜାନୁଆରିରୁ ମେ ମାସ ଭିତରେ ୩୦ଟି ଜିଲ୍ଲାରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପସ ଗୁଡ଼ିକ ୧ ଲକ୍ଷ ୨୬୫ ମେଟ୍ରିକ ଟନ୍ ଆଗୁଆ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ମେ ମାସ ସୁଦ୍ଧା ମାତ୍ର ୭୮ ହଜାର ୮୬୬ ମେଟ୍ରିକ ଟନ୍ ଗଚ୍ଛିତ ହୋଇଛି। ଉପକୂଳ ଜିଲ୍ଲା ଯଥା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଗୁଡ଼ିକ ଲଗାତାର ଗତ ୫ ମାସ ଭିତରେ ୨୨ ହଜାର ୪୦୧ ମେଟ୍ରିକ ଟନ୍ ଆଗୁଆ ଗଚ୍ଛିତ ରଖିବା କଥା। କିନ୍ତୁ ରଖିଛନ୍ତି ମାତ୍ର ୯ ହଜାର ୭୭୨ ମେଟ୍ରିକ ଟନ୍ ୟୁରିଆ।
ଉପକୂଳ ଜିଲ୍ଲାରେ ୟୁରିଆ କମ ଗଚ୍ଛିତ ନେଇ ପ୍ରତିକ୍ରିୟା ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, କଣ ପାଇଁ ଉପକୂଳ ଜିଲ୍ଲାର ପ୍ୟାକ୍ସ ଓ ଲ୍ୟାମ୍ପସମାନେ କମ ଗଚ୍ଛିତ ରଖିଛନ୍ତି ଖୁବଶୀଘ୍ର ଅନୁଧ୍ୟାନ କରାଯିବ।