ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ କୌଣସି ଅଗ୍ରଗତି ହୋଇପାରୁନାହିଁ। ଶିବସେନା ଏହାର ପୂର୍ବଦାବି ୫୦:୫୦ ଫର୍ମୁଲା ପାଳନ ଜିଦ୍ରେ ଅଟଳ ରହିଛି। ଅର୍ଥାତ ବିଜେପି ଅଢ଼େଇ ବର୍ଷ ଏବଂ ଶିବସେନା ନେତା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ନେଇ ଶିବସେନା ଦାବି କରୁଛି। ଏ ନେଇ ଶିବସେନା ବିଜେପିଠାରୁ ଲିଖିତ ପ୍ରତିଶ୍ରୁତି ମଧ୍ୟ ମାଗୁଛି। ଏଥିପାଇଁ ରାଜ୍ୟରେ ସରକାର ଗଠନ ବିଳମ୍ବ ହେବାରେ ଲାଗିଛି। କେବଳ ସେତିକି ନୁହେଁ, ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ବଢ଼ିବାରେ ଲାଗିଛି। ଆଜି ଦୁଇ ଦଳର ନେତା ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କୁ ପୃଥକ ଭାବେ ଭେଟିବା ପରେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ବଢ଼ୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ପ୍ରଥମେ ଶିବସେନା ନେତା ଦିବାକର ରାଉତି ରାଜ୍ୟପାଳଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଫଡ଼ନବିସ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ଦୀପାବଳି ଉପଲକ୍ଷେ ରାଜ୍ୟପାଳଙ୍କୁ ଦୁଇ ନେତା ଭେଟିବା ସୌଜନ୍ୟମୂଳକ ସାକ୍ଷାତମୂଳକ କୁହାଯାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ବଢ଼ୁଥିବା ବିଷୟକୁ ଏହା ସ୍ପଷ୍ଟ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଶିବସେନା ମେଣ୍ଟ ସହଯୋଗୀ ବିଜେପିକୁ ଏକ ପ୍ରକାର ଧମକ ଦେଇଛି। ବିକଳ୍ପ ଅନୁସନ୍ଧାନ ପାଇଁ ବିଜେପି ଶିବସେନାକୁ ବାଧ୍ୟ କରିବା ଅନୁଚିତ। କାରଣ ରାଜନୀତିରେ କେହି ସନ୍ଥ ନୁହନ୍ତି ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି। ଏକ ଟିଭି ଚାନେଲଙ୍କୁ ସାକ୍ଷାତକାର ଦେଇ ଶ୍ରୀ ରାଉତ କଂଗ୍ରେସ ଏବଂ ଏନସିପିର ସମର୍ଥନରେ ସରକାର ଗଠନ ପ୍ରଶ୍ନକୁ ସିଧା ସିଧା ମନା କରିନାହାନ୍ତି। ବିଜେପି କୌଣସି ପଦକ୍ଷେପ ନନେଲେ ଶିବସେନା କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପି ସହିତ ମେଣ୍ଟ କରିବାକୁ ଆଗଭର ହେବ କି ବୋଲି ପ୍ରଶ୍ନରେ ଶ୍ରୀ ରାଉତ କହିଲେ, ଶିବସେନା ମେଣ୍ଟର ପବିତ୍ରତା ଉପରେ ବିଶ୍ବାସ କରେ।
ଶିବସେନାକୁ ସମର୍ଥନ କଲେ ପିଜେପିର ୨ ବିଧାୟକ
ମୁମ୍ବାଇ: ମହାରାଷ୍ଟ୍ରରେ ୫୦:୫୦ ଫର୍ମୁଲାରେ ସରକାର ଗଠନ ପାଇଁ ବିଜେପି ଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରୁଥିବା ଶିବସେନା ଏହାର ଶକ୍ତି ବଢ଼ାଇବାରେ ଲାଗିଛି। ଶିବସେନାକୁ ଦୁଇ ଜଣ ପ୍ରହାର ଜନଶକ୍ତି ପାର୍ଟି (ପିଜେପି) ବିଧାୟକ ସମର୍ଥନ ଜଣାଇଛନ୍ତି। ଫଳରେ ରାଜ୍ୟରେ ଶିବସେନା ଏବଂ ଏହାକୁ ସମର୍ଥନ ଜଣାଉଥିବା ବିଧାୟକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଶନିବାର ପିଜେପି ବିଧାୟକ ଓମପ୍ରକାଶ ଓରଫ ବଚ୍ଚୁ କାଡ଼ୁ ଏବଂ ରାଜକୁମାର ପଟେଲ ଶିବସେନା ସଭାପତି ଉଦ୍ଧବ ଠାକ୍ରେଙ୍କୁ ଭେଟି ସର୍ତ୍ତମୂଳକ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ଗତ ଗୁରୁବାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିର୍ବାଚନରେ ବଜୟୀ ହୋଇଥିବା ୨ ବିଦ୍ରୋହୀ ପାର୍ଥୀ ଆଶିଷ ଜୟସ୍ବାଲ ଏବଂ ନରେନ୍ଦ୍ର ଭଣ୍ଡେରକର ଦଳକୁ ସମର୍ଥନ ଜଣାଇ ସାରିଛନ୍ତି।