ପ୍ରବଳ ବର୍ଷା ପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଓଡ଼ିଶା ଛାଡୁଛି ବାତ୍ୟା ‘ବୁଲବୁଲ’। ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗଠାରୁ ୧୧୦ ଦୂରରେ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଓଡିଶା ଉପକୂଳ ଛାଡିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ସୁନ୍ଦରବନରେ ବାତ୍ୟା ସ୍ଥଳଭାଗ ଛୁଇଁବା ଫଳରେ ସନ୍ଧ୍ୟା ସୁଦ୍ଧା ପବନ ଓ ରାତି ସୁଦ୍ଧା ବର୍ଷା କମିଯିବ ଏବଂ ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ। ତେବେ ବାତ୍ୟା ‘ବୁଲବୁଲ’ ପ୍ରଭାବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଉପରେ ଅଧିକ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ାରେ ୭୫.୬ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ସର୍ବନିମ୍ନ ୦.୬ ମିମି ବର୍ଷା ହୋଇଛି। ସେହିପରି ଭଦ୍ରକରେ ୫୪.୬ ମିମି, ଜଗତସିଂହପୁରରେ ୫୧.୬ ମିମି, ବାଲେଶ୍ୱରରେ ୩୭.୯ମିମି, ଯାଜପୁରରେ ୨୧.୭ ମିମି, ପୁରୀରେ ୧୦.୭ ମିମି, କଟକରେ ୯.୫ ମିମି, ମୟୁରଭଞ୍ଜରେ ୭.୮ ମିମି ଓ ଖୋର୍ଦ୍ଧାରେ ୦.୬ ମିମି ବର୍ଷା ରେକର୍ଡ କରାଯାଇଛି।
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅତିପ୍ରବଳ ବର୍ଷା ପାଇଁ ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।