‘ପଦ୍ମଶ୍ରୀ’ରେ ସମ୍ମାନିତ ହେଲେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ: କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ୨ ଜଣ ଓଡ଼ିଆଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କା‌ରରେ ସମ୍ମାନିତ କରିଛନ୍ତି। ପଦ୍ମଶ୍ରୀ ସମ୍ମାନରେ ପୁରସ୍କୃତ ହୋଇଥିବା ଦୁଇ ଓଡ଼ିଆ ହେଲେ -ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ଲୋକକଳା ଶବ୍ଦନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନ। ରାଷ୍ଟ୍ରପତି ଭବନର ଦରବାର ହଲ‌୍‌ରେ ଗୁରୁବାର ସଂଧ୍ୟାରେ ଆୟୋଜିତ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ୨ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୫୫ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

ସମାରୋହରେ ଗୁରୁ ଭାଗବତ ପ୍ରଧାନ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିବା ପାଇଁ ପୋଡିୟମ୍‌କୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ପାଖକୁ ଯାଇ ନମସ୍କାର କରିବା ଓ ପ୍ରଧାନମନ୍ତ୍ରୀ ନିଜ ଆସନରୁ ଠିଆ ହୋଇ ଶ୍ରୀ ପ୍ରଧାନଙ୍କୁ ନମସ୍କାର କରିବା ସମୟରେ ଦରବାର ହଲ୍ କରତାଳିରେ କମ୍ପି ଉଠିଥିଲା। ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବାପରେ ଖୁସି ବ୍ୟକ୍ତ କରି ଦୁଇ ଓଡ଼ିଆ ଆଗକୁ କଳା କ୍ଷେତ୍ରରେ ସେମାନଙ୍କ ସାଧନା ଜାରିରଖିବେ ବୋଲି ପ୍ରତିକ୍ରିୟାରେ କହିଥିଲେ।
ଆଜିର ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନ୍‌ଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହ, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ, ସାଂସଦ ମୀନାକ୍ଷୀ ଲେଖି, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଚଳିତ ବର୍ଷ କଳା କ୍ଷେତ୍ରରେ ଓଡ଼ିଶାର ଚାରି ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା କରାଯାଇଥିଲା। ଗତ ମାସ ୨୨ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର