ଭୁବନେଶ୍ୱର/ବାଲେଶ୍ୱର : କୁଖ୍ୟାତ ବ୍ରାଉନସୁଗାର ବେପାରୀ ସେକ୍ ରାଜାର ଦୁଇ ପ୍ରମୁଖ ସହଯୋଗୀଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚର ଏସଟିଏଫ। ସେମାନେ ହେଲେ ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅରଡ଼ ବଜାର ମସ୍ଜିଦ ଗଳିର ହାଫ୍ ପ୍ୟାଣ୍ଟ ବାବୁ ଓରଫ ବସନ୍ତ ବେହେରା ଓରଫ ବାଇଧର ବେହେରା ଓ ବାଲେଶ୍ବର ଜିଲ୍ଲା ଟାଉନ ଥାନା ଅଧୀନ ସୁନାହାଟର ନୀଲ ଓରଫ ନୀଳାଦ୍ରି ଦାସ। ସେମାନଙ୍କ ନିକଟରୁ ଦୁଇଟି ବୁଲେଟ, ୟାମାହା ସ୍କୁଟି, ୩ଟି ମୋବାଇଲ ଫୋନ୍ ଓ କେତେକ କାଗଜପତ୍ର ଜବତ ହୋଇଛି। ଆଜି ଦୁଇ ଜଣଙ୍କୁ ଖୋର୍ଧା କୋର୍ଟ ଚାଲାଣ କରାଯାଇଛି। ଦୁହେଁ ବାଲେଶ୍ବର ସମେତ ଜଳେଶ୍ବରରେ ବ୍ରାଉନସୁଗାର କାରବାର କରିବା ସହିତ ଖୋର୍ଧାକୁ ମଧ୍ୟ ବ୍ରାଉନସୁଗାର ଚାଲାଣ କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରାଇମ ବ୍ରାଞ୍ଚର ଏସଟିଏଫଠାରୁ ମିଳିଥିବା ସୂଚନା ମୁତାବକ, ସେକ୍ ରାଜାକୁ ଗିରଫ କରାଯିବା ପରେ ତାକୁ ରିମାଣ୍ଡରେ ଅଣା ଯାଇଥିଲା। ରିମାଣ୍ଡରେ ଥିବା ସମୟରେ ସେକ୍ ରାଜା ଜଳେଶ୍ବର ଅଞ୍ଚଳରେ ଥିବା କେତେକ ବ୍ରାଉନସୁଗାର ବେପାରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲା। ସେହି ସୂଚନାକୁ ଆଧାର କରି ଗତ ୩ ଦିନ ହେବ ଏସଟିଏଫର ଏକ ସ୍ବତନ୍ତ୍ର ଟିମ୍ ବାଲେଶ୍ବରରରେ ଡେରା ପକାଇଥିଲା। ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କୁ ଏସଟିଏଫ ଟିମ୍ କାବୁ କରିଥିଲା। ପରେ ଦୁହିଁଙ୍କୁ ଭୁବନେଶ୍ବର ଅଣା ଯାଇ ପଚରାଉଚରା କରାଯାଇଥିଲା। ସେମାନଙ୍କ ବିରୋଧରେ ମାରଣାସ୍ତ୍ର ରଖିବା ଓ ନିଶାଦ୍ରବ୍ୟ ଚାଲାଣ ଭଳି ସାଂଘାତିକ ଅଭିଯୋଗ ରହିଛି। ଖୁବ୍ ଶୀଘ୍ର ରାଜାର ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସଟିଏଫର ଜଣେ ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ରାଜାକୁ ଗିରଫ କରିବାବେଳେ ତାର ୧.୬୮ କୋଟି ଟଙ୍କାର ସମ୍ପତ୍ତି ଥିବା ଏସଟିଏଫର ନଜରକୁ ଆସିଥିଲା। ବେଆଇନ ନିଶା ଦ୍ରବ୍ୟ କାରବାର କରି ଏସବୁ ସମ୍ପତ୍ତି ଲାଭ କରିଥିଲା। ଏବେ ଏହି ସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ପାଇଁ ଏସଟିଏଫ ଉଦ୍ୟମ ଆରମ୍ଭ କରିଛି।