ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଭାରତୀୟ ଯବାନଙ୍କ ଭାଙ୍ଗ୍ରା ନୃତ୍ୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓଟି ଭାରତ-ପାକିସ୍ଥାନର ସୀମା ନିକଟର ବୋଲି କୁହାଯାଉଛି। ଏହି ଭିଡିଓକୁ ବିରେନ୍ଦ୍ର ସେହୱାଗ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି, ଭାରତ-ପାକ୍ ସୀମା ନିକଟରେ ଭାରତୀୟ ଯବାନଙ୍କ ଭାଙ୍ଗ୍ରା ନୃତ୍ୟ ଅତ୍ୟନ୍ତ ଚମତ୍କାର। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଭଳି ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତିରେ ଯବାନମାନେ ମନରେ କୌଣସି ପ୍ରକାର ଭୟ ନରଖି ମନକୁ ଖୁସି ରଖୁଛନ୍ତି। ମୁଁ ସେମାନଙ୍କୁ ଏଭଳି ସାହସକୁ ସମ୍ମାନ କରିବା ସହ ପ୍ରଣାମ ଜଣାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଯବାନଙ୍କ ନୃତ୍ୟ କରିବା ବେଳର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ପୋଷ୍ଟ ହେବାର ଘଣ୍ଟାଏ ମଧ୍ୟରେ ୧ଲକ୍ଷ ୩୧ ହଜାରରୁ ଅଧିକ ଲୋକ ଦେଖିଥିଲେ। ଏଥିସହିତ ୩୪ହଜାରରୁ ଅଧିକ ଲାଇକ୍ ଆସିବା ସହିତ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଦେଇଛନ୍ତି।
ଏହି ଭିଡିଓରେ ୪ରୁ ୫ଜଣ ଭାରତୀୟ ଯବାନ ସୀମାରେ ଛିଡା ହୋଇ ପଞ୍ଜାବୀ ସୁପରହିଟ୍ ଗୀତ ‘ଦାରୁ ବାଦନାମ୍ କର ଦି’ରେ ଭାଙ୍ଗ୍ରା ନାଚୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଏତେ ଚମତ୍କାର ହୋଇଛି ଯେ ଲୋକମାନେ ବାରମ୍ବାର ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି।
ଏହି ଭିଡିଓ ପୂର୍ବରୁ ଦେଶକୁ ସୁରକ୍ଷା ଦେବା ପାଇଁ ଯବାନମାନେ କଷ୍ଟକର ପରିସ୍ଥିତିରେ ଥାଇବି ଖୁସିରେ ହସୁଥିବାର ଅନେକ ଭିଡିଓ ସାମ୍ନାକୁ ଆସିଛି। କିଛି ଦିନ ପୂର୍ବେ ସିୟାଚୀନରେ ନିୟୋଜିତ ଥିବା ଯବାନ ବରଫ କେକ୍ କାଟୁଥିବାର ଭିଡିଓ ସେୟାର କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।