ଭୁବନେଶ୍ବର: ଦିନକ ପରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ କରାଯିବ ଭୋଟଗ୍ରହଣ । କରୋନା କଟକଣା ଭିତରେ ଆୟୋଜିତ ହେଉଛି ଓଡିଶାର ଏହି ଦୁଇ ଉପନିର୍ବାଚନ । ଆସନ୍ତା ୩ ତାରିଖ ଦିନ ଉଭୟ ଆସନ ପାଇଁ ଭୋଟ ପଡୁଥିବାରୁ ଏଥିପାଇଁ ଜୋରଦାର କସରତ କରିଛନ୍ତି ସମସ୍ତ ଦଳ । ଆଉ ଏହାରି ଭିତରେ ଆଜି ସରି ଯାଇଛି ସମସ୍ତ ପ୍ରସ୍ତୁତି, ସମସ୍ତ ପ୍ରଚାର ।
Sambad is now on WhatsApp
Join and get latest news updates delivered to you via WhatsApp
ସନ୍ଧ୍ୟା ୬ଟା ସୁଦ୍ଧା ସବୁ ଅଣ ଭୋଟରଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ୩ ତାରିଖ ପାଇଁ ସବୁ ଦଳ ପକ୍ଷରୁ ରିହର୍ସଲ ସରିଥିବା ବେଳେ ମଙ୍ଗଳବାର ମଞ୍ଚସ୍ଥ ହେବ ମହାନାଟକ ।
ସେପଟେ ଉପନିର୍ବାଚନ ତାରିଖ ଘୋଷଣା ପରେ ଭୋଟରଙ୍କୁ ଭିଡିବାକୁ ରଣନୀତି ପ୍ରସ୍ତୁତ କରିଥିଲେ ୩ ପ୍ରମୁଖ ଦଳ । ବାଲେଶ୍ୱର ଓ ତିର୍ତ୍ତୋଲରେ ତ୍ରିମୁଖୀ ଲଢେଇ ହେଉଥିବା ବେଳେ ସମସ୍ତଙ୍କ ନଜର କିନ୍ତୁ ଅଟକିଛି ବାଲେଶ୍ୱର ସଦର ଉପରେ । କାରଣ ବାଲେଶ୍ୱରରେ ଶାସକ ଦଳ ନୁହେଁ ବରଂ ବିଜେପି ଗତ ସାଧାରଣ ନିର୍ବାଚନରେ ଏଠାରୁ ବିଜୟୀ ହୋଇଥିଲା । ଆଉ ବିଧାୟକ ମଙ୍ଗୁ ଦତ୍ତଙ୍କ ବିୟୋଗ ପରେ ସେଠି ପୁଣି ନିର୍ବାଚନ ହେଉଛି । ଥରେ ଗଡ ହରାଇଥିବା ବିଜେଡି ଆଉ ଥରେ ସେ ସୁଯୋଗ ବିଜେପିକୁ ଦେବନି ବୋଲି ବାଲେଶ୍ୱର ବାଜି ଜିତିବାକୁ ଲାଗିପଡିଛନ୍ତି ମାଳ ମାଳ ନେତା ମନ୍ତ୍ରୀ । ବିଜେଡିର ଅନେକ ହେଭିୱେଟ ବି ବାଲେଶ୍ୱରରେ କ୍ୟାମ୍ପ ପକାଇଥିଲେ ।
୧୨ ଜଣ ମନ୍ତ୍ରୀ, ୪୦ରୁ ଅଧିକ ବିଧାୟକ ଓ ସାଂସଦ, ଛାତ୍ର, ଯୁବ ଓ ମହିଳା ସଂଗଠନର ଶହ ଶହ କର୍ମୀ । ପ୍ରଚାର ମୈଦାନରେ ତୁଙ୍ଗ ନେତାଙ୍କ ଉପସ୍ଥିତି ହିଁ ପ୍ରମାଣ କରୁଥିଲା, ବାଲେଶ୍ୱର ବାଜିକୁ କେଉଁ ଭଳି ନେଇଛି ବିଜୁ ଜନତା ଦଳ । ବାଲେଶ୍ୱର ଉପ-ନିର୍ବାଚନ ଜିତିବା ପାଇଁ ପୂରା ଶକ୍ତି ଖଟାଇ ଦେଇଛି ବିଜେଡି । ୨୦୧୯ ନିର୍ବାଚନରେ ନିଜ ହାତରୁ ଚାଲିଯାଇଥିବା ଆସନ ଫେରି ପାଇବା ପାଇଁ ଦଳ, ଭରପୁର ପ୍ରୟାସ କରିଛି ।
ଖାଲି ବିଜେଡି ନୁହେଁ ବିଜେପି ବି ପ୍ରଚାରରେ ପଛରେ ନାହିଁ । ୨୦୧୯ ନିର୍ବାଚନରେ ସବୁଜ ଗଡକୁ ଗେରୁଆ କରି ଯେଉଁ ପଦ୍ମ ଫୁଟାଯାଇଥିଲା ତାହାକୁ ସହଜରେ ହାତଛଡା କରିବାକୁ ଚାହେଁନି ବିଜେପି । ତେଣୁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଚର୍ଚ୍ଚିତ ସାଂସଦ ଓ ବିଭିନ୍ନ ଷ୍ଟାର ପ୍ରଚାରକଙ୍କୁ ବାଲେଶ୍ୱରରେ ଛାଉଣି କରିଥିଲା ବିଜେପି । ବାପାଙ୍କ ମୃତ୍ୟୁ ପରେ ତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ପୁଅ ମାନସ ମଙ୍ଗୁ ଦତ୍ତଙ୍କ ଫଟୋ ଧରି ଘର ଘର ବୁଲି ପ୍ରଚାର କରୁଥିଲେ । ଅନ୍ୟପଟେ ମାଆ ବି ପୁଅର ବିଜୟ ପାଇଁ କାନ୍ଦି କାନ୍ଦି କାନି ପତାଇ ଭୋଟ ଭିକ୍ଷା କରୁଥିଲେ । କହିବାକୁ ଗଲେ ଏକପ୍ରକାର ସିମ୍ପାଥି ଭୋଟ ଗୋଟାଇବାକୁ ବିଜେପି ଫୁଲଦମରେ ଲାଗି ପଡିଥିବା ଚର୍ଚ୍ଚା ହେଉଛି ।
ସେପଟେ ବାଲେଶ୍ୱର ମୈଦାନରେ ମାଟି କାମୁଡି ପଡିଥିବା କଂଗ୍ରେସ ଏଥର ଉଠିବାକୁ ଚେଷ୍ଟା କରୁଛି । ଦୁଇ ଦଳ ପୁରୁଷ ଯୋଦ୍ଧାଙ୍କୁ କୁରୁକ୍ଷେତ୍ରକୁ ଛାଡିଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳିଛି । ଆଉ ସମାଜସେବୀ ମମତା କୁଣ୍ଡୁଙ୍କୁ ସାମ୍ନାକୁ ଆଣିଛି । ତେବେ ନେତା-ଅଭିନେତା, ନାଚ ଗୀତ, ବଡ ବଡ ରାଲି କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗି ପଡିଥିବା ୩ ଦଳ ଭିତରେ ହଠାତ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ବେଣୁ ମଉସା ।
ସଦରର ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ୯୦ ବର୍ଷୀୟ ବେଣୁଧର ବାରିକ ଲୋକଙ୍କ ସ୍ୱାର୍ଥ ଓ ବସ୍ତିବାସିନ୍ଦାଙ୍କ ହକ ପାଇଁ ଲଢୁଥିବା କହିବା ପରେ ତାଙ୍କ ପ୍ରତି ଜନ ସମର୍ଥନ ବଢ଼ିଥିଲା । ବଡ ବଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସାହାଯ୍ୟ ସହଯୋଗ କରି ଜିତାଇବାକୁ ଜି ଜାନ ଲଗାଇ ଦେଇଛନ୍ତି । ତେବେ ଇତି ମଧ୍ୟରେ ପ୍ରଚାର ସରିଛି, ଆଉ ଏବେ ମତଦାନକୁ ଅପେକ୍ଷା । ଦିନକ ପରେ ବିଧାୟକ ବାଛିବ ବାଲେଶ୍ୱର ଓ ତିର୍ତୋଲ । ଆଉ ତା ପରେ ଜଣାପଡିବ କିଏ ହେବ ସଦରର ସର୍ଦ୍ଦାର ଓ କିଏ ପିନ୍ଧିବ ତିର୍ତ୍ତୋଲ ତାଜ ?