ଭୁବନେଶ୍ୱର : ସଂଘ ଅଜାଣତରେ ପୁଲିସ ଅଫିସର୍ସ କ୍ଲବ ଜାଗାକୁ ଭଡ଼ାରେ ଦିଆଯିବା ପ୍ରସଙ୍ଗରେ ବିବାଦକୁ ଆସିଛନ୍ତି ନିକଟରେ କଟକ ଜିଲ୍ଲାକୁ ବଦଳି ହୋଇଥିବା ଇନ୍ସପେକ୍ଟର ବିରଞ୍ଚି ପତି। ସଂଘ ଏତଲା ମୁତାବକ ଶ୍ରୀ ପତି ନିଜ ବ୍ୟବହାର ପାଇଁ ସଂଘର କନ୍ଫରେନ୍ସ ହଲ ନେଇଥିଲେ। ଏନେଇ ସଂଘ ତାଙ୍କୁ ଅନୁମତି ଦେଇଥିଲା। କିନ୍ତୁ ଖୋଳତାଡ଼ ବେଳେ ସେଠାରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ସମ୍ପର୍କୀୟ ରହୁଥିବା ଜଣାପଡ଼ିଥିଲା। ଯାହାକୁ ସଂଘ ପ୍ରସଙ୍ଗ କରିଛି। ଜଣେ ଇନ୍ସପେକ୍ଟର ଭାବରେ ସେ କିଭଳି ସଂଘର ଘରକୁ ସମ୍ପର୍କୀୟଙ୍କୁ ରହିବା ପାଇଁ ଦେଲେ ବୋଲି ସଂଘ ପ୍ରଶ୍ନ ଉଠାଇଛି। ଫଳରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ପାଇଁ ଅଡ଼ୁ୍ଆ ବଢ଼ିଛି। ଗୋଟିଏ ପଟେ ସେ ସଂଘର ସକ୍ରିୟ ସଦସ୍ୟ ହୋଇଥିବା ବେଳେ ସଂଘ ଘରକୁ ଭଡ଼ାରେ ଦେବା ଭଳି ଘଟଣା ପାଇଁ ସଂଘ ଏବେ ହାତ ଛାଡ଼ି ଦେଇଛି। କୌଣସି ପରିସ୍ଥିତିରେ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସଂଘର ସଭାପତି ସତ୍ୟଜିତ ମିଶ୍ର ସ୍ପଷ୍ଟ କରିଛନ୍ତି। କିନ୍ତୁ ସହିଦନଗର ଥାନା ପୁଲିସ ମାମଲା ରୁଜୁ କରୁନାହିଁ। ଏଣୁ ମାମଲା ଚାପି ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ସହିଦନଗର ଫାଣ୍ଡି ଏହି ଜାଗାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ବେଳେ ଜାଗା କିଭଳି ଭଡ଼ାରେ ଦିଆଗଲା ବୋଲି ପ୍ରଶ୍ନ ଉଠିଛି। ଏଣୁ ଫାଣ୍ଡି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ସଂଘ ଭିତରେ ଅଭିଯୁକ୍ତ ଅଧିକାରୀଙ୍କର ସମର୍ଥକ ରହିଥିବାରୁ ସେମାନେ ସମାଧାନ ଚାହୁଛନ୍ତି। ଫଳରେ ସଂଘ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ମାମଲା ରୁଜୁ ନ ହେଲେ କିମ୍ବା କାର୍ଯ୍ୟାନୁଷ୍ଠାନ ନ ହେଲେ ପରିସ୍ଥିତି ଉଗ୍ରରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ସଭାପତି ଶ୍ରୀ ମିଶ୍ର କହିଛନ୍ତି, କୌଣସି ପରିସ୍ଥିତିରେ ଆପୋସ ସମାଧାନ କିମ୍ବା ଆଲୋଚନାର ପ୍ରଶ୍ନ ଉଠୁନାହିଁ। ମୁଁ ସଂଘ ପକ୍ଷରୁ ଏତଲା ଦେଇଛି। କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛି। କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ପରବର୍ତ୍ତୀ ପଦକ୍ଷେପ ପାଇଁ ବିଚାର ହେବ ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ୧୯୭୦ ମସିହାରେ ସରକାର ସହିଦନଗରରେ ପୁଲିସ ଅଫିସର୍ସ ଆସୋସିଏସନକୁ କ୍ଲବ୍ ପାଇଁ ଜମି ଯୋଗାଇ ଦେଇଥିଲେ। ଅଫିର୍ସସ ସଂଘ ସେଠାରେ କ୍ଲବ୍ ଘର ନିର୍ମାଣ କରିଥିଲା। ହେଲେ ହଠାତ୍ ଏହି ଜଗାରେ ଜଣେ ଲୋକ ଚିକେନ୍ କାଉଣ୍ଟର ଖୋଲିବା ପାଇଁ ଘର ତିଆରି କରୁଥିବା ଜଣାପଡ଼ିବା ପରେ ବିବାଦର ସୂତ୍ରପାତ ହୋଇଥିଲା।