ପୁରୁଣା ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଆସନ୍ତାକାଲି (ରବିବାର) ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦମକଳ ବାହିନୀ ପକ୍ଷରୁ ଆଜି ମନ୍ଦିର ରାସ୍ତା, ସିଂହଦ୍ବାର, ବାଇଶି ପାହାଚ ଓ ମନ୍ଦିର ବେଢ଼ାକୁ ସାନିଟାଇଜ୍ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାର ସଦସ୍ୟମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ। ସେମାନେ ଆଡ଼କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରିବେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ କହିବା ଅନୁଯାୟୀ କୋଭିଡ୍-୧୯ ସୁରକ୍ଷା ମାର୍ଗ ଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ବିଏମ୍ସି ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଡ୍ କରି ପୁଲିସକୁ ହସ୍ତାନ୍ତର କରାଯାଇଛି। ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ବଳ ସହ ୨ ସେକ୍ସନ ମହିଳା ପୁଲିସ ବଳ ନିୟୋଜିତ ହେବେ। ସମସ୍ତେ ଠିକ୍ ଭାବେ ମାସ୍କ ପିନ୍ଧିବା ସହ ୬ ଫୁଟ୍ର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ହାତଧୁଆ ଏବଂ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ପାନ ଓ ଗୁଟ୍ଖା ଖାଇବା ଏବଂ ମନ୍ଦିର ପରିସରରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି। ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶକୁ ବାରଣ କରାଯାଇଛି।