ତୃତୀୟ କରୋନା ଟିକା ଭାବେ ବ୍ରିଟେନରେ ବ୍ୟବହାର ଅନୁମତି ପାଇଲା ମଡର୍ଣ୍ଣା
ଲଣ୍ଡନ: ମଡର୍ଣ୍ଣା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି ଇଂଲଣ୍ଡ । ଫାଇଜର, ଅକ୍ସଫୋର୍ଡ ପରେ ବ୍ରିଟେନରେ ତୃତୀୟ କରୋନା ଟିକା ଭାବେ ମଡର୍ଣ୍ଣାକୁ ଅନୁମତି ମିଳିଛି । କରୋନାର ନୂଆ ଷ୍ଟ୍ରେନ୍ ଇଂଲଣ୍ଡରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ମଡର୍ଣ୍ଣା ଟିକାର ୭୦ ଲକ୍ଷ ଡୋଜ୍ ଯୋଗାଇ ଦେବା ପାଇଁ ପୂର୍ବରୁ କଂପାନୀକୁ ଅର୍ଡର ଦେଇଥିଲେ ବ୍ରିିଟେନ୍ ସରକାର । ଇଂଲଣ୍ଡରେ ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ଫାଇଜର ଟିକାର ଗୋଟିଏ ଡୋଜ୍ ଦିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଫାଇଜର ଟିକା ପାଇଁ ମାଇନସ୍ ୭୦ ଡିଗ୍ରି ତାପମାତ୍ରା ଆବଶ୍ୟକ ହେଉଥିବାରୁ ବ୍ୟାପକ ଟିକାକରଣରେ ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଫ୍ରିଜ୍ ତାପମାତ୍ରାରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଗଚ୍ଛିତ ରଖିବା ଓ ପରିବହନ ସହଜ ହୋଇଥିବାରୁ ଏହା ଉପରେ ନିର୍ଭରଶୀଳତା ବଢ଼ିଯାଇଛି । ତେଣୁ ତୃତୀୟ ଟିକା ଭାବେ ମଡର୍ଣ୍ଣାକୁ ବ୍ୟବହାର କରିବା ପାଇଁ ଅନୁମତି ଦେଇଛି ବ୍ରିିଟେନ୍ ।
ଆମେରିକୀୟ କଂପାନୀ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାକୁ ୩୦ ହଜାର ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି । କୋଭିଡ ମୁକାବିଲାରେ ଏହା ୯୪ରୁ ୯୫ ପ୍ରତିଶତ ଫଳପ୍ରଦ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ଡୋଜର ୧୪ ଦିନ ପରେ ଏହା ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ତିଆରି କରିଥାଏ । ଅକ୍ସଫୋର୍ଡ ଟିକା ଭଳି ମଡର୍ଣ୍ଣା ଟିକା, ସାଧାରଣ ଫ୍ରିଜ୍ ତାପମାତ୍ରାରେ ଗଚ୍ଛିତ ଓ ପରିବହନ ସାପେକ୍ଷ ହୋଇଥିବାରୁ ଏହି ଟିକାକୁ ଗୁରୁତ୍ୱ ଦେଉଛି ବ୍ରିଟେନ୍ ।