ପାତ୍ରପୁର: ଗଂଜାମ ଜିଲ୍ଳା ଜରଡା ଥାନା ଅନ୍ତର୍ଗତ ବୁରାତାଲ ଠାରେ ଗୁରୁବାର ସକାଳୁ କିଙ୍ଗ୍ ନାମକ ଏକ ଯାତ୍ରୀବାହୀ ବସ୍ (ଓଆର୍ ୦୫ ଡବ୍ଲ୍ୟୁ-୨୮୫୬ ) ବ୍ରେକ୍ ଫେଲ୍ ହେବା ଯୋଗୁଁ ଓଲଟି ପଡ଼ିଥିବା ଜଣାପଡ଼ିଛି। ପ୍ରତିଦିନ ଭଳି ଆଜି ମଧ୍ୟ ବୁରାତାଲରୁ ଗାଡ଼ି ବାହାରି ଚିକିଟି ଅଭିମୁଖେ ଯାତ୍ରା କରୁଥିଲା। ବୁରାତାଲ ଠାରେ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯିବାରୁ ଏହା ତଳକୁ ଖସି ପଡ଼ିଥିଲା। ଏଥିରେ ସୁବର୍ଣ୍ଣପୁର ଗ୍ରାମର ଗାଡ଼ି ହେଲପର୍ ଥିବା ରଜନୀ କାନ୍ତ ମହାନ୍ତି( ୪୭)ଗୁରୁତର ଆହତ ହୋଇଛନ୍ତି। ରଜନୀଙ୍କୁ ପ୍ରଥମେ ପାତ୍ରପୁର ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। କୌଣସି ଲୋକ ବସିନଥିବାରୁ ଏକ ବିରାଟ ଦୁର୍ଘଟଣାରୁ ରକ୍ଷା ମିଳିଯାଇଛି।