ଟୋକିଓ: କରୋନା ମହାମାରୀ ସଙ୍କଟ ପାଇଁ ଗତବର୍ଷ ଆୟୋଜକ ଯେତେବେଳେ ଟୋକିଓ ଅଲିମ୍ପିକ୍ସକୁ ଚଳିତବର୍ଷ ଜୁଲାଇ-ଅଗଷ୍ଟକୁ ଘୁଞ୍ଚାଇଲେ, ସେତେବେଳେ ‘ଟୋକିଓ ଅଲିମ୍ପିକ୍ସ ୨୦୨୦’ ନାଁକୁ ଅପରିବର୍ତ୍ତିତ ରଖିଥିଲେ। ଏହାକୁ କୌଣସି ଗୁମ୍ଫାର ଶେଷ ଭାଗକୁ ଆଲୋକିତ କରୁଥିବା ସେହି ପ୍ରେରଣାଦାୟୀ ଓ ଉଜ୍ଜ୍ବଳ କିରଣ ସହ ତୁଳନା କରାଯାଉଥିଲା। ପୁରୁଣା ନାମକୁ ସୁରକ୍ଷିତ ରଖି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ଲୋଗୋ, ପ୍ୟାକେଜିଂ, ଟି-ସାର୍ଟ, ଅଲିମ୍ପିକ୍ସ ସଂପର୍କିତ ପ୍ରସାର ସାମଗ୍ରୀ, ପ୍ରସାରଣ ସାଇରନ୍ ଏବଂ ସ୍ଲୋଗାନ ଉପରେ ପ୍ରାୟୋଜକ ଏବଂ ସହଯୋଗୀଙ୍କର ହୋଇ ସାରିଥିବା କୋଟି କୋଟି ଟଙ୍କାର ଖର୍ଚ୍ଚ କମାଇବାକୁ ଚେଷ୍ଟା କରିଥିଲା। ମାନବ ଜାତିର ଅଦୃଶ୍ୟ ଓ ଅସ୍ବାଭାବିକ ଶତ୍ରୁ କରୋନାର ପ୍ରକୋପ ଏବେବି କମିନି। ପରିସ୍ଥିତି ସେତେଟା ବି ବଦଳି ଯାଇନି। ତଥାପି ନାନା ସମାଲୋଚନା, ବିରୋଧ ଓ ବିକ୍ଷୋଭ ସତ୍ତ୍ବେ ଆୟୋଜକ କିନ୍ତୁ ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ କରିବାର ଦମ୍ଭ ଏବେବି ଭରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଯଦି ସତରେ ହୁଏ, ତାହାଲେ କୌଣସି ମହାମାରୀ ସମୟରେ ଅଲିମ୍ପିକ୍ସ ଭଳି ବୃହତ୍ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବାର ଏହା ପ୍ରଥମ ଘଟଣା ହେବ। ଆଧୁନିକ ଅଲିମ୍ପିକ୍ସ ଆରମ୍ଭ ହେବାଠାରୁ ପ୍ରଥମ ଥର ପାଇଁ ମଧ୍ୟ କୌଣସି ଅଲିମ୍ପିକ୍ସରେ ବିଦେଶୀ ଦର୍ଶକଙ୍କ ଷ୍ଟାଡିୟମ୍ ପ୍ରବେଶ ଉପରେ ମଧ୍ୟ ଅଙ୍କୁଶ ଲାଗିବ। ଗତ ବର୍ଷର ଅଲିମ୍ପିକ୍ସକୁ ଦେଖିବା ଲାଗି ପାଖାପାଖି ୬,୦୦,୦୦୦ ବିଦେଶୀ ଦର୍ଶକ ଜାପାନ ଆସିବାର ଆଶା ଥିଲା। ଯାହା ଉପରେ ଏବେ ବାସନ୍ଦାଦେଶ ଜାରି କରିବା ଲାଗି ବିଚାର ଚାଲିଛି। ଏପରିକି ଏକ ଅସାଧାରଣ ଘଟଣାକ୍ରମେ ଖେଳାଳିଙ୍କୁ ସଂକ୍ରମଣରୁ ବଞ୍ଚାଇବା ଲାଗି ଏବଂ ପୂର୍ବରୁ ଚାପଗ୍ରସ୍ତ ଥିବା ଟୋକିଓ ସ୍ବାସ୍ଥ୍ୟ ସେବା ଉପରେ ଆଉ ଅତିରିକ୍ତ ଚାପ ସୃଷ୍ଟି ନକରିବାକୁ ଘରୋଇ ଦର୍ଶକଙ୍କ ପ୍ରବେଶ ଉପରେ ବି କଟକଣା ଲାଗୁ କରିଥିବା ସ୍ଥାନୀୟ ଆୟୋଜନ ସମିତି ଚିନ୍ତା କରୁଛି। ଏସବୁ ଦୃଷ୍ଟିରୁ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ସବୁ ଅଲିମ୍ପିକ୍ସଠାରୁ ଅଲଗା ଓ ଅନନ୍ୟ ହେବ। ବାତିଲ ହେଲେ କିନ୍ତୁ ଅଲିମ୍ପିକ୍ସ ଆୟୋଜନ ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରିଥିବା ଜାପାନ ଅର୍ଥନୀତି ପାଇଁ ଏହା ଏକ ଶକ୍ତ ଧକ୍କା ହେବ।
୨୦୨୦ରେ ସ୍ଥଗିତ ହେବା ପରେ ଟୋକିଓ ଅଲିମ୍ପିକ୍ସ ଚଳିତବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ଏବଂ ପାରାଲିମ୍ପିକ୍ସ ଅଗଷ୍ଟ ୨୪ରୁ ଆରମ୍ଭ ହେବାର ଥିଲା। ଏହା ମଧ୍ୟ କୌଣସି ଅଯୁଗ୍ମ ବର୍ଷରେ ଆୟୋଜିତ ହେବାରେ ପ୍ରଥମ ଅଲିମ୍ପିକ୍ସ ହୋଇଥା’ନ୍ତା। ଏବେ କିନ୍ତୁ ସବୁକିଛି କରୋନା ସ୍ଥିତି ଉପରେ ନିର୍ଭର କରୁଛି। ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା କିନ୍ତୁ ଅଲିମ୍ପିକ୍ସ ଆୟୋଜନ ସପକ୍ଷରେ ଅଛନ୍ତି। ତେବେ ଏକଥା ବି ଶତ ପ୍ରତିଶତ ସତ ଯେ ଚଳିତ ବର୍ଷ ଯଦି ଅଲିମ୍ପିକ୍ସ ଆୟୋଜିତ ହୋଇ ନପାରେ, ତାହାଲେ ଏହାକୁ ସଂପୂର୍ଣ୍ଣ ବାତିଲ କରାଯିବ। ଗତବର୍ଷ ଭଳି ସ୍ଥଗିତ ରଖାଯିବ ନାହିଁ। ଏକଥା କିଛି ଦିନ ପୂର୍ବେ ଆୟୋଜନ ସମିତି ଓ ଆଇଓସି ଘୋଷଣା କରି ସାରିଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ କରୋନା ସଂକ୍ରମଣର ମାତ୍ରା ବଢ଼ିବା କ୍ଷଣି ହିଁ ଅଲିମ୍ପିକ୍ସକୁ ସ୍ଥଗିତ କରି ଦିଆଯାଇଥିଲା। ଆଶା କରାଯାଉଥିଲା ଚଳିତବର୍ଷ ମାର୍ଚ-ଏପ୍ରିଲ ବେଳକୁ ସ୍ଥିତି ଠିକ୍ ହୋଇ ଯାଇଥିବା। ହେଲେ ମେ’ ଯାଇ ଜୁନ୍ ଆସିବାକୁ ହେଲାଣି କରୋନାର ଲହର ପରେ ଲହର ମାଡ଼ି ଚାଲିଛି। ଖୋଦ୍ ଟୋକିଓରେ ତୃତୀୟ ଥର ପାଇଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହାର ଅବଧିକୁ ବଢ଼ାଇ ଦିଆଯାଇଛି।
ଏବେବି ବାତିଲ ହୋଇପାରେ କି?
ଯଦି କେହି ପ୍ରଶ୍ନ କରନ୍ତି, ଏବେବି କ’ଣ ଟୋକିଓ ଅଲିମ୍ପିକ୍ସ ବାତିଲ ହୋଇ ପାରିବ? ତେବେ ତାହାର ଉତ୍ତର ହେବ ହଁ। ତେବେ ଅଲିମ୍ପିକ୍ସ ଆୟୋଜନ ନହେବାର ଆଶଙ୍କା ଦିନକୁ ଦିନ କମୁଛି। ଯେ ପର୍ଯ୍ୟନ୍ତ କରୋନାର କୌଣସି ନୂଆ ତଥା ଅଧିକ ବିପଜ୍ଜନକ ଷ୍ଟ୍ରେନ୍ ବିଶ୍ବବ୍ରହ୍ମାଣ୍ଡର ବ୍ୟାପକ କ୍ଷତି ନକରିଛି, ଅନ୍ତତଃ ସେ ପର୍ଯ୍ୟନ୍ତ ନୁହେଁ। ଜାପନରେ ସଂକ୍ରମଣ ପ୍ରତିଶତ ବି ବିଶ୍ବର ଅନ୍ୟ ବିକଶିତ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ ରହିଛି। ହେଲେ ୩୭ଟି ବିକଶିତ ଦେଶ ମଧ୍ୟରେ ଜାପାନର ଟିକା କରଣ ସଂଖ୍ୟା ବି ସବୁଠାରୁ କମ୍ ରହିଛି।
ସ୍ଥଗିତ ହେବା ପରେ ୨ ଲକ୍ଷ କୋଟିର କ୍ଷତି
୨୦୨୦ରୁ ୨୦୨୧ ମସିହାକୁ ଅଲିମ୍ପିକ୍ସ ସ୍ଥଗିତ ହେବା ପରେ ଜାପାନ ସରକାର, ଟୋକିଓ ପ୍ରଶାସନ ଏବଂ ସ୍ଥାନୀୟ ଆୟୋଜନ ସମିତିର ପାଖାପାଖି ୩୦୦ ବିଲିୟନ୍ ୟେନ୍ ବା ୨.୮ ବିଲିୟନ ଡଲାରର କ୍ଷତି ହୋଇଛି। ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୨ ଲକ୍ଷ କୋଟି ଟଙ୍କା ହେବ। କାରଣ ଆୟୋଜକ ସହର ଏବଂ ଆଇଓସି ମଧ୍ୟରେ ହୋଇଥିବା ଚୁକ୍ତିରେ ସ୍ଥଗିତ ହେବା ନେଇ ସୃଷ୍ଟି ହେଉଥିବା ଆର୍ଥିକ ସମସ୍ୟାରେ ଆଇଓସିର କୌଣସି ସହଭାଗିତା ନଥାଏ। ବିଦେଶୀ ଦର୍ଶକଙ୍କ ଆଗମନ ଉପରେ ଅଙ୍କୁଶ ଆୟୋଜନ ସମିତି ଓ ଜାପାନ ଅର୍ଥନୀତି ପାଇଁ ଆଉ ଏକ ଶକ୍ତ ଧକ୍କା ହୋଇଛି। ପ୍ରାୟୋଜକ ବି ଏହା ଦ୍ବାରା ଢେର ପ୍ରଭାବିତ ହୋଇଛନ୍ତି। ଆଇଓସିର ୧୪ଟି ବୃହତ୍ ବହୁରାଷ୍ଟ୍ରୀୟ କଂପାନି ସହ ଚୁକ୍ତି ରହିଛି। ଏହି କଂପାନିଗୁଡ଼ିକ ପ୍ରତି ୪ ବର୍ଷରେ ଆଇଓସିକୁ ପାଖାପାଖି ୭,୦୦୦ କୋଟି ଟଙ୍କା ଦିଅନ୍ତି, ଯାହା ଏକାଧିକ ଅଲିମ୍ପିକ୍ସ ଲାଗି ବ୍ୟାପ୍ତ ହୋଇଥାଏ। ହେଲେ ସ୍ଥାନୀୟ ଆୟୋଜନ ସମିତି ନିଜ ଦେଶର କଂପାନିଗୁଡ଼ିକ ସହ କେବଳ ଗୋଟିଏ ଅଲିମ୍ପିକ୍ସ ପାଇଁ ଚୁକ୍ତି କରନ୍ତି। ଏଥର ଜାପାନ କଂପାନିଗୁଡ଼ିକ ଆୟୋଜନ ସମିତିକୁ ୩.୩ ବିଲିୟନ ଡଲାର ବା ପାଖାପାଖି ୨ ଲକ୍ଷ ୪୦ ହଜାର କୋଟି ଟଙ୍କା ଦେଇଥିଲେ। ଯାହା ରିଓ ଅଲିମ୍ପିକ୍ସ ଆୟୋଜନ ସମିତି ସଂଗ୍ରହ କରିଥିବା ପ୍ରାୟୋଜନ ରାଶିର ୩ଗୁଣା ଥିଲା।