କୋଇଲା ଡେସ୍‌ପାଚ୍‌ରେ ଓଡ଼ିଶା ପ୍ରଥମ, ଉତ୍ପାଦନରେ ଦ୍ବିତୀୟ

ନୂଆଦିଲ୍ଲୀ: କୋଇଲା ଡେସପାଚ୍ କରିବାରେ ଓଡିଶା ୨୦୨୦-୨୧ରେ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ଏହି ଆର୍ଥିକ ବର୍ଷରେ ୧୫୧.୧୯୨ ନିୟୁତ ଟନ୍‌ କୋଇଲା ଓଡିଶ‌ାରୁ ଡେସ୍‌ପାଚ୍‌ ହୋଇଥି‌ଲା। ଓଡିଶାରୁ ପଠାଯାଇଥିବା କୋଇଲାର ଭାଗ ହେଉଛି ୨୧.୯୯%। କୋଇଲା ପଠାଇବାରେ ଛତିଶଗଡ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଗତକାଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶିୀଙ୍କ ଦ୍ବାରା ଉନ୍ନୋଚନ କରାଯାଇଥିବା କୋଇଲା ପରିସଂଖ୍ୟାନ ରିପୋର୍ଟ ୨୦୨୦-୨୧ରୁ ଏହି ସୂଚନା ମିଳିଛି। ରିପୋର୍ଟରେ କୋଇଲା ଉତ୍ପାଦନକାରୀ ଚାରି ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି।୨୦୨୦-୨୧ରେ ଓଡିଶାରେ ୧୫୪.୧୫୦ ନିୟୁତ ଟନ୍ କୋଇଲା ଉତ୍ପାଦନ କରାଯାଇଥିଲା ଯାହା ‌ସାରା ଦେଶରେ ହୋଇଥିବା ଉତ୍ପାଦନର ୨୧.୫ ପ୍ରତିଶତ ସହ ସମାନ। ଛତିଶଗଡ଼ ସର୍ବାଧିକ ୧୫୮.୪୦୯ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରି ପ୍ରଥମ ସ୍ଥାନରେ ଥିବା ବେଳେ ମଧ୍ୟପ୍ରଦେଶ ତୃତୀୟ ଓ ଝାଡ଼ଖଣ୍ଡ ଚତୁର୍ଥ ସ୍ଥାନରେ ରହିଛି।

ଦେଶରେ ଉତ୍ପାଦନ ହୋଇଥିବାର ମୋଟ କୋଇଲାରୁ ୭୮.୮୨ ପ୍ରତିଶତ ଏହି ଚାରି ରାଜ୍ୟରୁ ଆସିଛି। ୨୦୨୦-୨୧ରେ ଦେଶରେ ସମୁଦାୟ କୋଇଲା ଉତ୍ପାଦନର ପରିମାଣ ୭୧୬.୦୮୪ ନିୟୁତ ଟନ ରହିଥିବାବେଳେ ଏଥିରେ ଓଡିଶାର ଯୋଗଦାନ ରହିଛି ୧୫୪.୧୫୦ ନିୟୁତ ଟନ୍‌। ରିପୋର୍ଟରେ ର’ କୋଇଲା ଉତ୍ପାଦନ ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି। ଗତ ୧୦ ବର୍ଷରେ ରାଜ୍ୟରେ ସମୁଦାୟ ୧୩୧୪.୭୪୬ ନିୟୁତ ଟନ ର’ କୋଇଲା ଉତ୍ପାଦନ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।୨୦୨୦-୨୧ରେ ଓଡିଶାରେ ର’ କୋଇଲ ଉତ୍ପାଦନ ୭.୭୯ ପ୍ରତିଶତ ବଢିଥିବାର ରିପୋର୍ଟରେ କୁହାଯାଇଛି । ଓଡିଶାରେ ର’ କୋଇଲା ଉତ୍ପାଦନରେ ନିୟୋଜିତ ଏମ୍‌ସିଏଲ୍‌, ଓପିସିଏଲ୍‌, ଏନ୍‌ଏଲ୍‌ସିଆଇଏଲ୍‌, ଜିଏମ୍‌ଆର୍‌,ଏନ୍‌ଟିପିସି ଓ ଓସିଏଲ୍‌ କୋଲ୍‌ କଂପାନିମାନଙ୍କ ମଧ୍ୟରୁ ଏମ୍‌ସିଏଲ୍‌ ୨୦୨୦-୨୧ରେ ସର୍ବାଧିକ ୧୪୮.୦୧୨ ନିୟୁତ ଟନ୍ ର’କୋଇଲା ଉତ୍ପାଦନ କରିଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର