ପଞ୍ଜାବ କଂଗ୍ରେସରେ ଗୋଷ୍ଠୀ କନ୍ଦଳ : ଆଜି ଦୁଇ ନେତାଙ୍କ ଶକ୍ତି ପ୍ରଦର୍ଶନ, ସିଦ୍ଧୁଙ୍କ ବାସଭବନରେ ପହଂଚିଲେ ୬୨ ବିଧାୟକ
ଚଣ୍ଡିଗଡ଼ : ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବି କଂଗ୍ରେସ କନ୍ଦଳ ମେଣ୍ଟିବାର ନା ନେଉନି । ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁ ମନୋନୀତ ହେବା ପରେ ସେ ନିଜର ସମର୍ଥକଙ୍କୁ ଭେଟିବାରେ ଲାଗିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ତାଙ୍କ ଦୁର୍ଗ ମଜବୁତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଦୁଇ ନେତା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କ୍ରମରେ ଆଜି ସିଦ୍ଧୁ ଅମୃତସର ବାସଭବନରେ କଂଗ୍ରେସ ବିଧାୟକ ମାନଙ୍କ ପାଇଁ ଏକ ଭୋଜିର ବ୍ୟବସ୍ଥା କରିଥିବା ବେଳେ ତାଙ୍କ ପାଖରେ ୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଗତକାଲି ସିଦ୍ଧୁ ଅମୃତସରରେ ପହଂଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଜି ଦଳୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜିତ କରିଛନ୍ତି । ହେଲେ ଏହି କାର୍ଯ୍ୟକ୍ରମକୁ ସିଦ୍ଧୁଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ । ଏହି ଭୋଜି କାର୍ଯ୍ୟକ୍ରମ ମାଧ୍ୟମରେ କ୍ୟାପଟେନ୍ କେନ୍ଦ୍ରୀୟ ନେତୃତ୍ୱଙ୍କୁ କିଛି ସନ୍ଦେଶ ଦେବେ ବୋଲି ଅନୁମାନ କରାଯାଉଛି ।
କହିରଖୁ କି ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବି କ୍ୟାପଟେନ୍ ତାଙ୍କୁ ଶୁଭେଚ୍ଛା ଜଣାଇ ନଥିବାରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ଅମରିନ୍ଦର ସିଂ ଖୁସି ନଥିବା ସ୍ପଷ୍ଟ ହୋଇଛି । ଅନ୍ୟପଟେ କ୍ୟାପଟେନ୍ ସ୍ପଷ୍ଟ କରିଛନ୍ତି କି, ଯେତେବେଳେ ପର୍ଯ୍ୟନ୍ତ ସାର୍ବଜନୀକ ଭାବେ ସିଦ୍ଧୁ ତାଙ୍କୁ କ୍ଷମା ମାଗି ନାହାନ୍ତି ସେତେବେଳ ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କୁ ଭେଟିବେ ନାହିଁ ।