ଆଜିଠୁ ଭୁବନେଶ୍ବରରେ ସେରୋ ସର୍ଭେ
୧୨ଟି ଜିଲ୍ଲାରେ ସଂଗ୍ରହ ହେବ ୬୬୮୦ ନମୁନା
ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ବରରେ ସେରୋସର୍ଭେ ଆରମ୍ଭ ହେବାକୁ ଯାଉଛି। ଦୁଇ ଦିନ ଧରି ହେବାକୁ ଥିବା ଏହି ସର୍ଭେ ପାଇଁ ବିଭିନ୍ନ ବୟସର ୨ଶହ ଜଣଙ୍କୁ ଏଥିରେ ସାମିଲ କରାଯିବାକୁ ଯୋଜନା ହୋଇଛି। ବିଏମ୍ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ୮,୧୫, ୩୨, ୪୧ ଓ ୬୩ ୱାର୍ଡରେ ସେରୋସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ। ଏଥିପାଇଁ ୫ ୱାର୍ଡରେ ୫ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ଗତକାଲିଠାରୁ ସେରୋ ସର୍ଭେ ଆରମ୍ଭ ହୋଇଛି। ଆରଏମ୍ଆରସି ପକ୍ଷରୁ ରାଜ୍ୟର ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ। ଖୋର୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ରହିଛି।
ପ୍ରଥମ ଥର ଲାଗି ଏହି ସେରୋସର୍ଭେରେ ନମୁନା ସଂଖ୍ୟା ପୂର୍ବ ତୁଳନାରେ ଅଧିକ ରହିଛି। ପୂର୍ବରୁ ରାଜ୍ୟରେ ହୋଇଥିବା ସେରୋସର୍ଭେରେ ୧୮ବର୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ମାତ୍ର ଏଥର ବୟସ୍କଙ୍କ ସମେତ ୧୮ବର୍ଷରୁ କମ୍ ପିଲାଙ୍କୁ ସାମିଲ କରିବା ଲାଗି ନିଷ୍ପତ୍ତି ହୋଇଛି। କରୋନା ଟିକାକରଣ ପରେ ଏଭଳି ବଡ଼ଧରଣର ସର୍ଭେରୁ ରାଜ୍ୟରେ କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ସ୍ପଷ୍ଟ ହୋଇପାରିବ ବୋଲି ଆରଏମ୍ଆରସି ପକ୍ଷରୁ କୁହାଯାଇଛି।
ସେହିପରି କମ୍ୟୁନିଟିସ୍ତରରେ ରାଣ୍ଡମ୍ ୪୦ ନମୁନା, ୧୦୦ ସ୍ବାସ୍ଥ୍ୟକର୍ମୀକୁ ମିଶାଇ ୧୨ଟି ଜିଲ୍ଲାରେ ସମୁଦାୟ ୧୩୭ଟି କ୍ଲଷ୍ଟରରୁ ନମୁନା ସଂଗ୍ରହ କରାଯିବ। ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୧୨ଶହ ଓ କମ୍ୟୁନିଟିରୁ ୫୪୮୦ ନମୁନାକୁ ମିଶାଇ ସମୁଦାୟ ୬୬୮୦ ନମୁନା ନିଆଯିବ। କମ୍ୟୁନିଟିରୁ ସଂଗ୍ରହ ହେବାକୁ ଥିବା ନମୁନାରେ ୬-୧୭ବର୍ଷର ୧୬୪୪, ବୟସ୍କ ୩୮୩୬ ବ୍ୟକ୍ତି ରହିବେ। ଏଥିପାଇଁ ୬ଟି ଟିମ୍ ନିୟୋଜିତ ହେବେ। ଏଥିରେ ଜଣେ ସୁପରଭାଇଜର୍, ରିସର୍ଚ୍ଚ ଆସିଷ୍ଟାଣ୍ଟ, ଫ୍ଲେବୋଟୋମିଷ୍ଟ ଓ ଜଣେ ଡାଟାଏଣ୍ଟ୍ରି ଅପରେଟର୍ ରହିବେ ବୋଲି ଆରଏମ୍ଆରସି ପକ୍ଷରୁ କୁହାଯାଇଛି। କିଛି ଦିନ ପୂର୍ବରୁ ଜାତୀୟସ୍ତରରେ ହୋଇଥିବା ସେରୋସର୍ଭେରେ ରାଜ୍ୟର ୩ଟି ଜିଲ୍ଲା ସାମିଲ ହୋଇଥିଲା। ଏଥିରେ ଗଞ୍ଜାମରେ ୭୦.୯, ରାୟଗଡ଼ା ୬୩ ଓ କୋରାପୁଟରେ ୬୧,୩ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ସେହିପରି କରୋନାର ପ୍ରଥମର ଲହର ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିନ୍ନଭିନ୍ନ ପର୍ଯ୍ୟାୟରେ ସେରୋସର୍ଭେ କରାଯାଇଥିଲା।