ନୂଆଦିଲ୍ଲୀ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ହଠାତ୍ ଇସ୍ତଫା ଦେବା ଓ ନାଟକୀୟ ଢଙ୍ଗରେ ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହେବା ପରେ ପୁଣି ଆଉ ଏକ ରାଜ୍ୟରେ ବିଜେପି ତା’ର ମୁଖ୍ୟମନ୍ତ୍ରୀ ଚେହରା ବଦଳାଇବ ବୋଲି ଚର୍ଚ୍ଚା ଜୋର ଧରିଛି । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇଦିନ ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କ ସହ ଭେଟ କରି ଫେରିବା ପରେ ପୁଣିଥରେ ତାଙ୍କୁ ଦଳ ହାଇକମାଣ୍ଡ ଦିଲ୍ଲୀ ଡାକିଛନ୍ତି । ଏହାକୁ ନେଇ ଏବେ ବିଜେପି ଶିବିରରେ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ଦିଲ୍ଲୀ ଡକାଯିବା ଘଟଣାକୁ ଗୁଜୁରାଟ ସହିତ ଯୋଡା ଯାଉଛି ।
ଏଭଳି ଘଟଣା ପରେ ହିମାଚଳ କଂଗ୍ରେସ ପକ୍ଷରୁ କୁହାଯାଇଛି କି, ଜୟରାମ ଠାକୁର ମନ୍ତ୍ରୀ ପଦରୁ ଖୁବଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି । ଅନ୍ୟପଟେ ଏଭଳି ଆଲୋଚନାକୁ ବିଜେପି ଖଣ୍ଡନ କରିଛି । ବିଜେପି କହିଛି କି, ପ୍ରଥମରୁ ଘୋଷଣା କରାଯାଇଛି ଯେ, ୨୦୨୨ ବିଧାନସଭା ନିର୍ବାଚନ ଜୟରାମ ଠାକୁରଙ୍କ ନେତୃତ୍ୱରେ ଲଢାଯିବ ।
ଉଲ୍ଲେଖଯୋଗ୍ୟ. ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗତ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୮ ତାରିଖରେ ଦିଲ୍ଲୀ ଯାଇଥିଲେ । ବୁଧବାର ଦିନ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ । ଗୁରୁବାର ଦିନ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହିମାଚଳ ଆସିବାକୁ ନିମନ୍ତ୍ରଣ କରିଥିଲେ । ଆଜି ସେ ପୁଣି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ହିମାଚଳର କିଛି ଆସନରେ ହେବାକୁ ଥିବା ଉପନିର୍ବାଚନ ବାବଦରେ ଆଲୋଚନା କରିବାକୁ ଦଳର ହାଇକମାଣ୍ଡ ତାଙ୍କୁ ଦିଲ୍ଲୀ ଡାକିଥିବା କୁହାଯାଉଛି ।