ପ୍ରତିବାଦ ଶାନ୍ତିପୂର୍ଣ୍ଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବସ୍, ଟ୍ରେନ୍ ସହିତ ସାଧାରଣ ପରିବହନରେ ବାଧା ସୃଷ୍ଟି କରାଯିବନାହିଁ
କଟକ : କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ପ୍ରସଂଗରେ ହାଇକୋର୍ଟ ଆଜି ଗରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। କହିଛନ୍ତି ଯେ ନଭେମ୍ବର ୧୨ ତାରିଖରେ ରାଜ୍ୟର ଯେକୌଣସି ସ୍ଥାନରେ ଯାହା ବି ପ୍ରତିବାଦ ଆୟୋଜନ କରାଯିବ, ତାହା ଶାନ୍ତିପୂର୍ଣ୍ଣ ହେବା ଉଚିତ। ଜନସାଧାରଣଙ୍କ ପାଇଁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବନାହିଁ। ନିର୍ଦ୍ଦିଷ୍ଟ ଭାବେ ଜୋର୍ ଜବରଦସ୍ତ ଭାବେ ଆଇନସମ୍ମତ କାର୍ଯ୍ୟକାଳାପ, ଦୋକାନ ବା ଅନୁଷ୍ଠାନ ବନ୍ଦ ପାଇଁ ଉଦ୍ୟମ କରାଯିବ ନାହିଁ। ବସ୍, ଟ୍ରେନ୍ ଚଳାଚଳ ସହିତ ସମସ୍ତ ପ୍ରକାର ସଧାରଣ ଓ ଘରୋଇ ପରିବହନ ବ୍ୟବସ୍ଥାରେ ବାଧା ସୃଷ୍ଟି କରାଯିବ ନାହିଁ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆଦିତ୍ୟ କୁମାର ମାହପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନରେଶ କୁମାର ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ପକ୍ଷରୁ ନଭେମ୍ବର ୧୨ରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରସଂଗରେ ଶ୍ରୀ ମିଶ୍ର ଦାୟର କରିଥିବା ଆବେଦନର ଆଜି ଦିନ ୪ଟାରେ ଶୁଣାଣି ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ବାଳ ଭର୍ଚୁଆଲ ମୋଡ୍ରେ ଉପସ୍ଥିତ ରହି ଦର୍ଶାଇଥିଲେ ଯେ ସମ୍ବିଧାନର ଧାରା ୧୯(୧)(କ) ଓ (ଖ)ରେ ପ୍ରଦତ୍ତ ଅଧିକାର ଅନୁସାରେ କଂଗ୍ରେସ କର୍ମୀ ଓ ସଦସ୍ୟମାନେ ନଭେମ୍ବର ୧୨ରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ। କାହାପାଇଁ ଅସୁବିଧା ସୃଷ୍ଟି କରିବେ ନାହିଁ। କାହାକୁ ଦୋକାନ ବନ୍ଦ ପାଇଁ ତଥା ପ୍ରତିବାଦରେ ଯୋଗ ଦେବା ଲାଗି ବାଧ୍ୟ କରିବେ ନାହିଁ। ବସ୍, ଟ୍ରେନ୍ ଚଳାଚଳ ସହିତ ଓ ଅନ୍ୟ କୌଣସି ସାଧାରଣ ପରିବହନ ବ୍ୟବସ୍ଥାରେ ବାଧା ସୃଷ୍ଟି କରିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଯଦି କେହି ଦୋକାନ ବା ବ୍ୟାବସାୟିକ ପ୍ରତିଷ୍ଠାନ ତଥା ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ କରନ୍ତି ବା ବନ୍ଦ୍ରେ ସାମିଲ ହେବାକୁ ବଳ ପ୍ରୟୋଗ କରନ୍ତି ବା ସ୍ବାଭାବିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରନ୍ତି ବା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି ତେବେ ଆଇନ ଅନୁସାରେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ଶ୍ରୀ ବିଶ୍ବାଳ କହିଥିଲେ।
ଭର୍ଚୁଆଲ ମୋଡ୍ରେ ଶୁଣାଣି ସମୟରେ ପୁଲିସ ଡିଜି ଓ ପୁଲିସ କମିସନର ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସବୁ ସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ଯେଭଳି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବନାହିଁ, ଜନସାଧାରଣଙ୍କ ପାଇଁ ଅସୁବିଧା ନ ହେବ, ବ୍ୟବସାୟ ଓ ସ୍ବାଭାବିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ନ ହେବ ତାହା ସୁନିଶ୍ଚିତ କରିବାକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ଯଦି ଏହି ପ୍ରସଂଗରେ ବାଧା ସୃଷ୍ଟି କରିବାକୁ କେହି ଉଦ୍ୟମ କରନ୍ତି ତେବେ ତାହାକୁ ପ୍ରତିରୋଧ କରିବାକୁ ଆଇନଗତ ପଦକ୍ଷେପ ନିଆଯିବ ବେଲି ପୁଲିସ ଡିଜି ଓ କମିସନର ଦର୍ଶାଇଥିଲେ। ପ୍ରଦେଶ କଂଗ୍ରେସ କମିଟି ଓ ପୁଲିସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବିଚାରକୁ ନେଇ ହାଇକୋର୍ଟ ବନ୍ଦ ପ୍ରସଂଗରେ ଉପରୋକ୍ତ ରାୟ ପ୍ରଦାନ କରିବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।
ଗୁରୁବାର ଦିନ ପ୍ରାୟ ୧୧ଟା ସମୟରେ ୨୦/୨୫ ଜଣ ଲୋକ କଂଗ୍ରେସ କର୍ମୀ ବୋଲି ପରିଚୟ ଦେଇ କଟକ କଲେଜ ଛକ ଓ ରାଣୀହାଟ ଅଞ୍ଚଳରେ ନଭେମ୍ବର ୧୨ ତାରିଖ ଦିନ ଦୋକାନ ବନ୍ଦ ରଖିବାକୁ କହିଥିଲେ। ଯଦି କେହି ଏଥିରେ ଅବହେଳା କରନ୍ତି ତେବେ ଜୋର ଜବରଦସ୍ତ ତାଙ୍କ ଦୋକାନ ବନ୍ଦ କରାଯିବ ବୋଲି ସଂପୃକ୍ତ ଲୋକାମାନେ ଚେତାବନୀ ଦେଇଥିଲେ। ଏହି ଘଟଣା ପରେ ଶ୍ରୀ ମିଶ୍ର ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ। ଆବେଦନ ସହିତ ନଭେମ୍ବର ୧୦ ତାରିଖର ସମ୍ବାଦ ଇଂରାଜୀ ସଂସ୍କରଣରେ ପ୍ରକାଶିତ କଂଗ୍ରେସର ନଭେମ୍ବର ୧୨ରେ ଦିଆଯାଇଥିବା ଓଡ଼ିଶା ବନ୍ଦ ସଂପର୍କିତ ଖବର ସଂଲଗ୍ନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ‘କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ଏମ) ବନାମ ଭରତ କୁମାର’ ରାୟ ପ୍ରସଂଗରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥି ସହିତ ୨୦୧୭ରେ ବନ୍ଦ ପ୍ରସଂଗରେ ସୁପ୍ରିମକୋର୍ଟ ‘ଜିଏସ ମଣି ବନାମ ତାମିଲନାଡ଼ୁ ସରକାର’ ମାମଲାରେ ପ୍ରଦାନ କରିଥିବା ରାୟର ମଧ୍ୟ ନଜିର ଉପସ୍ଥାପନ କରାଯାଇଥିଲା। ସମସ୍ତ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର ରହିଛି। କିନ୍ତୁ ବନ୍ଦ ନାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ହାଇକୋର୍ଟରେ ଆଜି ମାମଲା ଦାୟର ହୋଇଥିବା ବେଳେ ଦିନ ୪ଟାରେ ଏହାର ଶୁଣାଣି କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଡି.ଆଚାର୍ଯ୍ୟ ଓ ଏସ.ଆର. ମହାନ୍ତି ଏବଂ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଓ ଏଜିଏ ଦେବକାନ୍ତ ମହାନ୍ତି ମାମଲା ପରିଚାଳନା କରୁଥିଲେ।