ଭୁବନେଶ୍ବର: ଗଦ୍ୟ ଓ ଗଣତନ୍ତ୍ର ଭିତରେ ଅତୁଟ ସମ୍ପର୍କ ରହିଛି। ଗଦ୍ୟ ସମୃଦ୍ଧ ହେଲେ, ଗଣତନ୍ତ୍ର ସମୃଦ୍ଧ ହେବ। ସରଳ, ସାବଲୀଳ ଗଦ୍ୟ ହିଁ ଗୋଟିଏ ଭାଷାକୁ ସମୃଦ୍ଧ କରିବାରେ ସହାୟକ ହୋଇଥାଏ। ଆଜି ଯୁବପିଢ଼ି ନିଜ କଥାଟିକୁ ବୁଝୁଛନ୍ତି, କିନ୍ତୁ ତାକୁ ସରଳ ଗଦ୍ୟରେ ଲେଖିବା ବା ଜଣେଇବା ପାଇଁ ସାମର୍ଥ୍ୟ ତାଙ୍କ ପାଖରେ ନାହିଁ। ବହୁତ କିଛି ଜାଣି ଓ ବହୁତ କିଛି ଆବେଗର ଅଧିକାରୀ ହୋଇ ମଧ୍ୟ ତାକୁ ପ୍ରକାଶ କରିପାରୁ ନାହାନ୍ତି। ଆଜି ‘ସମ୍ବାଦ ଭବନ’ରେ କବୟିତ୍ରୀ ତଥା ଗାଳ୍ପିକା ସ୍ନେହଲତା ପୃଷ୍ଟିଙ୍କ ଲିଖିତ ଗଳ୍ପ ସଂକଳନ ‘ଦୂର ବନାନୀର ଫୁଲ’ ଓ ଉପନ୍ୟାସ ‘ଅତିକାୟ’ର ଉନ୍ମୋଚନ ପର୍ବ ଅବସରରେ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଯୁବପିଢ଼ିମାନଙ୍କ ଗଦ୍ୟ ପ୍ରତି କମୁଥିବା ଆଦର ପାଇଁ ଆଧୁନିକ କାରିଗରୀ କୌଶଳ କିଛି ପରିମାଣରେ ଦାୟୀ। ନିଜର ଯୁକ୍ତିକୁ ଠିକ୍ ଭାବରେ ଉପସ୍ଥାପନା କରିବାର ସାମର୍ଥ୍ୟ ନଥିବାରୁ ସେମାନେ ଠିକ୍ ଭାବରେ ତାଙ୍କ ବକ୍ତବ୍ୟ ଦେଇପାରୁନାହାନ୍ତି। ସେଥିପାଇଁ ବିଭିନ୍ନ ଆଲୋଚନା ସମୟରେ ସେମାନେ ପ୍ରସଂଗଚ୍ୟୁତ ହେବା ଲକ୍ଷ୍ୟ କରାଯାଉଛି। ନୂତନ ଜ୍ଞାନକୌଶଳରେ ବଳୀୟାନ ଯୁବପିଢ଼ି ଗଦ୍ୟର ବ୍ୟବହାର ଶିଖିପାରୁନାହାନ୍ତି। ଗଦ୍ୟ ତଥା ସାହିତ୍ୟ ପ୍ରତି ସେମାନଙ୍କ ଉଦାସୀନତା ଦେଖାଦେଇଛି। ସେ ଦୃଷ୍ଟିରୁ ସ୍ନେହଲତା ପୃଷ୍ଟିଙ୍କର ଗଳ୍ପ ସଂକଳନ ଓ ଉପନ୍ୟାସ ଆମ ସମସ୍ତଙ୍କ ପାଇଁ ବଡ଼ ଉପାଦାନ। ନୂଆ ପିଢ଼ିର ଆତ୍ମବିଶ୍ବାସ ବଢ଼େଇବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।
ଅନ୍ୟତମ ଅତିଥି ବରିଷ୍ଠ ଆଇଆରଏସ୍ ଅଧିକାରୀ ମନୋରଂଜନ ପାଣିଗ୍ରାହୀ ‘ଅତିକାୟ’କୁ ପ୍ରଶଂସା କରି କହିଥିଲେ ଯେ ସୀତା ପତିବ୍ରତାରେ ଅତିକାୟ, ଦ୍ରୌପଦୀ ପ୍ରତିଶୋଧରେ ଅତିକାୟ ଓ କୈକେୟୀ ପ୍ରତିହିଂସାରେ ଅତିକାୟ। ସରଳ ଆଦିବାସୀ ଝିଅଟି ‘ସରଳତାରେ ଅତିକାୟ’। ତେଣୁ ଲେଖିକା ମଧ୍ୟ ସାରସ୍ବତ ସାଧନାରେ ଅତିକାୟ ଓ ଜଣେ ଦୂର ବନାନୀର ଫୁଲ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ଅନ୍ୟତମ ଅତିଥି ଅଧ୍ୟାପକ ବିଶ୍ବରଂଜନ କହିଥିଲେ ଯେ ସାହିତ୍ୟ ତତ୍ତ୍ବ କିମ୍ବା ଜ୍ଞାନ ବିତରଣ କରିବାର କ୍ଷେତ୍ର ନୁହେଁ। ସାହିତ୍ୟ ଅନୁଭବର କ୍ଷେତ୍ର। ସାହିତ୍ୟ ଲେଖିବା ପାଇଁ ଅନୁଭବ ଆବଶ୍ୟକ। ସେହି ଅନୁଭବକୁ ଭିତ୍ତିକରି ଏହା ଲେଖାଯାଇଛି ଓ ଅତ୍ୟନ୍ତ ସରଳତାର ସହ ଲେଖାଯାଇଥିବାରୁ ପାଠକୀୟ ଆଦୃତି ଲାଭ କରିବ।
‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାଳ୍ପିକା ବୈଜୟନ୍ତୀ ମିଶ୍ର ଗଳ୍ପ ସଂକଳନ ‘ଦୂର ବନାନୀର ଫୁଲ’ର ସମୀକ୍ଷା କରିଥିଲେ। ଏଥିରେ ଥିବା ଗଳ୍ପ ‘ମଧ୍ୟାହ୍ନ ଭୋକ’ ଏକ ସୁନ୍ଦର କାହାଣୀ। ମଧ୍ୟାହ୍ନ ସମୟର ଜଣେ କ୍ଷୁଧାତୁର ମଣିଷର ଅନୁଭୂତିକୁ ଏଥିରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ସେହିଭଳି ‘ଚୁଲି ମୁଣ୍ଡରେ ଚଇତି’ ଗଳ୍ପଟି ମଧ୍ୟ ଖୁବ୍ ହୃଦୟସ୍ପର୍ଶୀ ବୋଲି ସେ କହିଥିଲେ। ବିଶିଷ୍ଟ ଲେଖକ ତଥା ପ୍ରଶାସକ ଦେବପ୍ରସାଦ ଦାଶ ଉପନ୍ୟାସ ‘ଅତିକାୟ’ର ସମୀକ୍ଷା କରିଥିଲେ। ଏଥିରେ ଜଣେ ଆଦର୍ଶବାଦୀ ଅବିବାହିତ ଓକିଲ ଅଶୁଂମାନଙ୍କ କଥା ବର୍ଣ୍ଣନା କରାଯାଇଛି। ଅଂଶୁମାନ କିଭଳି ସାଧାରଣ ଆଦିବାସୀ ଲୋକଙ୍କ ପାଇଁ ଲଢ଼ିଛନ୍ତି, ତାହା ଏଥିରେ ନିଖୁଣ ଭାବେ ବର୍ଣ୍ଣିତ। ପୁସ୍ତକ ଦ୍ବୟର ପ୍ରକାଶକ ପେନ୍ ଇନ୍ ବୁକ୍ର ଶୁଭ୍ରାଂଶୁ ପଣ୍ଡା ଓ ପକ୍ଷୀଘରର ବନୋଜ ତ୍ରିପାଠୀ, ଅନୀତା ରଥ, ସଂଘମିତ୍ରା ଭଞ୍ଜ, ନିରୁପମା କର, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଦେଇଥିଲେ।