୧୦ରୁ ହାଇକୋର୍ଟରେ କେବଳ ଭିଡିଓ କନଫରେନ୍ସିଂରେ ଶୁଣାଣି
କଟକ : ଜାନୁଆରି ୧୦ରୁ ହାଇକୋର୍ଟରେ ପୁନର୍ବାର କେବଳ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ହେବ। ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁଆରି ୧୦ ରୁ ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଏହି ନିର୍ଦ୍ଦେଶନାମା ପାଳନ କରି ଚାଲିବ। ଏଥିରେ ଉଲ୍ଲେଖ କରାଯାଇଛି ଯେ ସମସ୍ତ ଖଣ୍ଡପୀଠରେ କେବଳ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି ହେବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟ ସଂପାଦନ ହେବ। ଏଥି ପାଇଁ ଦାୟିତ୍ବ ବଣ୍ଟନର ଯୋଜନାବଦ୍ଧ ତାଲିକା ବ୍ୟବସ୍ଥା (ରୋଷ୍ଟର ଆରେଞ୍ଜମେଣ୍ଟ୍) କରାଯିବ। ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଓ ତା ଠାରୁ ଉପର ପାହ୍ୟାର ଅଧିକାରୀ ସବୁ ଦିନ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। କର୍ମଚାରୀମାନେ କିନ୍ତୁ କଟକ ଛାଡ଼ି ବାହାରକୁ ଯିବେ ନାହିଁ। କାର୍ଯ୍ୟ କରିବାକୁ ଆସୁଥିବା କର୍ମଚାରୀ ସାଙ୍ଗରେ ପରିଚୟପତ୍ର ନିଶ୍ଚିତ ଆଣିବେ। କୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କର ହାଇକୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ରହିବ।
ମାମଲାରେ ଥିବା ତ୍ରୁଟି (ଡିଫେକ୍ଟ) ଦୂର ପାଇଁ ଯଦି ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଥାଏ ତେବେ ସଂପୃକ୍ତ ଆଇନଜୀବୀ ହାଇକୋର୍ଟକୁ ଏହି କାର୍ଯ୍ୟ ପାଇଁ ଆସି ପାରିବେ। ଏ ନେଇ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ୍)ଙ୍କୁ ପୂର୍ବରୁ ଅବଗତ କରାଯିବ। ମାମଲା ଓ ନଥିପତ୍ର (ଡକୁମେଣ୍ଟ) ଇ-ଫାଇଲିଂ ପୋର୍ଟାଲ ବା ଡ୍ରପ୍ ବକ୍ସ ମାଧ୍ୟମରେ ଦାଖଲ କରାଯାଇ ପାରିବ। କପି ସେକ୍ସନ ନିକଟରେ ରଖାଯିବାକୁ ଥିବା ଡ୍ରପ୍ ବକ୍ସରେ ଦିନ ୧୦ ଟା ୩୦ରୁ ୨ଟା ପର୍ଯ୍ୟନ୍ତ ମାମଲା ଓ ନଥିପତ୍ର ଦାଖଲ କରାଯାଇ ପାରିବ। ହାଇକୋର୍ଟଙ୍କ ନିର୍ଦ୍ଦେଶର ସାର୍ଟିଫାଏଡ୍ କପି ମଞ୍ଜୁର ବ୍ୟବସ୍ଥା ଏହି ଅବଧି ସମୟରେ ସାମୟିକ ଭାବେ ବନ୍ଦ ରହିବ। କୋର୍ଟ ୱେବସାଇଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ରାୟର ଉପଲବ୍ଧ କପିର ପ୍ରିଣ୍ଟକୁ ସାର୍ଟିଫାଏଡ୍ କପି ବଦଳରେ ବ୍ୟବହାର କରାଯିବ। ଏପରି ପ୍ରିଣ୍ଟ୍ କପି ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କ ଦ୍ବାରା ଆଟେଷ୍ଟେଡ୍ ହୋଇଥିବା ଆବଶ୍ୟକ। ଯଦି କୌଣସି ମାମଲାରେ ଆଇନଜୀବୀ ନଥିବେ ତେବେ ସଂପୃକ୍ତ ପକ୍ଷଙ୍କ ଦ୍ବାରା ଏପରି ପ୍ରିଣ୍ଟ୍ କପି ଆଟେଷ୍ଟେଡ୍ ହୋଇଥିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।ନିମ୍ନ ଅଦାଲତ ପାଇଁ ମଧ୍ୟ ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି।