ଜଳେଶ୍ବର/ଭୋଗରାଇ : ଭୋଗରାଇ ବ୍ଲକ କମର୍ଦ୍ଦାଠାରୁ ଅବକାରୀ ବିଭାଗ ୨୬ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି। ଗତକାଲି ଜଣେ ନିଶା ବେପାରୀଙ୍କ ସହ ଅନ୍ୟ ଜଣେ ଗ୍ରାହକଙ୍କ ମଧ୍ୟରେ ବ୍ରାଉନସୁଗାରର ଗୁଣବତ୍ତାକୁ ନେଇ ଯୁକ୍ତିତର୍କ ହେଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ସେହି ସ୍ଥାନରେ ଅବକାରୀ ବିଭାଗ ଚଢ଼ଉ କରି ୨୬୦ ଗ୍ରାମର ବ୍ରାଉନ୍ସୁଗାର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କମର୍ଦ୍ଦା ଥାନାଠାରୁ ଅଳ୍ପ ଦୂର ଜଳେଶ୍ବର-ଚନ୍ଦନେଶ୍ବର ରାସ୍ତା ପାର୍ଶ୍ବରେ ଏକ ଧାନକୁଟା ହଲର୍ ମେସିନ ରହିଛି। ସେହି ସ୍ଥାନରେ ନିୟମିତ ଭାବେ ବେଆଇନ୍ ନିଶା ସାମଗ୍ରୀ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଗତକାଲି ଏଠାରେ ଜଣେ ନିଶା ମାଫିଆଙ୍କ ସହ ଗ୍ରାହକଙ୍କ ଯୁକ୍ତିତର୍କର ଭିଡିଓ ଭାଇରାଲ୍ ହୋଇଥିଲା। ସନ୍ଧ୍ୟାରେ ଭୋଗରାଇ ଅବକାରୀ ଥାନା ଓ କମର୍ଦ୍ଦା ପୁଲିସ ସହାୟତାରେ ଉକ୍ତ ସ୍ଥାନରେ ଚଢ଼ଉ କରାଯାଇ ସେଠାରୁ ୨୬୦ ଗ୍ରାମ୍ର ବ୍ରାଉନ୍ସୁଗାର ଜବତ କରାଯିବା ସହ ବ୍ରାଉନସୁଗାର ବେପାରୀ କୁହାଯାଉଥିବା ଅଭିଯୁକ୍ତ ଅତୁଲ ଦାସଙ୍କୁ ଗିରଫ କରାଯାଇଛି। ଅତୁଲ ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବ୍ରାଉନ୍ସୁଗାର ଆଣି କମର୍ଦ୍ଦାରେ ବିକ୍ରି କରୁଥିଲା। ତେବେ ସେ କାହାଠାରୁ ବ୍ରାଉନସୁଗାର ଆଣୁଥିଲା ଏବଂ ତାଠାରୁ କିଏ ସବୁ ବ୍ରାଉନ୍ସୁଗାର କିଣୁଥିଲେ, ସେ ସଂକ୍ରାନ୍ତରେ ଅବକାରୀ ବିଭାଗ ଖୋଳତାଡ଼ ଚଳାଇଛି। ଜଳେଶ୍ବର-ଚନ୍ଦନେଶ୍ବର ରାସ୍ତା କଡ଼ରେ ଓ କମର୍ଦ୍ଦା ଥାନାଠାରୁ ମାତ୍ର କିଛି ଦୂରରେ ପୁଲିସ ନାକ ତଳେ ବେଆଇନ୍ ନିଶା କାରବାର ଚାଲିଥିବା ବେଳେ ପୁଲିସ କିପରି ଜାଣି ପାରୁନଥିଲା, ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।