ସର୍ବନିମ୍ନ ଜିଏସ୍ଟି ୮% ହେବ: ଦେଢ଼ ଲକ୍ଷ କୋଟି ଅଧିକ ରାଜସ୍ବ ମିଳିବ, ତିନି ଥାକିଆ ଜିଏସ୍ଟି ବ୍ୟବସ୍ଥା ଆସିବ
ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ର ସର୍ବନିମ୍ନ ସ୍ଲାବ୍କୁ ବର୍ତ୍ତମାନର ୫%ରୁ ବଢ଼ାଇ ୮% କରିବା ନେଇ ବିଚାରବିମର୍ଶ ଚାଲିଛି। ଜିଏସ୍ଟି ପରିଷଦର ଆସନ୍ତା ବୈଠକରେ ଏବିଷୟରେ ଆଲୋଚନା ହେବ। ଜିଏସ୍ଟି ମାଧ୍ୟମରେ କିଭଳି ଅଧିକ ରାଜସ୍ବ ମିଳିପାରିବ ସେନେଇ ସୁପାରିସ କରିବାକୁ ଏକ କମିଟିକୁ ଦାୟିତ୍ବ ଦିଆଯାଇଛି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କ ନେତୃତ୍ବରେ ଗଠିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ଏକ କମିଟି ଖୁବ୍ଶୀଘ୍ର ଏନେଇ ଏହାର ରିପୋର୍ଟ ଉପସ୍ଥାପନ କରିବ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ଜିଏସ୍ଟିରେ ଚାରିଟି ସ୍ଲାବ୍ ରହିଛି। ତାହା ହେଉଛି ୫%, ୧୨%, ୧୮% ଓ ୨୮%। ଏହା ବ୍ୟତୀତ ହାନିକାରକ ଓ ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ସେସ୍ ଲାଗୁ କରାଯାଇଛି। ଅଧିକାଂଶ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ ତାଲିକା ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ କିଛି ସାମଗ୍ରୀ ସର୍ବନିମ୍ନ ସ୍ଲାବ୍ରେ ରହିଛି। ସରକାର ଯେଉଁ ସେସ୍ ସଂଗ୍ରହ କରୁଛନ୍ତି ତାହାକୁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ବ୍ୟବହାର କରାଯାଉଛି। କେନ୍ଦ୍ର ଉପରେ ରାଜ୍ୟଗୁଡ଼ିକର ନିର୍ଭରଶୀଳତା କିଭଳି ହ୍ରାସ ପାଇବ ତାହାକୁ ନେଇ ମଧ୍ୟ ଜିଏସ୍ଟି ପରିଷଦର ଆଗାମୀ ବୈଠକରେ ଆଲୋଚନା ହେବ। ଜିଏସ୍ଟିକୁ ନେଇ ଯେଉଁ ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି ତାହା ସର୍ବନିମ୍ନ ସ୍ଲାବ୍କୁ ୮% ପର୍ଯ୍ୟନ୍ତ ବଢ଼ାଇବା ଲାଗି ସୁପାରିସ କରିବ ବୋଲି ଚର୍ଚ୍ଚା ହେଉଛି। ଏହା ହେଲେ ବର୍ଷକୁ ଅତିରିକ୍ତ ଦେଢ଼ ଲକ୍ଷ କୋଟି ଟଙ୍କାର ରାଜସ୍ବ ମତଳିପାରିବ। ଏକ ହିସାବରୁ ଜଣାପଡ଼ିଛି ଯେ ସର୍ବନିମ୍ନ ସ୍ଲାବ୍ରେ ପ୍ରତି ୧% ବୃଦ୍ଧି ସରକାରଙ୍କୁ ବାର୍ଷିକ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ରାଜସ୍ବ ଦେବ। ଜିଏସ୍ଟିକୁ ୮%, ୧୮% ଓ ୨୮% ଭଳି ତିନିଥାକିଆ କରିବା ଉପରେ ମଧ୍ୟ ମନ୍ତ୍ରୀ ଗୋଷ୍ଠୀ ବିଚାର କରୁଛି। ଯଦି ଏହି ପ୍ରସ୍ତାବ ଗୃହୀତ ହେବ ତେବେ ବର୍ତ୍ତମାନ ୧୨% ସ୍ଲାବ୍ରେ ଥିବା ସବୁ ସାମଗ୍ରୀ ୧୮% ସ୍ଲାବ୍ରେ ସାମିଲ ହେବ। ପରୋକ୍ଷ ଟିକସ କ୍ଷେତ୍ରରେ ସର୍ବବୃହତ ସଂସ୍କାର ସ୍ବରୂପ ପରିକଳ୍ପନା କରାଯାଇଥିବା ଜିଏସ୍ଟି ବ୍ୟବସ୍ଥା ୨୦୧୭ ଜୁଲାଇ ୧ରୁ ଲାଗୁ ହୋଇଥିଲା। ବିଭିନ୍ନ ପ୍ରକାର ଟିକସ ଉଚ୍ଛେଦ ଯୋଗୁଁ ରାଜ୍ୟଗୁଡ଼ିକର ଯେଉଁ କ୍ଷତି ହୋଇଛି ତାହା ଭରଣା ଲାଗି ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ଦେବା ଲାଗି ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ଜୁଲାଇରେ ସେହି ସମୟ ସୀମା ଶେଷ ହେଉଛି।