ଭୁବନେଶ୍ବର: ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନିର ଏସ୍ବିଆଇ କାଉଣ୍ଟର୍ରୁ ଏଟିଏମ୍ ମେସିନ୍ ତାଡ଼ିବା ଘଟଣାକୁ ସପ୍ତାହେ ପୂରିବାକୁ ବସିଲାଣି। କିନ୍ତୁ ପୁଲିସ୍ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ। ରାଜଧାନୀର ବିଭିନ୍ନ ହୋଟେଲ୍, ଲଜ୍ଠୁ ଆରମ୍ଭ କରି ଚେକ୍ ପୋଷ୍ଟ, ଟ୍ରାଫିକ୍ ଛକ, ଟୋଲ୍ଗେଟ୍ ଆଦି ଜାଗା ବୁଲି ବୁଲି ପୁଲିସ୍ ସିସି କ୍ୟାମେରା ଯାଞ୍ଚ କରିଥିଲେ ବି ଲୁଟେରାଙ୍କୁ ଠାବ କରିପାରିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଭୁବନେଶ୍ବର ଉପକଣ୍ଠରେ ଏକାଧିକ ସମ୍ବେଦନଶୀଳ ଜାଗାରେ ଏଟିଏମ୍ ମେସିନ୍ ଥିବା ସତ୍ତ୍ବେ ଲୁଟେରାମାନେ କାହିଁକି ଏହି ଏଟିଏମ୍କୁ ଟାର୍ଗେଟ୍ କଲେ, ସେ ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଦାୟିତ୍ବରେ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଇନ୍ଦିରା କଲୋନିରେ ଥିବା ଏହି ଏଟିଏମ୍ ବହୁ ପୁରୁଣା ଏବଂ ଲୁଟ୍ର ମାତ୍ର ୧୨ ଘଣ୍ଟା ପୂର୍ବରୁ ଏଟିଏମ୍ ମେସିନ୍ରେ ୨୫ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା।
ଆଉଟ୍ ସୋର୍ସିଂରେ ବ୍ୟାଙ୍କ୍କୁ ସହଯୋଗ କରୁଥିବା କର୍ମଚାରୀ ନଚେତ୍ ବ୍ୟାଙ୍କ୍ର ହିଁ କୌଣସି କର୍ମଚାରୀ ଏ ବାବଦରେ ଲୁଟେରାଙ୍କୁ ପୂରା ବିସ୍ତୃତ ତଥ୍ୟ ଦେଇଥିଲେ। ଅପରପକ୍ଷରେ ବର୍ତ୍ତମାନ ସାଧାରଣତଃ ପ୍ରାୟ ସମସ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସେମାନଙ୍କ ଏଟିଏମ୍ ମେସିନ୍କୁ ଭଲ ଭାବେ କାଉଣ୍ଟର୍ରେ ଇନ୍ଷ୍ଟଲ୍ କରୁଛନ୍ତି। ଗାତ ଖୋଳି ଗ୍ରିଡିଂ କରି ମେସିନ୍ ଇନ୍ଷ୍ଟଲ୍ କରାଯାଉଛି। ମାତ୍ର ଲୁଟ୍ ହୋଇଥିବା ଏହି ଏଟିଏମ୍ ମେସିନ୍ଟି ପୁରୁଣା ଥିଲା। ଯେଉଁଥିପାଇଁ ଲୁଟେରାମାନେ ଶାବଳ, ହାତୁଡ଼ି ଓ ସେଣି ବ୍ୟବହାର କରି ମେସିନ୍ଟିକୁ ମାତ୍ର ୨୨ ମିନିଟ୍ ମଧ୍ୟରେ ତାଡ଼ି ନେଇଥିଲେ। ତେଣୁ ପୁରୁଣା ମେସିନ୍ ଓ ସେଥିରେ ୨୫ ଲକ୍ଷ ଟଙ୍କା ଭର୍ତ୍ତି ହେବା ଘଟଣା ଲୁଟେରାଙ୍କୁ ମାଲୁମ୍ ଥିଲା ବୋଲି ସେ କହିଛନ୍ତି।
କାହିଁକି ଏଟିଏମ୍ ମେସିନ୍ରେ ଜିପିଏସ୍ ଲାଗୁନାହିଁ?
ଏଟିଏମ୍ ମେସିନ୍ ଲୁଟ୍ ଘଟଣା ଦିନ ପୁଣେକୁ ଡାଉନ କଲ୍ ଯାଇଥିଲା। ଏଟିଏମ୍ ମେସିନ୍ କୌଣସି କାରଣ ଯୋଗୁଁ ଅଚଳ ହେଲେ ଏହିଭଳି କଲ୍ ଯାଇଥାଏ। କିନ୍ତୁ ଲୁଟେରାମାନେ ଆଲାରମ୍ ସିଷ୍ଟମ ଅଚଳ କରିବା ସହ ସିସି କ୍ୟାମେରା ଭାଙ୍ଗି ଦେଇଥିବାରୁ ମେସିନ୍ କାହିଁକି ଅଚଳ ହେଲା, ସେ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିପାରିନଥିଲେ। ଏଟିଏମ୍ ନିରାପତ୍ତା ଦାୟିତ୍ବରେ ଥିବା ଜଣେ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଯଦି ଏଟିଏମ ମେସିନ୍ରେ ଜିପିଏସ୍ ସିଷ୍ଟମ୍ ଥାଆନ୍ତା, ତେବେ କାଉଣ୍ଟର୍ରୁ ଏଟିଏମ୍ ବାହାରକୁ ଯିବା ମାତ୍ରେ ଏହା ବ୍ୟାଙ୍କ୍ କର୍ମଚାରୀ ଜାଣିପାରିଥା’ନ୍ତେ ଓ ପୁଲିସକୁ ସୂଚନା ଦେଇ ଏତେ ବଡ଼ ଲୁଟ୍କୁ ରୋକିପାରିଥାନ୍ତେ। ମାତ୍ର ମେସିନ୍ରେ ଜିପିଏସ୍ ନଥିଲା।
ଦିଲ୍ଲୀ ପୁଲିସ ପାରିଲା, ଓଡ଼ିଶା ପୁଲିସ କାହିଁକି ନୁହେଁ?
ସମାନ ଘଟଣା, ସମାନ ତରିକା, କେବଳ ତାରିଖ ଅଲଗା। ଇନ୍ଦିରା କଲୋନିରେ ଏପ୍ରିଲ୍ ୪ ତାରିଖ ବିଳମ୍ବିତ ରାତିରେ ଲୁଟେରାମାନେ ଏଟିଏମ୍ କାଉଣ୍ଟର ତାଡ଼ି ନେଇ ପ୍ରାୟ ୨୧ ଲକ୍ଷ ଲୁଟିନେଲେ। ଏହାର ୩ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧ ତାରିଖ ଓ ମାର୍ଚ୍ଚ ୩୧ ତାରିଖରେ ୩ଜଣ ଲୁଟେରା ଦିଲ୍ଲୀର ୨ଟି ଅଞ୍ଚଳରୁ ୨ଟି ଏଟିଏମ୍ ମେସିନ୍କୁ ତାଡ଼ି ନେଇ ପ୍ରାୟ ୩୪ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସେଠାକାର ପୁଲିସ୍ ମାତ୍ର ୭ ଦିନ ଭିତରେ ଘଟଣାର ପର୍ଦ୍ଦାଫାସ୍ କରିବା ସହ ସବୁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ରାଜଧାନୀ ଉପକଣ୍ଠରେ ଘଟିଥିବା ଏଟିଏମ୍ ଲୁଟ୍ ଘଟଣାକୁ ୭ ଦିନ ପୂରିବାକୁ ବସିଥିଲେ ହେଁ ପୁଲିସ ଜଣେ ହେଲେ ଲୁଟେରାକୁ ଧରିପାରିନାହିଁ। ଲୁଟେରାଙ୍କୁ ଧରିବା ତ ଦୂରର କଥା, ସେମାନଙ୍କୁ ଚିହ୍ନଟ ମଧ୍ୟ କରିପାରିନାହିଁ।
ଅପରପକ୍ଷେ ରାଜ୍ୟରେ ଯଦିଓ ପ୍ରଥମଥର ପାଇଁ ଏଭଳି ଢଙ୍ଗରେ ଲୁଟେରାମାନେ ଏଟିଏମ୍ ଉପାଡ଼ି ନେଇ ଲୁଟିଲେ, ଏହା କିନ୍ତୁ ଦେଶରେ ବହୁ ପୁରୁଣା। ରାଜସ୍ଥାନ, ବିହାର, ଦିଲ୍ଲୀ, ପଂଜାବ ଭଳି ରାଜ୍ୟରେ ଏଭଳି ଲୁଟ୍ ବହୁବାର ଘଟିଲାଣି। ଏପରିକି ରାଜଧାନୀରେ ଏହି ଘଟଣା ହେବାର କିଛି ଦିନ ପୂର୍ବରୁ ପଡ଼ୋଶୀ ରାଜସ୍ଥାନ ଓ ଦିଲ୍ଲୀରେ ଲୁଟେରାମାନେ ସମାନ ତରିକାରେ ଲୁଟ୍ପାଟ୍ କରିଥିଲେ। ତେବେ ଏହାକୁ ନେଇ କମିସନରେଟ୍ ପୁଲିସ କାହିଁକି ପୂର୍ବରୁ ସତର୍କତା ଅବଲମ୍ବନ କରିନଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।