ବିଶାଖାପାଟଣା: ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଏହାକୁ ଆୟୋଜନ କରିଥିଲେ। ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କମିଟି ଆକଳନ କରିଛି। ସକାଳୁ ମହାପ୍ରଭୁଙ୍କ ପାରମ୍ପରିକ ନୀତି ସରିବା ପରେ ଅପରାହ୍ଣ ୩ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ପହଣ୍ଡି କାର୍ଯ୍ୟରେ ୱାଲ୍ଟିୟର ରେଳବାଇ ଡିଭିଜନ୍ର ଡି.ଆର୍.ଏମ୍ ଅନୁପ କୁମାର ଶତପଥୀ ଓ ଏ.ଡି.ଆର୍.ଏମ୍ ମନୋଜ କୁମାର ସାହୁ ସହଯୋଗ କରିଥିଲେ । ଶ୍ରଦ୍ଧାଳୁଙ୍କ ବାଜାବାଜଣା ସହ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଅଞ୍ଚଳ କମ୍ପି ଉଠିଥିଲା। ବ୍ରହ୍ମପୁରରୁ ଆସିଥିବା ଘଣ୍ଟବାଦକ ଦଳର ଘଣ୍ଟବାଦନ ଆକର୍ଷଣୀୟ ହୋଇଥିଲା। ଦଶପଲ୍ଲାର ପୂର୍ବତନ ରାଜା ଲାଲ୍ ସାହେବ ପ୍ରମୋଦ ଦେଓଭଞ୍ଜ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପ୍ରାୟ ସନ୍ଧ୍ୟା ୫ଟାରେ ରଥ ଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ରଥଟିକୁ ଟାଣି ଟାଣି ୫ କିଲୋମିଟର ଦୂରବର୍ତ୍ତୀ ‘ଲସନ୍ସ ବେ’ କଲୋନୀ ଠାରେ ଥିବା ମାଉସି ମା’ ମନ୍ଦିରକୁ ନେଇଥିଲେ ।
ସନ୍ଧ୍ୟା ୭ଟା ସୁଦ୍ଧା ଜୀଉମାନଙ୍କୁ ପହଣ୍ଡି କରାଇ ଗୁଣ୍ଡିଚା ମନ୍ଦିରରେ ବିରାଜମାନ କରାଯାଇଥିଲା। ଆସନ୍ତା ୯ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି । ମନ୍ଦିର ପରିଚାଳନା କମିଟି ସମ୍ପାଦକ ବିମଳ ମହନ୍ତ, ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।