କାଶ୍ମୀରରେ ଦୁଇଦିନରେ ଦୁଇ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଗିରଫ ଓ ୨ ମୃତ
ପାକିସ୍ତାନୀ କର୍ଣ୍ଣେଲ ୩୦ ହଜାର ଟଙ୍କା ଦେଇ ପଠାଇଥିଲେ ଭାରତରେ ଆକ୍ରମଣ ପାଇଁ: ଗିରଫ ଆତଙ୍କବାଦୀ
ନୂଆଦିଲ୍ଲୀ : ଭାରତରେ ଅନୁପ୍ରବେଶ କରି ଆତଙ୍କବାଦୀ ଆକ୍ରମଣ କରିବାକୁ ହୋଇଥିବା ଏକ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିଦେଇଛନ୍ତି। ଜମ୍ମୁ-କାଶ୍ମୀର ରଜୌରୀ ଜିଲ୍ଲାରେ ଗତ ଦୁଇଦିନ ଭିତରେ ଦୁଇଟି ଅନୁପ୍ରବେଶ ଉଦ୍ୟମ ଏବଂ ସେମାନଙ୍କ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି। ଜଣେ ପାକିସ୍ତାନୀ ଆତଙ୍କବାଦୀ ଧରା ପଡ଼ିଥିବା ବେଳେ ଅନ୍ୟ ଦୁଇଜଣ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ନିହତ ହୋଇଛନ୍ତି। ଧରାପଡ଼ିଥିବା ଲୋକଟି ସ୍ବୀକାର କରିଛି ଯେ ତାକୁ ଆଇଏସ୍ଆଇର ଜଣେ କର୍ଣ୍ଣେଲ ୩୦,୦୦୦ ପାକିସ୍ତାନୀ ଟଙ୍କା ଦେଇ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପଠାଇଥିଲେ। ଏହି ଲୋକଟି ଆଗରୁ ଥରେ ନିୟନ୍ତ୍ରଣ ରେଖା ଡେଇଁ ଭାରତରେ ଅନୁପ୍ରବେଶ କରିଥିବା ବେଳେ ଗିରଫ ହୋଇଥିଲା ଏବଂ ମାନବିକ ଦୃଷ୍ଟିକୋଣରୁ ପରେ ତାକୁ ନିଜ ଦେଶକୁ ଫେରାଇ ଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଅଗଷ୍ଟ ୨୧ ତାରିଖ ପ୍ରତ୍ୟୁଷରେ ଭାରତୀୟ ସେନା ଦେଖିଲେ ଯେ ନିୟନ୍ତ୍ରଣ ରେଖା ସେପଟୁ ତିନି-ଚାରିଜଣ ସନ୍ଦିଗ୍ଧ ବ୍ୟକ୍ତି ଭାରତ ପଟକୁ ଆସୁଛନ୍ତି। ଜଣେ ଅନୁପ୍ରବେଶକାରୀ ଭାରତୀୟ ପୋଷ୍ଟ ନିକଟବର୍ତ୍ତୀ ହେବା ସହ ତାରବାଡ଼ କାଟିବାକୁ ଚେଷ୍ଟା କରୁଥିଲା। ପଳାଇବାକୁ ଚେଷ୍ଟା କଲାବେଳେ ସେ ଭାରତୀୟ ସୈନିକଙ୍କ ଗୁଳିରେ ଆହତ ହୋଇ ଧରାପଡ଼ିଥିଲା। ଅନ୍ୟ ଦୁଇଜଣ ଘଞ୍ଚ ଜଙ୍ଗଲ ଦେଇ ପାକ୍-ଅଧିକୃତ କାଶ୍ମୀରକୁ ପଳାଇଥିଲେ। ଗିରଫ ଆତଙ୍କବାଦୀକୁ ସଙ୍ଗେ ସଙ୍ଗେ ଚିକିତ୍ସା କରି ବଞ୍ଚାଇବାକୁ ଚେଷ୍ଟା କରାଗଲା। ତା’ ନାଁ ତାବରାକ ହୁସେନ। ସେ ହେଉଛି ପାକ୍-ଅଧିକୃତ କାଶ୍ମୀରର କୋଟ୍ଲି ଜିଲ୍ଲାର ସବ୍ଜକୋଟ ଗାଁର ବାସିନ୍ଦା। ଜେରାବେଳେ ସେ କହିଲା ଯେ କାକିସ୍ତାନ ଗୋଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ ଚୌଧରୀ ତାକୁ ୩୦,୦୦୦ ଟଙ୍କା ଦେଇ ଭାରତରେ ଆକ୍ରମଣ କରିବାକୁ ପଠାଇଥିଲେ। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏଇ ହୁସେନକୁ ୨୦୧୬ରେ ତା’ ଭାଇ ହାରୁନ ଅଲି ସହ ଭାରତରେ ଅନୁପ୍ରବେଶ ବେଳେ ଗିରଫ କରାଯାଇଥିଲା ଏବଂ ପରେ ନଭେମ୍ବର ୨୦୧୭ରେ ମାନବିକ ଦୃଷ୍ଟିକୋଣରୁ ନିଜ ଦେଶକୁ ପ୍ରତ୍ୟର୍ପଣ କରାଯାଇଥିଲା।
ଆଉ ଏକ ଘଟଣା ଘଟିଥିଲା ଅଗଷ୍ଟ ୨୨ ତାରିଖ ରାତିରେ। ଦୁଇ-ତିନିଜଣ ଆତଙ୍କବାଦୀଙ୍କ ଦଳ ଲାମ୍ ସେକ୍ଟରରେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କଲାବେଳେ ସତର୍କ ସେନା ସେମାନଙ୍କୁ ଦେଖିପକାଇଥିଲେ। ସେମାନେ ଭାରତ ମାଇନ ବିଛାଇଥିବା ଜାଗାକୁ ଚାଲିଆସିବା ପରେ ମାଇନ୍ ବିସ୍ଫୋରଣ ହୋଇଥିଲା ଏବଂ ଦୁଇଜଣ ଆତଙ୍କବାଦୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ସହଯୋଗୀମାନେ ସମ୍ଭବତଃ ଆହତ ହୋଇ ମେଘୁଆ ପାଗ ଓ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ପଳାଇଯାଇଥିଲେ। ପରଦିନ ସକାଳେ ମୃତଦେହଗୁଡ଼ିକୁ ଜବତ କରାଯିବା ବେଳେ ତାଙ୍କ ପାଖରୁ ଗୋଟିଏ ଏକେ୫୬ ରାଇଫଲ ଓ ଗୁଳିଗୋଳା ମିଳିଥିଲା।