ଭୁବନେଶ୍ବର: ୨୦ ଦିନ ଧରି ଆବର୍ଜନା ଗଦା ହେଲା। କ’ଣ ସମାଧାନ କଲେ କେଜାଣି ଆବର୍ଜନା ତଥାପି ସଫା ହୋଇ ନାହିଁ। ସ୍ମାର୍ଟ ସିଟି ଗନ୍ଧେଇଲାଣି। ସହର ବିଶ୍ବସ୍ତରୀୟ ବୋଲି ସରକାର କହି ବୁଲୁଛନ୍ତି, ହେଲେ ଏଠି ଯିଏ ରହିଛି ସେ ଜାଣିଛି ସହରର ଅବସ୍ଥା କ’ଣ। ଘଣ୍ଟାଏ ବର୍ଷା ହେଲେ ବନ୍ୟା ହେଉଛି। ରାସ୍ତା ଜାଣି ନପାରି ମୁକୁଳା ଡ୍ରେନରେ ପଡ଼ି ଲୋକେ ଜୀବନ ହାରୁଛନ୍ତି। ଏଭଳି ସ୍ଥିତିରେ ବିଏମ୍ସି ସ୍ୱାୟତ୍ତ ଶାସନ ଦିବସ ପାଳନରେ ମାତିବା ହାସ୍ୟାସ୍ପଦ। ଏଣୁ ଗାଲୁଆମି ଛାଡ଼ି କାମରେ ମନ ଦେବାକୁ ବିଏମ୍ସିକୁ ତାଗିଦ୍ କରିଛି ଭୁବନେଶ୍ବର ଜିଳ୍ଲା ବିଜେପି।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ନ ଦେଇ ବିଏମ୍ସି ସ୍ବାୟତ୍ତ ଶାସନ ଦିବସ ପାଳିବାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିଏମ୍ସି ଅଫିସ୍ ଘେରାଉ କରାଯାଇଥିଲା। ଜିଲ୍ଲା ସଭାପତି ବାବୁ ସିଂହ କହିଥିଲେ, ରାଜଧାନୀବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି କରାଯିବା ସତ୍ତ୍ବେ କୌଣସି ପଦକ୍ଷପେ ଗ୍ରହଣ କରାଯାଉନାହିଁ। ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ପୈାର ନିର୍ବାଚନ କରାଇଥିଲେ ଏବଂ ରାଜଧାନୀର ମୈାଳିକ ସେବା ଓ ସୁବିଧା ପାଇଁ ନିର୍ବାଚିତ ନୂଆ ମେୟରଙ୍କଠାରୁ ରାଜଧାନୀବାସିନ୍ଦା ବହୁ ଆଶା ରଖିଥିଲେ। କିନ୍ତୁ ବିଏମ୍ସି କର୍ତ୍ତୃପକ୍ଷ ରାଜଧାନୀବାସିନ୍ଦାଙ୍କ ସହିତ ପ୍ରତାରଣା କରିଛନ୍ତି।
ଭୁବନେଶ୍ୱରବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ବିଏମ୍ସି ନ ଯୋଗାଇବା ପର୍ଯ୍ୟନ୍ତ ଜିଲ୍ଲା ବିଜେପି ଏମିତି ରାଜରାସ୍ତାରେ ପ୍ରତିବାଦ କରିବା ସହିତ ଲୋକଙ୍କ ପାଖକୁ ଯିବ ବୋଲି ସେ କହିଥିଲେ। ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଧାରଣାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମୁହଁରେ କଳା ପଟି ବାନ୍ଧି ବସିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।