ଗୁଜରାଟ ବିଧାନସଭା ନିର୍ବାଚନ: ୨୦୦୨ରୁ ୨୦୨୨, ଚଳିତ ନିର୍ବାଚନ ବିଜେପି ପାଇଁ ଅଗ୍ନିପରୀକ୍ଷା
ବିଜେପିର ଆସନ କମୁଛି, କଂଗ୍ରେସର ବଢ଼ୁଛି
ନୂଆଦିଲ୍ଲୀ: ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ବିଭିନ୍ନ ଜନମତ ସର୍ଭେରେ ଆକଳନ କରାଯାଇଛି। ତେବେ ବିଜେପି ପାଇଁ ଚଳିତ ନିର୍ବାଚନ ଅଧିକ ଜଟିଳ ହେବ। ଗତ ୨୭ ବର୍ଷ ଧରି ବିଜେପି ଗୁଜରାଟରେ କ୍ଷମତାରେ ରହିଛି। କିନ୍ତୁ ୨୦୦୨ ପରଠାରୁ ପ୍ରତି ବିଧାନସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିଚାଲିଛି। ଭୋଟ୍ ଭାଗରେ ମଧ୍ୟ ସମାନ କଥା। କେବଳ ୨୦୧୭କୁ ଛାଡ଼ିଦେଲେ ୨୦୦୨ ପରଠାରୁ ପ୍ରତିଟି ବିଧାନସଭା ନିର୍ବାଚନରେ ବିଜେପିର ଭୋଟ୍ ଭାଗ କମିଛି। ଅନ୍ୟପକ୍ଷେ କେବଳ ୨୦୦୨କୁ ଛାଡ଼ିଦେଲେ ୧୯୯୮ ପରଠାରୁ ପ୍ରତିଟି ବିଧାନସଭା ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ବଢ଼ିଚାଲିଛି। ୨୦୦୭କୁ ଛାଡ଼ିଦେଲେ କଂଗ୍ରେସର ଭୋଟ୍ ଭାଗ ମଧ୍ୟ ୧୯୯୫ ପରଠାରୁ ବଢ଼ିଛି। ୨୦୧୭ ନିର୍ବାଚନରେ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପିର ଆସନ ସଂଖ୍ୟା ୯୯କୁ ଖସି ଆସିଲା। ୧୯୯୫ ପରେ ବିଜେପିକୁ ୨୦୧୭ରେ ସବୁଠୁ କମ୍ ଆସନ ମିଳିଥିଲା। ମ୍ୟାଜିକ୍ ନମ୍ବର ୯୨ ଠାରୁ ବିଜେପି ମାତ୍ର ୭ଟି ଅଧିକ ଆସନ ପାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୫ରେ ବିଜେପି ପ୍ରଥମ ଥର ପାଇଁ ଗୁଜରାଟରେ ବିଧାନସଭା ନିର୍ବାଚନ ଜିତିଲା। ପ୍ରଥମେ କ୍ଷମତାକୁ ଆସିବା ସମୟରେ ଦଳ ୧୨୧ ଆସନରେ ଜିତିଥିଲା। ବିଜେପିର ଭୋଟ୍ସେୟାର ୪୨.୫୧ ପ୍ରତିଶତ ଥିଲା। ଅନ୍ୟପକ୍ଷେ କଂଗ୍ରେସ ୪୫ ଆସନରେ ଜିତିଥିଲା ଏବଂ ଏହାର ଭୋଟ୍ ୩୨.୮୬ ପ୍ରତିଶତ ଥିଲା। ୧୯୯୮ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଆସନ ସଂଖ୍ୟା ସାମାନ୍ୟ କମି ୧୧୭ ହେଲା। ବିଜେପିର ଭୋଟ୍ ସେୟାର ୪୪.୮୧ ପ୍ରତିଶତକୁ ବଢ଼ିଲା। ଅନ୍ୟପକ୍ଷେ କଂଗ୍ରେସର ଆସନ ସଂଖ୍ୟା ୧୯୯୫ ତୁଳନାରେ ୪୫ରୁ ୫୩କୁ ଏବଂ ଭୋଟ୍ ପ୍ରତିଶତ ୩୪.୮୫ ପ୍ରତିଶତକୁ ବଢ଼ିଲା। ୨୦୦୨ ବିଧାନସଭା ନିର୍ବାଚନରେ ବିଜେପି ୧୨୭ ଆସନରେ ଜିତିଲା। ବିଜେପି ଶେଷ ଥରପାଇଁ ୨୦୦୨ରେ ସର୍ବାଧିକ ଆସନରେ ଜିତିଥିଲା। ଏହା ପରଠାରୁ ବିଜେପିର ଆସନ ସଂଖ୍ୟା କମିଛି।
୨୦୦୨ରେ ବିଜେପିର ଭୋଟ୍ ପ୍ରତିଶତ ୪୯.୮ ପ୍ରତିଶତ ଥିଲା। ଅନ୍ୟପକ୍ଷେ ସେହିବର୍ଷ କଂଗ୍ରେସର ଆସନ ସଂଖ୍ୟା ୫୩ରୁ ୫୧କୁ ଖସିଥିଲା। କଂଗ୍ରେସର ଆସନ ସଂଖ୍ୟା କମିଥିଲେ ସୁଦ୍ଧା ଭୋଟ୍ ସେୟାର ୩୪.୮୫ ପ୍ରତିଶତରୁ ୩୯.୩କୁ ବଢ଼ିଥିଲା। ୨୦୦୭ ବିଧାନସଭା ନିର୍ବାଚନରେ ବିଜେପି ୨୦୦୨ ତୁଳନାରେ ୧୦ଟି ଆସନ ହରାଇ ଥିଲା। ବିଜେପିର ଆସନ ସଂଖ୍ୟା ୧୧୭କୁ ଖସିଯାଇଥିଲା। ଭୋଟ୍ ପ୍ରତିଶତ ମଧ୍ୟ ୨୦୦୨ ତୁଳନାରେ କମିଥିଲା। ଅନ୍ୟପକ୍ଷେ କଂଗ୍ରେସ ଆସନ ସଂଖ୍ୟା ୨୦୦୨ରେ ୫୧ ଥିବାବେଳେ ୨୦୦୭ରେ ୫୯କୁ ବୃଦ୍ଧି ପାଇଲା। କଂଗ୍ରେସର ଭୋଟ୍ ପ୍ରତିଶତ ୩୯.୩ ପ୍ରତିଶତରୁ ୩୮ ପ୍ରତିଶତକୁ ଖସିଲା। ୨୦୧୨ରେ ନରେନ୍ଦ୍ର ମୋଦୀ ଶେଷ ଥର ମୁଖ୍ୟମନ୍ତ୍ରୀ ଥିବାବେଳେ ଗୁଜରାଟ ବିଧାନସଭା ନିର୍ବାଚନ ହୋଇଥିଲା। ତେବେ ୨୦୦୭ ତୁଳନାରେ ୨୦୧୨ରେ ବିଜେପିର ଆସନ ସଂଖ୍ୟା ୧୧୫କୁ ଖସି ଆସିଲା। ଭୋଟ୍ ସେୟାର ମଧ୍ୟ ୨୦୦୭ ତୁଳନାରେ କମ୍ଥିଲା। ଅନ୍ୟପକ୍ଷେ କଂଗ୍ରେସକୁ ୨୦୧୨ରେ ୬୧ ଆସନ ମିଳିଲା। କଂଗ୍ରେସର ଭୋଟ୍ ପ୍ରତିଶତ ୩୮ ପ୍ରତିଶତରୁ ୩୮.୯୩ ପ୍ରତିଶତକୁ ବୃଦ୍ଧି ପାଇଲା।
ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟରେ ୧୫୦ ଆସନ ଜିତିବାପାଇଁ ଟାର୍ଗେଟ୍ କରି ‘ମିସନ୍ ୧୫୦’ ଆରମ୍ଭ କଲେ। ୨୦୧୭ ନିର୍ବାଚନ ବିଜେପି ପାଇଁ ଏକ ସମ୍ମାନର ପ୍ରସଙ୍ଗ ଥିଲା। ଶାହ କହିଥିଲେ ମୋଦୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଗୁଜରାଟରେ ବିଜେପି ୧୨୭ ଆସନରେ ଜିତିଥିଲା ଏବଂ ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ବିଜେପି ୧୫୦ ଆସନରେ ଜିତିବ। କିନ୍ତୁ ବିଜେପିକୁ ମାତ୍ର ୯୯ ଆସନ ମିଳିଲା। ଅନ୍ୟପକ୍ଷେ କଂଗ୍ରେସ ଆସନ ସଂଖ୍ୟା ୨୦୧୭ରେ ୭୭କୁ ବୃଦ୍ଧି ପାଇଥିଲା। ଏହାର ଭୋଟ୍ ସେୟାର ମଧ୍ୟ ୨୨ ବର୍ଷରେ ସର୍ବାଧିକ ହେଲା। ୨୦୧୨ରେ କଂଗ୍ରେସର ଭୋଟ୍ ପ୍ରତିଶତ ୩୮.୯୩ ପ୍ରତିଶତ ଥିବାବେଳେ ୨୦୧୭ରେ ୪୧.୪୪ ପ୍ରତିଶତକୁ ବୃଦ୍ଧି ପାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ୨୦୦୨ରୁ ୨୦୦୭ ମଧ୍ୟରେ ବିଜେପି ୨୮ଟି ଆସନ ହରାଇଥିବାବେଳେ କଂଗ୍ରେସକୁ ଅଧିକ ୨୬ଟି ଆସନ ମିଳିଛି। ପ୍ରତିବର୍ଷ ବିଜେପିର ଆସନ ସଂଖ୍ୟା ଏବଂ ଭୋଟ୍ ପ୍ରତିଶତ କମିବା ବିଜେପି ପାଇଁ ଚିନ୍ତାଜନକ। ଅନ୍ୟପକ୍ଷେ ଚଳିତ ଥର ବିଜେପି ପାଇଁ ତ୍ରିକୋଣୀୟ ଲଢ଼େଇ ଅଧିକ ଜଟିଳ ହେବ।